ପାଳିଆ ପୁରସ୍କାର ପାଇଁ ଶ୍ରୀମନ୍ଦିରରେ ନୀତି ବିଳମ୍ବ, ଦୁଇ ଘଣ୍ଟା ବିଳମ୍ବରେ ମହାପ୍ରଭୁଙ୍କୁ ବଲ୍ଲଭଭୋଗ ଲାଗି

ପୁରୀ : ପାଳିଆ ପୁରସ୍କାରକୁ ନେଇ ଶ୍ରୀମନ୍ଦିରରେ ବିବାଦ ଦେଖା ଦେଇଥିବା ବେଳେ ସୁଆରବଡ଼ୁ ସେବକଙ୍କ ବିରୋଧ ଯୋଗୁଁ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦୁଇ ଘଣ୍ଟା ବିଳମ୍ବରେ ବଲ୍ଲଭଭୋଗ ଲାଗି ହୋଇଛି। ଆପୋସ ବୁଝାମଣା ସହ ବାକି ପାଳିଆ ପୁରସ୍କାର ଦେବାକୁ ଶ୍ରୀମନ୍ଦିର ପ୍ରଶାସନ ପ୍ରତିଶ୍ରୁତି ଦେବା ପରେ ସେବା ସ୍ବାଭାବିକ ହୋଇଛି।

ସୂଚନା ମୁତାବକ, ସୁଆରବଡ଼ୁ ସେବକ ରାଜାରାମ ମେକାପ ଶ୍ରୀମନ୍ଦିରରେ ବହୁ ବର୍ଷ ଧରି ସେବା ଯୋଗାଇ ଆସୁଛନ୍ତି। ଶ୍ରୀମନ୍ଦିର ଭିତର ବେଢ଼ାକୁ ସେ ପାଣି ପକାଇ ଧୋଇବା ସହ ପୂଜା ଥାଳି, ପିଢ଼ା ଆଦି ପକାଉଛନ୍ତି। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ଦୁଇ ମାସରୁ ଅଧିକ ସମୟ ଧରି ରାଜାରାମଙ୍କ ପାଳିଆ ପୁରସ୍କାର ବନ୍ଦ ରଖିଛନ୍ତି। ବାରମ୍ବାର ଦୃଷ୍ଟି ଆକର୍ଷଣ ସତ୍ତ୍ବେ ଶ୍ରୀମନ୍ଦିର ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇନଥିଲା। ଆଜି ଏ ନେଇ ଅସହଯୋଗ କରିଥିଲେ ରାଜାରାମ। ସେପଟେ ଶ୍ରୀମନ୍ଦିର ପ୍ରଶାସନ ଅନ୍ୟ ଜଣେ ସୁଆର ବଡ଼ୁସେବକଙ୍କୁ ସେବାରେ ନିୟୋଜିତ କରିଥିଲା, ଯାହାକୁ ବିରୋଧ କରିଥିଲେ ରାଜାରାମ। ଏହି ବାଦବିବାଦ ଭିତରେ ଆଜି ସକାଳ ୮ରୁ ସାଢ଼େ ୯ଟା ପର୍ଯ୍ୟନ୍ତ ନୀତି ବନ୍ଦ ରହିଥିଲା। ମହାପ୍ରଭୁଙ୍କୁ ବଲ୍ଲଭଭୋଗ ନୀତି ନିର୍ଘଣ୍ଟ ଅନୁଯାୟୀ ଲାଗି ହୋଇ ପାରିନଥିଲା। ପରେ ଶ୍ରୀମନ୍ଦିର ପୁଲିସ ବଡ଼ଦେଉଳ ଭିତରକୁ ରାଜାରାମଙ୍କୁ ନେଇ ପ୍ରାଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଆଲୋଚନା କରିବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା। ସାଢ଼େ ୯ଟାରେ ମହାପ୍ରଭୁଙ୍କୁ ବଲ୍ଲଭଭୋଗ ଲାଗି ହୋଇଥିଲା।

ଏହି ଅବସରରେ ରାଜାରାମ ଗଣମାଧ୍ୟମକୁ କହିଛନ୍ତି, ପାଳିଆ ପୁରସ୍କାରରେ ତାଙ୍କ ପରିବାର ଚଳୁଛି। ପୂର୍ବରୁ ମାସକୁ ମାସ ପାଳିଆ ପୁରସ୍କାର ମିଳିଯାଉଥିଲା। କିନ୍ତୁ ମଝିରେ ଶ୍ରୀମନ୍ଦିର ପ୍ରଶାସନ ପାଳିଆ ପୁରସ୍କାର ଦେବାରେ ବିଳମ୍ବ କରିଥିଲା। ଶ୍ରୀମନ୍ଦିର ପ୍ରଶାସନ ପାଳିଆ ପୁରସ୍କାରକୁ ଶୃଙ୍ଖଳିତ କରିବା ଲାଗି ପ୍ରତିଶ୍ରୁତି ଦେବା ପରେ ସେବାୟତମାନେ ସେବାରେ ମ‌ନୋନିବେଶ କରିଥିଲେ। କିନ୍ତୁ କିଛି ମାସ ହେଲା ପୁନର୍ବାର ପାଳିଆ ପୁରସ୍କାର ଦେବାରେ ଶ୍ରୀମନ୍ଦିର ପ୍ରଶାସନ ଅହେତୁକ ବିଳମ୍ବ କରିଛି। ଏଭଳି ପରିସ୍ଥିତିରେ ପରିବାର ଗୁଜୁରାଣ ମେଣ୍ଟାଇବା କଷ୍ଟସାଧ୍ୟ ହୋଇପଡ଼ିଛି। ପାଳିଆ ପୁରସ୍କାର ବାବଦରେ ରାଜାରାମଙ୍କର ୧ ଲକ୍ଷରୁ ଅଧିକ ଟଙ୍କା ପାଇବାକୁ ଅଛି। ଏ ଦିଗରେ ପୂର୍ବରୁ ସେ ବହୁବାର ଶ୍ରୀମନ୍ଦିର ପ୍ରଶାସନକୁ ଲିଖିତ ଭାବେ ଜଣାଇଛନ୍ତି। କିନ୍ତୁ ଅଧିକାରୀ ବଦଳିବା ସହ ଚିଠି ବି ହଜିଯାଉଛି। ବାଧ୍ୟ ହୋଇ ଆଜି ଏଭଳି ପଦ‌କ୍ଷେପ ନେଲି ବୋଲି ରାଜାରାମ କହିଛନ୍ତି।

ସମ୍ବନ୍ଧିତ ଖବର