ପ୍ରସଙ୍ଗ ନ ଥିବାରୁ ବିଜେପି ହୀନ ରାଜନୀତି କରୁଛି: ବିଜେଡି

ବିଜେପି ଶାସନ କରୁଥିବା ରାଜ୍ୟର ସ୍ଥିତି ଦେଖିବାକୁ ପରାମର୍ଶ

ଭୁବନେଶ୍ବର : ରାଜ୍ୟ ବିଜେପି ହାତରେ ଏବେ କୌଣସି ପ୍ରସଙ୍ଗ ନ ଥିବାରୁ ଯାଜପୁର ଘଟଣାକୁ ବାହାନା କରି ପ୍ରତିଦିନ ସାମ୍ବାଦିକ ସମ୍ମିଳନୀ ଜରିଆରେ ହୀନ ରାଜନୀତି କରୁଛି। ରାଜନୀତିରେ ଅସ୍ତିତ୍ବ ହରାଇଥିବା ଦଳର ନେତାମାନଙ୍କର ନିଜ ସ୍ଥିତି ଜାହିର ପାଇଁ ଏପରି ସାମ୍ବାଦିକ ସମ୍ମିଳନୀ ପ୍ଲାଟ୍‌ଫର୍ମ ପାଲଟିଛି ବୋଲି ବିଜେଡି କହିଛି।

ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି, କେବଳ ସାମ୍ବାଦିକ ସମ୍ମିଳନୀ କରିବା ଛଡ଼ା ଦଳ ହାତରେ କୌଣସି ପ୍ରମାଣ ନାହିଁ। ଯଦି ଏହି ଘଟଣାରେ ବିଜେପି ହାତରେ କିଛି ତଥ୍ୟ ପ୍ରମାଣ ରହିଛି, ତେବେ ତାହାକୁ ପୁଲିସ କିମ୍ବା ଅଦାଲତରେ ଦେବା ଆବଶ୍ୟକ। କିନ୍ତୁ ଦଳୀୟ ନେତାମାନେ ଏହା ନ କରି କେବଳ ରାଜନୀତି କରିବା ପାଇଁ ପ୍ରତିଦିନ ସାମ୍ବାଦିକ ସମ୍ମିଳନୀ ଡାକି ବୟାନବାଜି କରୁଛନ୍ତି। ମିଛ କହିବାର ଗୋଟିଏ ସୀମା ଅଛି। କିନ୍ତୁ ରାଜ୍ୟ ବିଜେପି ନେତାମାନେ ସେହି ସୀମା ଟପିଯାଇଛନ୍ତି। ଜଣେ ମହିଳା କର୍ମଚାରୀଙ୍କ ହତ୍ୟାକାଣ୍ଡ ପରି ସ୍ପର୍ଶକାତର ଘଟଣାରେ ମନଗଢ଼ା ଖବର ସୃଷ୍ଟି କରି ପୁଲିସ ତଦନ୍ତରେ ବାଧା ଉପୁଯାଉଛନ୍ତି। ପୁଲିସ ଏହି ଘଟଣାରେ ତଦନ୍ତ ଜାରି ରଖିଥିଲା ବେଳେ ଜଣଙ୍କୁ ଗିରଫ କରିଛି।

ଶ୍ରୀ ମହାନ୍ତି ଆହୁରି କହିଛନ୍ତି, ଓଡ଼ିଶାରେ ଆଇନଶୃଙ୍ଖଳା ପରିସ୍ଥିତି ଦେଶର ବିଜେପି ଶାସିତ ରାଜ୍ୟଗୁଡ଼ିକ ତୁଳନାରେ ଯଥେଷ୍ଟ ଭଲ ଅଛି। ଜାତୀୟ କ୍ରାଇମ୍‌ ରେକର୍ଡ ବ୍ୟୁରୋର ସଦ୍ୟତମ ରିପୋର୍ଟ ଅନୁଯାୟୀ ଅପରାଧ ପଞ୍ଜୀକରଣ କ୍ଷେତ୍ରରେ ଓଡ଼ିଶା ପଞ୍ଚଦଶ ସ୍ଥାନରେ ଥିବା ବେଳେ ୧୦ଟି ବିଜେପି ଶାସିତ ରାଜ୍ୟ ଏହା ପଛରେ ଅଛନ୍ତି। ବିଜେପି ଶାସିତ ରାଜ୍ୟରେ ମହିଳାଙ୍କ ବିରୋଧରେ ହିଂସା ସର୍ବୋଚ୍ଚ ସ୍ତରରେ ରହିଛି। ତେଣୁ ବିଜେପି ନେତାମାନେ ମହିଳାଙ୍କ ସୁରକ୍ଷାକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦିବା ଆଦୌ ଶୋଭା ପାଉ ନାହିଁ। ଅନ୍ୟ ପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ କଠୋର ନୀତି ଅବଲମ୍ବନ ସହିତ ଯେ କୌଣସି ମାମଲା ‌େଯପରି ସହଜରେ ଥାନାରେ ରୁଜୁ ହୋଇପାରିବ, ସେଥି ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏପରି ସ୍ଥିତିରେ ବିଜେପି ନେତାମାନେ ଓଡ଼ିଶାକୁ ଦୋଷ ଦେବା ପୂର୍ବରୁ ଥରେ ନିଜ ଦଳର ସରକାର ଶାସନ କରୁଥିବା ରାଜ୍ୟଗୁଡ଼ିକରେ କିପରି ଅପରାଧ ଓ ମହିଳା ହିଂସାର ସ୍ଥିତି ରହିଛି, ତାହାକୁ ପରଖି ନେବା ଆବଶ୍ୟକ।

ସମ୍ବନ୍ଧିତ ଖବର