ନବୀନଙ୍କ ଜୀବନର ଏକ ଅନାଲୋଚିତ ଦିଗ ଉପରୁ ପରଦା ହଟାଇଲେ ପାଣ୍ଡିଆନ୍ ! କହିଲେ,ମୁଖ୍ୟମନ୍ତ୍ରୀ ଜଗନ୍ନାଥଙ୍କର ଜଣେ ବଡ଼ଭକ୍ତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ତଥା ଅନାଲୋଚିତ ଦିଗ ଆଜି ଉନ୍ମୋଚିତ ହୋଇଛି । ନବୀନ ଯେତେବେଳେ ବି ଜଗନ୍ନାଥଙ୍କ ସାମ୍ନାକୁ ଯାଆନ୍ତି ପାଲଟି ଯାଆନ୍ତି ଜଣେ ଭିନ୍ନ ମଣିଷ। ଆଉ ପୁରୀ ଯିବା ରାସ୍ତାରେ ଯେଉଁଠି ବି ଜଗନ୍ନାଥଙ୍କ ଫଟୋଚିତ୍ର ଦେଖନ୍ତି, ଆଖି ବନ୍ଦ କରି ପ୍ରଣାମ ଜଣାନ୍ତି। ଆଜି ଲୋକସେବା ଭବନରେ ଆୟୋଜିତ ପୁରୀ ଐତିହ୍ୟ କରିଡର ନକ୍ସା ଲୋକାର୍ପଣ କାର୍ଯ୍ୟକ୍ରମରେ ଏହି ପ୍ରସଙ୍ଗ ଉପ‌ରୁ ପର୍ଦ୍ଦା ହଟାଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ.ପାଣ୍ଡିଆନ୍।୨୦୧୬ ଜାନୁଆରି ପହିଲା ଦିନ ମୁଖ୍ୟମନ୍ତ୍ରୀଙ୍କ ସହିତ ଶ୍ରୀଜନ୍ନାଥ ଦର୍ଶନ ଲାଗି ପୁରୀ ଯିବା ସମୟର ଅନୁଭୂତି ବର୍ଣ୍ଣନା କରି ପାଣ୍ଡିଆନ୍ କହିଛନ୍ତି- ମୁଖ୍ୟମନ୍ତ୍ରୀ ହେଉଛନ୍ତି ମହାପ୍ରଭୁଙ୍କର ଜଣେ ବଡ଼ ଭକ୍ତ।

ବର୍ତ୍ତମାନ ଶ୍ରୀମନ୍ଦିରକୁ ନେଇ ଯେଉଁ ଯୋଜନା ଚାଲିଛି ତାହାର ପରିକଳ୍ପନା ୨୦୧୬ ମସିହା ନୂଆବର୍ଷ ଦିନ ଆରମ୍ଭ ହୋଇଥିଲା। ସେଦିନ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଫେରିବା ସମୟରେ ମୁଖ୍ୟମନ୍ତ୍ରୀ ସାଥିରେ ଥିବା ବ୍ୟକ୍ତିଗତ ସଚିବ ପାଣ୍ଡିଆନଙ୍କୁ ମନ୍ଦିର ଲାଗି କିଛି ଭଲ କାମ କରିବାର ଇଚ୍ଛା ପ୍ରକଟ କରିଥିଲେ । ଏହାପରେ ପୁରୀକୁ ଏକ ଐତିହ୍ୟ ନଗରୀ କରିବାର କାର୍ଯ୍ୟ ଆରମ୍ଭ ହୋଇଥିଲା। ସଙ୍ଗେ ସଙ୍ଗେ ବଡ଼ଦାଣ୍ଡରେ ଥିବା ଜେଲକୁ ଅନ୍ୟତ୍ର ଉଠାଇ ନେବାକୁ ନିଷ୍ପତ୍ତି ହୋଇଥିଲା। ଏହି କାମ ଯୁଦ୍ଧକାଳୀନ ଭିତ୍ତିରେ ହୋଇଥିଲା। ସେଦିନ ଠାରୁ ଆରମ୍ଭ ହୋଇଥିବା କାମ ଆଜି ରାଜ୍ୟବାସୀଙ୍କ ସାମ୍ନାକୁ ଆସିଛି।

ଆଜି ଲୋକସେବା ଭବନରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ୫-ଟି ସଚିବ ଅତ୍ୟନ୍ତ ଆନ୍ଦ ସହକାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଳାଷ ସଂପର୍କରେ ବର୍ଣ୍ଣନା କରିଥିଲେ। ସେ କହିଥିଲେ,‘ ପୁରୀ ଯିବା ରାସ୍ତାରେ ଗାଡ଼ିରେ ମୁଖ୍ୟମନ୍ତ୍ରୀଙ୍କ ପଛରେ ବସି ତାଙ୍କ ଭାବଭଙ୍ଗୀ କେମିତି ରହୁଥିଲା ତାହା ଦେଖୁଥିଲି । ମୁଖ୍ୟମନ୍ତ୍ରୀ ପୁରୀ ଯିବା ରାସ୍ତାରେ ବାଟ ସାରା କେଉଁ ହୋର୍ଡିଂ ହେଉ ଅଥବ‌ା ବ୍ୟାନର, ଯେଉଁଠି ଜଗନ୍ନାଥଙ୍କ ଫଟୋ ଚିତ୍ର ଦେଖୁଥିଲେ, କିଛି ମୁହୂର୍ତ୍ତ ଲାଗି ଆଖିବୁଜୁ ଥିଲେ ଓ ପ୍ରଣାମ କରୁଥିଲେ। ସେଦିନ ସେ ଯେତେବେଳେ ଜଗନ୍ନାଥଙ୍କ ସମ୍ମୁଖକୁ ଗଲେ, ପାଲଟିଗଲେ ଜଣେ ଭିନ୍ନ ମଣିଷ।’ ଏହି ଘଟଣା ପାଣ୍ଡିଆନଙ୍କୁ ଅଭିଭୂତ କରିଥିଲା।

ତେବେ ଦର୍ଶନ ସାରି ଫେରିବା ବେଳେ ଐତିହ୍ୟ କରିଡର ବିକାଶ ନେଇ ଯୋଜନା ହୋଇଥିଲା । ଲୋକସେବା ଭବନରେ ପୁରୀର ଐତିହ୍ୟ କରିଡର ବିକାଶ ନେଇ ବୈଠକରେ ନବୀନଙ୍କ ସମ୍ପର୍କରେ ଏଭଳି କହିଛନ୍ତି ପାଣ୍ଡିଆନ।

ସମ୍ବନ୍ଧିତ ଖବର