ରକ୍ତବୀର୍ଯ୍ୟ

ରବିବାର ଦିନ ଭାରତୀୟମାନେ ଅନ୍ଧାର ଉପରେ ଆଲୋକର ବିଜୟ ଘୋଷଣା କରୁଥିବା ପର୍ବ ଦୀପାବଳି ସହିତ ମନ୍ଦ ଶକ୍ତି ଉପରେ ଭଲ ଶକ୍ତିର ବିଜୟର ବାର୍ତ୍ତା ବହନ କରୁଥିବା କାଳୀପୂଜା ପାଳନ କରୁଥିବା ଅବସରରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ସତେ ଯେମିତି ଏହି ପରିବେଶ ସହିତ ତାଳ ଦେବା ପାଇଁ ଏପରି ଏକ ମନ୍ଦ ଶକ୍ତିର ଅନ୍ତ ଘଟିବା ଘୋଷଣା କରିଛନ୍ତି ଯାହା ପୃଥିବୀର ସ˚ଖ୍ୟାଧିକ ଅଧିବାସୀଙ୍କ ପାଇଁ ଏଇଭଳି ଉତ୍ସବ ସୁଲଭ ଆନନ୍ଦ ଆଣି ଦେଇଛି। ଏଥି ପୂର୍ବରୁ ଏକାଧିକ ଥର ମୃତ୍ୟୁ ଘଟିଛି ବୋଲି ପ୍ରଚାରିତ ହେବା ପରେ ତାହା ମିଥ୍ୟା ସାବ୍ୟସ୍ତ ହୋଇ ଥିବାରୁ ଆବୁ ବକ୍‌ର ଆଲ୍‌-ବାଗ୍‌ଦାଦିର ମୃତ୍ୟୁ ଘଟିଛି ବୋଲି ଟ୍ରମ୍ପ୍‌ ଏବେ କରିଥିବା ଘୋଷଣାକୁ ଯଦି କେହି କେହି ବିଶ୍ବାସ ନ କରନ୍ତି, ସେମାନଙ୍କୁ ସେଥିପାଇଁ ଦୋଷ ଦେଇ ହେବ ନାହିଁ; କିନ୍ତୁ ପାରିପାର୍ଶ୍ବିକ ଘଟଣାବଳୀକୁ ବିଚାରକୁ ନେଲେ ନରରାକ୍ଷସ ବାଗ୍‌ଦାଦିର ଏଥର ନିଧନ ଘଟିଥିବା ଖବର ବିଶ୍ବାସଯୋଗ୍ୟ ମନେ ହୁଏ।

ଅଳ୍ପ ଦିନ ତଳେ ଟ୍ରମ୍ପ୍‌ ହଠାତ୍‌ ଉତ୍ତର-ପୂର୍ବ ସିରିଆରୁ ଆମେରିକାର ସେନା ପ୍ରତ୍ୟାହାର କରିବା ଘୋଷଣା କରି ସମସ୍ତଙ୍କୁ ଓ ବିଶେଷ କରି ସହଯୋଗୀ କୁର୍ଦ୍ଦମାନଙ୍କୁ ସ୍ତବ୍‌ଧ କରି ଦେଇଥିଲେ। ଏହି ଅଞ୍ଚଳରେ ନିଜର ଶେଷ ଆଡ୍ଡା ଜମାଇ ଥିବା ବାଗ୍‌ଦାଦିର ଜିହାନ୍ଦୀ ବାହିନୀ ‘ଇସ୍‌ଲାମିକ୍‌ ଷ୍ଟେଟ୍‌’ (‘ଆଇଏସ୍‌’)କୁ ଦମନ କରିବା ପାଇଁ କୁର୍ଦ୍ଦ ଯୋଦ୍ଧାମାନେ ହିଁ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସିରିଆର ଉତ୍ତର ସୀମା ସେପଟେ ଥିବା ତୁର୍କୀ କିନ୍ତୁ କୁର୍ଦ୍ଦମାନଙ୍କୁ ବିଚ୍ଛିନ୍ନତାବାଦୀ ରୂପେ ଘୋଷଣା କରି ସେମାନଙ୍କୁ ଶତ୍ରୁ ଦୃଷ୍ଟିରେ ଦେଖିଥାଏ। ଆମେରିକା ସୈନ୍ୟମାନେ ଅପସାରିତ ହୋଇଯିବା ପରେ ତୁର୍କୀ କୁର୍ଦ୍ଦମାନଙ୍କ ଉପରେ ଆକ୍ରମଣ କରିବ ବୋଲି ଆଶଙ୍କା ପ୍ରକାଶ ପାଇବା ସତ୍ତ୍ବେ ସହଯୋଗୀ କୁର୍ଦ୍ଦମାନଙ୍କୁ ଅସହାୟ କରି ଆମେରିକା ସୈନ୍ୟ ଅପସାରଣ କରିବା କୁର୍ଦ୍ଦମାନଙ୍କ ସହିତ ବିଶ୍ବାସଘାତକତା ବୋଲି ବିଶ୍ବଜନମତ ଟ୍ରମ୍ପ୍‌ଙ୍କୁ ତୀବ୍ର ଭର୍ତ୍ସନା କରି ଚାଲିଛି। ଏହା ଟ୍ରମ୍ପ୍‌ଙ୍କର ତୁର୍କୀକୁ ସାହାଯ୍ୟ କଲାଭଳି କାର୍ଯ୍ୟ ବୋଲି ସମାଲୋଚନା ହେଉଛି।

ଟ୍ରମ୍ପ୍‌ଙ୍କର ବର୍ତ୍ତମାନର ଘୋଷଣାରୁ ଜଣାପଡୁଛି ଆମେରିକାର କମାଣ୍ତୋମାନେ ବାଗ୍‌ଦାଦିକୁ ଯେଉଁ ସ୍ଥାନରେ ଠାବ କରି ଅନୁଧାବନ କରିବା ପରେ ସେ ଆତ୍ମହତ୍ୟା କରିଛି, ତାହା ହେଉଛି ଉତ୍ତର-ପଶ୍ଚିମ ସିରିଆ ଭିତରେ, ଯାହା ତୁର୍କୀର କବ୍‌ଜାରେ ଅଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଥିରୁ ମନେ ହୁଏ, ମୂଲ ଚାଲ କରିବାରେ ତାଙ୍କୁ କେହି ବଳିବେ ନାହିଁ ବୋଲି ସର୍ବଦା ସଗର୍ବରେ ଘୋଷଣା କରୁଥିବା ଡୋନାଲଡ଼୍ ଟ୍ରମ୍ପ୍‌ ବୋଧହୁଏ ତୁର୍କୀର ରାଷ୍ଟ୍ରପତି ରିସେପ୍‌ ତାଇପ୍‌ ଏଡ଼ର୍ଗାନ୍‌ଙ୍କ ସହିତ କରିଥିବା ଏକ ରାଜିନାମା ଅନୁସାରେ ଆମେରିକା ଉତ୍ତର-ପୂର୍ବ ସିରିଆରୁ ସୈନ୍ୟ ଅପସାରଣ କରିବା ପ୍ରତିବଦଳରେ ତୁର୍କୀ ଉତ୍ତର-ପଶ୍ଚିମ ସିରିଆରେ ଲୁଚି ରହିଥିବା ଆବୁ ବକ୍‌ର-ଆଲ୍‌-ବାଗ୍‌ଦାଦିକୁ ଆମେରିକାର ହାତରେ ଟେକି ଦେଇଛି। ଏହାର ଅର୍ଥ ବାଗ୍‌ଦାଦିର ଅବସ୍ଥାନ ସମ୍ବନ୍ଧରେ ତୁର୍କୀ ନିକଟରେ ସମସ୍ତ ତଥ୍ୟ ଉପଲବ୍‌ଧ ଥିଲା।

ବିରୋଧୀ ଦଳ ଡେମୋକ୍ରାଟିକ୍‌ ପାର୍ଟିର ରାଷ୍ଟ୍ରପତି ବାରାକ୍‌ ଓବାମାଙ୍କ ସମୟରେ ଆଲ୍‌-କାଏଦାର ମୁଖ୍ୟ ନରସ˚ହାରକାରୀ ଓସାମା ବିନ୍‌ ଲାଦେନ୍‌କୁ ତା’ର ପାକିସ୍ତାନସ୍ଥିତ ଆଶ୍ରୟସ୍ଥଳୀରେ ଆମେରିକୀୟ କମାଣ୍ତୋମାନେ ନିଧନ କରିଥିଲେ। ଏଥିରେ କୌଣସି ସନ୍ଦେହ ନାହିଁ ଯେ ବାଗ୍‌ଦାଦି ହେଉଛି ଲାଦେନ୍‌ ଠାରୁ ମଧୢ ଅଧିକ ବର୍ବର। ଆଉ ପ୍ରାୟ ଠିକ୍‌ ବର୍ଷକ ପରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ, ଯେଉଁଥିରେ ରିପବ୍ଲିକାନ୍‌ ପାର୍ଟି ତରଫରୁ ଡୋନାଲ୍‌ଡ ଟ୍ରମ୍ପ୍‌ ପୁଣି ପ୍ରାର୍ଥୀ ହେବା ପ୍ରାୟ ନିଶ୍ଚିତ। ଏଣୁ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଟ୍ରମ୍ପ୍‌ ନିଜକୁ ବାଗ୍‌ଦାଦି-ବିନାଶକାରୀ ହିରୋ ରୂପେ ପ୍ରଦର୍ଶିତ କରିବା ତାଙ୍କର ବିଜୟ ସମ୍ଭାବନାକୁ ସୁଦୃଢ଼ କରିବ ବୋଲି ସେ ଆଶା କରୁଥାଇପାରନ୍ତି। ଲକ୍ଷ୍ୟ କରିବା କଥା ଅତୀତରେ ରିପବ୍ଲିକାନ୍‌ ରାଷ୍ଟ୍ରପତି ଜର୍ଜ ଡବ୍ଲ୍ୟୁ ବୁଶ୍‌ଙ୍କ ସମୟରେ ଆମେରିକା ସୈନ୍ୟମାନେ ଯେପରି ଇରାକୀ ଏକଛତ୍ରପତି ସାଦ୍ଦାମ୍‌ ହୁସେନ୍‌ଙ୍କୁ ଏକ ଗାତ ଭିତରେ ଲୁଚିଥିବା ଅବସ୍ଥାରେ ପାଇଥିଲେ, ବାଗ୍‌ଦାଦି ସେହିପରି ଏବେ ତା’ର ତିନିଜଣ ପିଲାଙ୍କ ସହିତ ପ୍ରାଣ ବିକଳରେ ଏକ ପାଇପ୍‌ ଭିତରେ ପଶିଯିବା ପରେ ଖସିବାର ଉପାୟ ନପାଇ ଆତ୍ମଘାତୀ ବିସ୍ଫୋରଣ ଘଟାଇ ପିଲାମାନଙ୍କ ସହିତ ପ୍ରାଣ ହରାଇଛି।

ପୃଥିବୀର ‘ମୋଷ୍ଟ ଵାଣ୍ଟେଡ୍‌’ ଆତଙ୍କବାଦୀର ଅପଖ୍ୟାତି ଲାଭ କରିଥିବା ବାଗ୍‌ଦାଦିର ଏପରି ବିକଳ ବିଦାୟ ତା’ର ଅନ୍ଧ ଅନୁସରଣକାରୀ ମାନଙ୍କ ମନରେ ଯଦି ବାଗ୍‌ଦାଦି ଭଳି ଧର୍ମାନ୍ଧଙ୍କ ଦ୍ବାରା ପ୍ରଚାରିତ ଓ ପ୍ରସାରିତ ଜିହାଦ୍‌ ପ୍ରତି ସାମାନ୍ୟ ସ˚ଶୟ ସୃଷ୍ଟି କରିପାରିଥାଏ, ତେବେ ବାଗ୍‌ଦାଦି ନିଧନ ଦ୍ବାରା ଟ୍ରମ୍ପ୍‌ ଜଗତ୍‌ର କଲ୍ୟାଣ ସାଧନ କରିଛନ୍ତି ବୋଲି କୁହାଯାଆନ୍ତା। କିନ୍ତୁ ସେ ଆଶାକ୍ଷୀଣ। ବାଗ୍‌ଦାଦି ଜିହାଦ୍‌ ମାଧୢମରେ ପ୍ରତିଷ୍ଠା କରିବାକୁ ଚାହୁଁଥିବା ‘ଇସଲାମିକ୍‌ ଷ୍ଟେଟ୍‌’ (ଇସଲାମୀୟ ରାଷ୍ଟ୍ର) ଏକ ଭୌଗୋଳିକ ଅଞ୍ଚଳ ଥିଲା ସତ, କିନ୍ତୁ ପ୍ରକୃତରେ ଏହା ହେଉଛି ଏକ ମାନସ ରାଜ୍ୟ। ବାଗ୍‌ଦାଦିର ଅନ୍ତ ହୁଏତ ବର୍ତ୍ତମାନ ପାଇଁ ସେ ଭୌଗୋଳିକ ରାଜ୍ୟ ପ୍ରତିଷ୍ଠା ସମ୍ଭାବନାକୁ ପ୍ରତିହତ କରିଛି, କିନ୍ତୁ ବାଗ୍‌ଦାଦି ବା ବିନ୍‌ ଲାଦେନ୍‌ ହେଉଛନ୍ତି ଜଣେ ଜଣେ ରକ୍ତବୀର୍ଯ୍ୟ ରାକ୍ଷସ ଭଳି ଯେଉଁମାନଙ୍କ ନିଧନ ପରେ ମଧୢ ସେମାନଙ୍କର ଚିନ୍ତାଧାରାର ସ˚ସ୍ପର୍ଶରେ ଆସିଥିବା ସହସ୍ର ସହସ୍ର ଅନୁଗାମୀମାନେ ଜଣେ ଜଣେ ବାଗ୍‌ଦାଦି ବା ବିନ୍‌ ଲାଦେନ ହୋଇ ଆବିର୍ଭୂତ ହୁଅନ୍ତି। ଠିକ୍‌ ଯେମିତି ରକ୍ତବୀର୍ଯ୍ୟର ନିଧନ ସମୟରେ ଛିଟ୍‌କି ଥିବା ତାର ପ୍ରତି ରକ୍ତ ବିନ୍ଦୁରୁ ଜଣେ ଜଣେ ନୂତନ ରକ୍ତବୀର୍ଯ୍ୟର ଆବିର୍ଭାବ ଘଟୁଥିଲା। ଶେଷରେ ମା’ କାଳୀ ତାଙ୍କର ଲେଲିହାନ ଜିହ୍ବା ସଞ୍ଚାଳନ କରି ପ୍ରତି ରକ୍ତବିନ୍ଦୁକୁ ଚାଟି ନେବା ପରେ ହିଁ ରକ୍ତବୀର୍ଯ୍ୟର ଚିର ସମାପ୍ତି ଘଟିଥିଲା।

ବାଗ୍‌ଦାଦି ପରି ପ୍ରଚାରକମାନେ ପ୍ରସାର କରୁଥିବା ଧର୍ମାନ୍ଧବାଣୀ ହେଉଛି ରକ୍ତବୀର୍ଯ୍ୟର ରକ୍ତ ଛିଟା ଭଳି। ଶିକ୍ଷାଦୀକ୍ଷା ନିର୍ବିଶେଷରେ ଯେଉଁ ଅନୁଗାମୀମାନେ ତାଙ୍କର ଜିହାଦ ଡାକରାରେ ବିଶ୍ବାସ କରନ୍ତି, ସେମାନେ ଜିହାଦ ମାଧୢମରେ ସହିଦ ହେବାକୁ ନିଜ ଜୀବନର ଚରମ ଲକ୍ଷ୍ୟ ରୂପେ ବିଚାର କରନ୍ତି। ଏହି ବନ୍ଧମୂଳ ଧାରଣାର ପରିଣତି ବିଶ୍ବବାସୀ ଦେଖି ଆସିଛନ୍ତି ୯/୧୧ ଆକ୍ରମଣରେ ୩,୦୦୦ ନିରୀହ ଲୋକଙ୍କର ପ୍ରାଣନାଶରେ କିମ୍ବା ୨୬/୧୧ରେ ୩,୦୦ଙ୍କର ନିଷ୍ଠୁର ହତ୍ୟାରେ କିମ୍ବା ବାଗ୍‌ଦାଦି ଉକ୍ତ ମାନଙ୍କ ଦ୍ବାରା ଅସହାୟ ବନ୍ଦୀମାନଙ୍କର ଗଳା କଟାଯିବା ଦୃଶ୍ୟରେ କିମ୍ବା ପରାଜିତ ୟାଜିଦି ମହିଳାମାନଙ୍କର ଗଣଧର୍ଷଣରେ। ସେମାନେ ବିଶ୍ବାସ କରନ୍ତି ଯେ ଏ ପୃଥିବୀ ହେଉଛି ମିଥ୍ୟା ଏବ˚ ଜନ୍ନତ ବା ସ୍ବର୍ଗ ହିଁ ହେଉଛି ଅସଲ ସତ୍ୟ। ଆଉ ସ୍ବର୍ଗରେ ପହଞ୍ଚିବାର ତତ୍‌କାଳ ରାସ୍ତା ହେଉଛି ଜିହାଦ, ଯାହା କୋରାନ୍‌ ଦ୍ବାରା ସମର୍ଥିତ ବୋଲି ସପ୍ରମାଣ ସେମାନଙ୍କ ହୃଦ୍‌ବୋଧ କରି ଦିଆଯାଇଥାଏ। ଜଣେ ବାଗ୍‌ଦାଦିର ନିଧନ ରକ୍ତବୀର୍ଯ୍ୟ ଆତଙ୍କରୁ ପୃଥିବୀକୁ ମୁକ୍ତିଦେବାର ସମ୍ଭାବନା ନାହିଁ।

ସମ୍ବନ୍ଧିତ ଖବର