‘ମୋ ସରକାର’ରେ ଦୁର୍ନୀତି କଲେ ବାଜିବ ଛାଟ : ଚପରାସୀ ଠାରୁ ଆଇଏଏସ ଅଫିସର ଯାଏଁ କେହି ପଡ଼ିବେନି ବାଦ୍

ଭୁବନେଶ୍ବର: ପଞ୍ଚମ ପାଳିରେ କ୍ଷମତାକୁ ଆସିବା ପରେ ରାଜ୍ୟ ସରକାର ଯେଉଁ ସ୍ୱଚ୍ଛ ଶାସନର ଆହ୍ୱାନ ଦେଇଥିଲେ, ତାର ସବୁଠାରୁ ବଡ଼ ଦିଗ ଆଜି ସାମ୍ନାକୁ ଆସିଛି ।  ଛୋଟ ସରକାରୀ ବାବୁ ନୁହନ୍ତି  ବରଂ ଆଇଏଏସ ଅଧିକାରୀଙ୍କୁ ମଧ୍ୟ ଲାଂଚ କାରବାରରେ ଗିରଫ କରାଯାଇଛି । ମୋ ସରକାର ଆଉ ୫-ଟି ମାଧ୍ୟମରେ ପ୍ରଶାସନକୁ ଲୋକାଭିମୁଖୀ କରିବାକୁ ସରକାର କରିଥିବା ଘୋଷଣା ଏବଂ ନେଉଥିବା ପଦକ୍ଷେପ ଦର୍ଶାଉଛି- ଦୁର୍ନୀତି କଲେ ନିସ୍ତାର ନାହିଁ । ଏଭଳି କଡା ବାର୍ତ୍ତା ଆଜି ରାଜ୍ୟ ପ୍ରଶାସନିକ ସ୍ତରରେ ହଟଚମଟ ସୃଷ୍ଟି କରିଛି ।

ମୋ ସରକାରରେ ଲୋକେ ଦେଇଥିବା ମତାମତ ଆଧାରରେ ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି ଜଣେ ଆଇଏଏସ ଅଧିକାରୀ । ବିଲ୍ ପାସ କରାଇଦେବା ପାଇଁ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ ହୋଇଛନ୍ତି ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ । ରାଜ୍ୟରେ ପ୍ରଥମ ଥର ପାଇଁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯେତେବେଳେ ଜଣେ ଆଇଏଏସ ଅଫିସର ଲାଞ୍ଚ ନେଉଥିବା ବେଳେ ପଡିଛନ୍ତି ଭିଜିଲାନ୍ସ ପଞ୍ଝାରେ । ଏହା ସ୍ୱଷ୍ଟ ଦର୍ଶାଉଛି ଯେ, ନବୀନ ସରକାରରେ ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ନିସ୍ତାର ନାହିଁ । ଜଣେ ଯେତେବଡ ଅଫିସର ହୋଇଥାନ୍ତୁ ନା କାହିିଁକି, ଦୁର୍ନୀତି କଲେ ବର୍ତ୍ତିପାରିବେ ନାହିଁ ।

ଲୋକଙ୍କ ସେବାରେ ଟିକେ ଏପଟ ସେପଟ ହେଲେ ସାଙ୍ଗେ ସାଙ୍ଗେ ଦୃଢ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ସରକାର । ମୋ ସରକାର ମାଧ୍ୟମରେ ଲୋକଙ୍କ ମତାମତ ଆଧାରରେ ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ବିରୋଧରେ ନିଆଯାଉଛି କଡା କାର୍ଯ୍ୟାନୁଷ୍ଠାନ । ସୁବର୍ଣ୍ଣପୁର ମେଡିକାଲରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ମେଡିକାଲ କର୍ମଚାରୀ ଲାଞ୍ଚ ମାଗିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇ ଏହାର ପ୍ରମାଣ ଦେଇଛି ‘ମୋ ସରକାର’ । ଯେଉଁମାନେ ସେବା ବଦଳରେ ଲାଞ୍ଚ ମାଗୁଛନ୍ତି ସେମାନେ ଦୁର୍ନୀତି କରିବା ପୂର୍ବରୁ ସାତ ଥର ଭାବିବେ ବୋଲି ଅନୁମାନ କରାଯାଉଛି । କାରଣ ଦୁର୍ନୀତି କଲେ ମୋ ସରକାରରେ ହେଉଛି  ମହାକାର୍ଯ୍ୟାନୁଷ୍ଠାନ  ।

ପଞ୍ଚମ ପାଳିରେ ନବୀନ ସରକାର କ୍ଷମତାକୁ ଆସିବା ପରେ ଲୋକଙ୍କ ସମସ୍ୟାର ସମାଧାନ କରିବାକୁ ପ୍ରାଧାନ୍ୟ ଦେଇଛନ୍ତି । ସରକାରୀ ସ୍ତରରେ ସାଧାରଣ ଲୋକେ ଭୋଗୁଥିବା ଅସୁବିଧା କିମ୍ବା ଦୁର୍ନୀତିକୁ ବରଦାସ୍ତ କରା ଯିବନି ବୋଲି ନବୀନ ସିଧାସିଧା ଶୁଣାଇଛନ୍ତି । ଲୋକଙ୍କ ସମସ୍ୟା ବୁଝି ତାର ତୁରନ୍ତ ସମାଧାନ କରିବାକୁ ଥାନା ଓ ସବୁ ସରକାରୀ ଅଫିସକୁ କହିଛନ୍ତି । ଆଉ ଯଦି ସେଥିରେ କେହି ଖିଲାପ କରେ ତାହାଲେ ଆକ୍ସନ ନିଆଯିବ ବୋଲି ଶୁଣାଇଥିଲେ । ଏପରିକି ପୂର୍ବରୁ ମଧ୍ୟ ଲୋକଙ୍କ ସମସ୍ୟା ଶୁଣୁନଥିବା ଓ  କାମ କରାଇଦେବା ପାଇଁ ଲାଞ୍ଚ ନେଉଥିବା ଅଧିକାରୀଙ୍କୁ ଅବସର ପୂର୍ବରୁ ଚାକିରିରୁ ହଟାଇ ସରକାର ଅନେକ ଉଦାହରଣ ସାମ୍ନାକୁ ଆଣିଛନ୍ତି । କେବଳ ଯେ, ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହା ନୁହେଁ ବରଂ ଯେଉଁ ସରକାରୀ ଅଧିକାରୀମାନେ ନିଷ୍ଠାର ସହ କାମ କରି ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ସହ ଲୋକଙ୍କ ସମସ୍ୟାର ସମାଧାନ କରୁଛନ୍ତି ତାଙ୍କୁ  ପୁରସ୍କୃତ ମଧ୍ୟ କରୁଛନ୍ତି ସରକାର ।

ମୋ ସରକାର ଓ ୫-ଟି କଥା କହିଲା ବେଳେ ସରକାର ସ୍ପଷ୍ଟ କରିଥିଲେ, ସାଧାରଣ ଲୋକଟିଏ ଯେଭଳି ସରକାରୀ ସ୍ତରରେ ଉପେକ୍ଷିତ ନ ହୁଏ କିମ୍ବା ସରକାରୀ ଫାଇଲ ତଳେ ତାର କାଗଜପତ୍ର ବର୍ଷ ବର୍ଷ ଅଟକି ନରହୁ । ସାଧାରଣ ଜନତାପ୍ରତି କେହି ଜଣେ ବି ଖରାପ ବ୍ୟବହାର ନକରନ୍ତୁ । ଏହାର କାର୍ଯ୍ୟାନ୍ୱୟନ ଉପରେ ଆରମ୍ଭରୁ ପ୍ରଶ୍ନ ଉଠୁଥିବା ବେଳେ ଆଜି ସରକାର ପ୍ରମାଣିତ କରିଛନ୍ତି, ସେ ଯେତେବଡ ଅଧିକାରୀ ହେଲେ ମଧ୍ୟ ଯିଏ ଲୋକଙ୍କ ସ୍ୱାର୍ଥ ବିରୋଧରେ କାର୍ଯ୍ୟ କରିବ କିମ୍ବା ଦୁର୍ନୀତିରେ ଲିପ୍ତ ରହିବ, ସେମାନଙ୍କ ଉପରେ ମୋ ସରକାର ଛାଟ ବାଜିବ ।

ସମ୍ବନ୍ଧିତ ଖବର