କିରାସିନି ଢାଳି ମହିଳାଙ୍କୁ ହତ୍ୟା ଉଦ୍ୟମ, ୭ ଅଭିଯୁକ୍ତ ଗିରଫ

ଭୁବନେଶ୍ବର : କିରାସିନି ଢାଳି ଜଣେ ମହିଳାଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ୭ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ସାଲିଆସାହି ନୀଳଚକ୍ରନଗର ଅଞ୍ଚଳର ଲୁଗୁ ହାଁସଦା(୩୨), ମହେଶ୍ବର ହାଁସଦା(୨୪), କାହ୍ନୁ ସୋରେନ୍‌(୩୬), ଉଦୟନାଥ କିସୁ(୩୨), ଚନ୍ଦ୍ରମୋହନ ମାରାଣ୍ଡି(୫୦), ରାଇସେନ୍‌ ହାଁସଦା(୨୮) ଏବଂ ମାଥାଇ ମାଝି(୩୮)।

ପୁଲିସ ସୂଚନା ମୁତାବକ, ୨୦୦୬ ମସିହାରେ ସାଲିଆସାହି ଲକ୍ଷ୍ମୀନଗର ଅଞ୍ଚଳର ଚୁଡ଼ାମଣି ହାଁସଦାଙ୍କୁ ଲୁଗୁ ବିବାହ କରିଥିଲେ। ତେବେ ଏହି ସମୟରେ ଚୁଡ଼ାମଣିଙ୍କ ମା’ ପାର୍ବତୀ ହାଁସଦା ସେଠାରେ ଏକ ଘର କରି ଉଭୟଙ୍କୁ ରହିବାକୁ କହିଥିଲେ। ବିବାହର କିଛି ବର୍ଷ ପରେ ପିଲାଛୁଆ ନ ହେବାରୁ ଲୁଗୁ ଓ ଚୁଡ଼ାମଣିଙ୍କ ମଧ୍ୟରେ କଳହ ଲାଗିରହିଥିଲା। ଯାହାକୁ ନେଇ ପାଖାପାଖି ବର୍ଷେ ତଳେ ଉଭୟଙ୍କ ବିଚ୍ଛେଦ ହୋଇଥିଲା। ଫଳରେ ଉଭୟ ଅଲଗା ରହୁଥିଲେ।

ଗତ ୨୪ ତାରିଖ ସକାଳେ ଲୁଗୁ ଓ ତା’ର ସହଯୋଗୀମାନେ ଆସି ଅଚାନକ ଲକ୍ଷ୍ମୀନଗର ସ୍ଥିତ ଚୁଡ଼ାମଣିଙ୍କ ଘର ଭିତରେ ପଶିଥିଲେ। ସେ କିଛି ବୁଝିବା ପୂର୍ବରୁ ଲୁଗୁ ଓ ତା’ର ସହଯୋଗୀମାନେ ତାଙ୍କୁ ଆକ୍ରମଣ କରିବା ସହ ଘରେ ଥିବା ଜିନିଷପତ୍ର ଭଂଗାରୁଜା କରିଥିଲେ। ଏହାପରେ ଚୁଡ଼ାମଣିଙ୍କ ଉପରେ କିରାସିନ୍‌ ଢାଳି ପୋଡ଼ି ମାରି ଦେବାକୁ ଉଦ୍ୟମ କରିଥିଲେ। ସେମାନଙ୍କ କବଳରୁ ଖସି ଜୀବନ ବିକଳରେ ଚୁଡ଼ାମଣି ଦୌଡ଼ି ପଳାଇଥିଲେ। ଏହାପରେ ଥାନାକୁ ଆସି ଘଟଣା ବିଷୟରେ ଜଣାଇଥିଲେ। ଏନେଇ ନୂଆପଲ୍ଲୀ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର