ନରାଜରେ ଏନ୍‌କାଉଣ୍ଟର : ଅସଲି ପୁଲିସ ଗୁଳିରେ ନକଲି ଜଖମ

କଟକ/ବାରଙ୍ଗ/ତ୍ରିଶୁଳିଆ : ନକଲି ପୁଲିସ ସାଜି ଲୁଟ୍‌ପାଟ କରୁଥିବା କୁଖ୍ୟାତ ଅପରାଧୀ ବବୁଲ ଓରଫ ସଚିନ ପାୱାର ପୁଲିସ ଏନକାଉଣ୍ଟରରେ ଆହତ ହୋଇଛି। ନକଲି ପୁଲିସ ସାଜି ରାସ୍ତାରେ ଲୋକଙ୍କ ଠାରୁ ସୁନା ଗହଣା ଲୁଟୁଥିବା ବବୁଲକୁ ଗତକାଲି ବିଳମ୍ବିତ ରାତିରେ କଟକ କମିସନରେଟ୍‌ ପୁଲିସ ନରାଜ ନିକଟରେ ଏନ୍‌କାଉଣ୍ଟର କରିଛି। ମହାରାଷ୍ଟ୍ର ଅମରାବତୀ ଜିଲ୍ଲା ବଧିନିରାର ବବୁଲ ପୁଲିସକୁ ଗୁଳି ମାରି ଖସିଯାଉଥିବା ବେଳେ ପୁଲିସ ଏନ୍‌କାଉଣ୍ଟରର ଶିକାର ହୋଇଛି। ପୁଲିସ ଟିମ୍‌ ତା ନିକଟରୁ ଗୋଟିଏ ୭.୬୨ ଏମ୍‌ଏମ୍‌ ପିସ୍ତଲ, ଦୁଇ ରାଉଣ୍ତ ଗୁଳି ଏବ˚ ତିନୋଟି ଖାଲି କାଟ୍ରିଜ୍‌ ଜବତ କରିଛି। ବବୁଲର ଆହୁରି ୪୦ରୁ ଅଧିକ ସହଯୋଗୀ ରାଜ୍ୟରେ ଥିବା ବେଳେ ପୁଲିସ ସେମାନଙ୍କୁ କାବୁ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ସୂଚନା ଅନୁଯାୟୀ, ଓଡ଼ିଶାରେ ଆତଙ୍କ ସୃଷ୍ଟି କରିଥିବା ଡେଙ୍ଗା-ଗେଡ଼ା ଗ୍ୟାଙ୍ଗର ମୁଖ୍ୟ ମଧ୍ୟପ୍ରଦେଶ ସିଙ୍ଗିରାଲିର ବାସିନ୍ଦା ଜାଭେଦ୍‌ ଅଲ୍ଲୀ ଏବ˚ ସାଦିକ୍‌ ଅଲ୍ଲୀଙ୍କୁ ମାଲ୍‌ଗୋଦାମ ଥାନା ପୁଲିସ ଗଲା ଜୁନ୍‌ ୧୧ ତାରିଖରେ ଗିରଫ କରିଥିଲା। ଏହି ଗ୍ୟାଙ୍ଗ୍‌ ଓଡ଼ିଶାରୁ ୭ ବର୍ଷ ଭିତରେ ପାଖାପାଖି ୨୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ପୁଲିସ ପରିଚୟ ଦେଇ ଲୁଟି ନେଇଥିଲେ। ସେମାନଙ୍କୁ ଜେରାବେଳେ ବବୁଲ ଓରଫ ସଚିନ ପାଵାର ସମ୍ପର୍କରେ ସେମାନେ ସୂଚନା ଦେଇଥିଲେ। ବବୁଲ ସେମାନଙ୍କ ଗ୍ୟାଙ୍ଗ୍‌ରେ ବି କାମ କରୁଥିଲା। ଏହି ଗ୍ୟାଙ୍ଗ୍‌ କଟକ, ଭୁବନେଶ୍ବର ଓ ପୁରୀରେ ସକ୍ରିୟ ଥିବା ବେଳେ ବବୁଲ ଜଗତପୁରସ୍ଥିତ କେନ୍ଦ୍ରାପଡ଼ା ରେଳ ଷ୍ଟେସନ୍‌ ନିକଟରେ ଥିବା ଏକ ବସ୍ତିରେ ଲୁଚି ରହୁଥିଲା। ଗଲା ୯ ତାରିଖ ବିଳମ୍ବିତ ରାତିରେ ଚୌଦ୍ବାର କଲେଜ ନିକଟରେ ଥିବା ଏକ ଗହଣା ଦୋକାନରେ ବବୁଲ ସମେତ ପ୍ରାୟ ୧୧ କୁଖ୍ୟାତ ଅପରାଧୀ ଡକାୟତି ଯୋଜନା କରୁଥିଲେ। ଚୌଦ୍ବାର ଥାନା ପୁଲିସ ଓ ସ୍ପେଶାଲ ସ୍କ୍ବାଡ୍‌ ୮ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଭିତରୁ ୩ ଜଣ ଖସି ଯାଇଥିଲେ। ଡକାୟତଙ୍କ ଆକ୍ରମଣରେ ଦୁଇ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ଫେରାର ଅଭିଯୁକ୍ତଙ୍କୁ ଧରିବାକୁ ଯୋଜନା କରିଥିଲା। ସେମାନେ ନରାଜସ୍ଥିତ ସରକାରୀ ମାର୍କେଟ୍‌ ଗୋଦାମ କୋଠା ନିକଟରେ ଲୁଚିଥିବା ପୁଲିସ ଖବର ପାଇଥିଲା। କୋଠାର ଚାରିପଟେ ପୁଲିସ ଘେରି ଯାଇଥିଲା। ପୁଲିସକୁ ଦେଖି ଦୁର୍ବୃତ୍ତ ଗୁଳି ଚଳାଇ ଥିଲେ। ପୁଲିସ ଆତ୍ମସମର୍ପଣ କରିବାକୁ କହିଥିଲେ ସୁଦ୍ଧା ପୁଲିସ ଉପରକୁ ସେମାନେ ୩ ରାଉଣ୍ତ ଗୁଳି ଫୁଟାଇଥିଲା। ଚୌଦ୍ବାର ଥାନା ଆଇଆଇସି ପଦ୍ମନାଭ ପ୍ରଧାନ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ଦୁଇ ରାଉଣ୍ତ ଗୁଳି ନିଜ ସର୍ଭିସ ପିସ୍ତଲରୁ ଫୁଟାଇଥିଲେ। ଗୁଳିଟି ବବୁଲର ବାମ ଗୋଡ଼ ଆଣ୍ଠୁରେ ବାଜିଥିଲା। ଆଣ୍ଠୁରେ ଗୁଳି ବାଜିବାରୁ ବବୁଲ ତଳେ ପଡ଼ିଯାଇଥିଲା। ଘଟଣାସ୍ଥଳରୁ ଅନ୍ୟ ଅପରାଧୀ ଫେରାର ହୋଇଯାଇଥିଲେ। ପୁଲିସ ବବୁଲ ନିକଟରୁ ବନ୍ଧୁକ ଜବତ କରି ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲ୍‌ ସ୍ଥାନାନ୍ତର କରିଥିଲା। ବବୁଲର ଗୁଳି ମାଡ଼ରେ ଏଏସ୍‌ଆଇ ଦରବାରି ନାୟକ, କନ୍‌ଷ୍ଟେବଳ ଅନିଲ କୁମାର ଦାସ, ବିଶ୍ବରଞ୍ଜନ ଦାସ ଆହତ ହୋଇଥିଲେ। ଏବେ ପୁଲିସ ଟିମ୍‌ ଅନ୍ୟ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିବା ସୂଚନା ମିଳିଛି। ବବୁଲ ବିରୋଧରେ କଟକ ସମେତ ପୁରୀ, ରାଉରକେଲା, ଭୁବନେଶ୍ବର, ତାଳଚେର, ଅନୁଗୁଳ, ବାରିପଦା ଏବ˚ ବ୍ରହ୍ମପୁରରେ ୧୩ଟି ଚୋରି, ଡକାୟତି, ଠକେଇ ଭଳି ସ˚ଗିନ ମାମଲା ଥିବା ଡିସିପି ଅଖିଳେଶ୍ବର ସି˚ହ ସୂଚନା ଦେଇଛନ୍ତି। ଅନ୍ୟପଟେ ପୁଲିସ ପରିଚୟ ଦେଇ ଅଳଙ୍କାର ଲୁଟିନେବା ଭଳି ଘଟଣା ବବୁଲ ବିରୋଧରେ ମର୍କତନଗର, ଚାଉଳିଆଗଞ୍ଜ, ଖାରବେଳନଗର ଏବ˚ ପୁରୀ ଟାଉନ୍‌ ଥାନାରେ ୬ ଟି ମାମଲା ଥିବା ସୂଚନା ମିଳିଛି। ବବୁଲକୁ କାବୁ କରିବାରେ ଚୌଦ୍ବା ଥାନା ଆଇଆଇସି ଶ୍ରୀ ପ୍ରଧାନଙ୍କ ସମେତ ସ୍ପେଶାଲ ସ୍କ୍ବାଡ୍‌ ଇନ୍‌ସ୍ପେକ୍ଟର ଅଜୟ ଦାସ ଏବ˚ ଅନ୍ୟ ପୁଲିସ କର୍ମଚାରୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ, ୨୦୧୯ ବର୍ଷରେ ଏହା ହେଉଛି କଟକ କମିସନରେଟ୍ ପୁଲିସର ପଞ୍ଚମ ଏନକାଉଣ୍ଟର। ୨୦୧୯ ମାର୍ଚ୍ଚ ୧୯ ତାରିଖରେ ଟିଟୋ ଗ୍ୟାଙ୍ଗର ସହଯୋଗୀ ମନୁଆ ଓରଫ ମନୋଜ କୁମାର ସ୍ବାଇଁ ଯୋବ୍ରା ମହାନଦୀ ପଠାରେ ଏନ୍‌କାଉଣ୍ଟରର ଶିକାର ହୋଇଥିବା ବେଳେ ଅଗଷ୍ଟ ୨୧ ତାରିଖରେ ଜଗତପୁର କେନ୍ଦ୍ରାପଡ଼ା କେନାଲ ରୋଡ ନିକଟରେ ଅମିତ ଓରଫ ମନୋଜ ପାତ୍ର, ସେପ୍ଟେମ୍ବର ୧୨ ତାରିଖ ବିଳମ୍ବିତ ରାତିରେ ଗ୍ୟାଙ୍ଗଷ୍ଟର ଟିଟୋର ସହଯୋଗୀ ବୁଦ୍ଧିଆ ଦାସ ସିଡିଏ ସେକ୍ଟର ୧୩ରେ ଚାଉଳିଆଗଞ୍ଜ ପୁଲିସ ଏନ୍‌କାଉଣ୍ଟରର ଶିକାର ହୋଇଥିଲା। ସେହିଭଳି ଅକ୍ଟୋବର ୧୪ ତାରିଖ ବିଳମ୍ବିତ ରାତିରେ ଢେଙ୍କାନାଳ ସଦର ଥାନା ଗୁଣ୍ତିଚାପୁର ଅଞ୍ଚଳର ମୁନା ଦେହୁରୀ ଚୌଦ୍ବାର ପୁଲିସ ଏନ୍‌କାଉଣ୍ଟରର ଶିକାର ହୋଇଥିଲା।

ସମ୍ବନ୍ଧିତ ଖବର