ଜମ୍ମୁରେ ପୁଲିସ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ; ଜଣେ ଆତଙ୍କବାଦୀ ନିହତ, ଜଣେ ପୁଲିସ ଆହତ

ଶ୍ରୀନଗର: ଜମ୍ମୁ ଉପକଣ୍ଠସ୍ଥିତ ନଗ୍ରୋତା ଅଞ୍ଚଳର ଏକ ଟୋଲ୍‌ ପ୍ଲାଜା ପାଖରେ ଆତଙ୍କବାଦୀମାନେ ପୁଲିସ ଟିମ୍‌ ଉପରକୁ ଗୁଳି ଚଳାଇବାରୁ ଜଣେ ପୁଲିସ କର୍ମଚାରୀ ଆହତ ହୋଇଥିବା କଥା ଶୁକ୍ରବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି।

ପୁଲିସ ପାଲଟା ଗୁଳି ଚଳାଇବାରୁ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି ଏବଂ ବାକି ଆତଙ୍କବାଦୀ ଆଖପାଖରେ ଥିବା ଜଙ୍ଗଲିଆ ଅଞ୍ଚଳକୁ ଖସି ପଳାଇ ଯାଇଥିବା କଥା ଜମ୍ମୁ ଓ କଶ୍ମୀରର ପୁଲିସ ମହାନିର୍ଦେଶକ ଦିଲ୍‌ବାଗ୍‌ ସିଂହ କହିଛନ୍ତି।

ଶ୍ରୀନଗର ଅଭିମୁଖେ ଯାତ୍ରା କରୁଥିବା ଗୋଟାଏ ଟ୍ରକ୍‌ର ତଲାସ କରିବାକୁ ନଗ୍ରୋତାର ବନ୍‌ ଅଞ୍ଚଳରେ ଥିବା ଏହି ଟୋଲ୍‌ ଗେଟ୍‌ ପାଖରେ ଭୋର୍‌ ପ୍ରାୟ ୫ଟା ବେଳେ ପୁଲିସ ଟିମ୍‌ ଅଟକାଇବାରୁ ଗୁଳିକାଣ୍ଡ ଘଟିଥିବା କଥା ଅଧିକାରୀମାନେ କହିଛନ୍ତି। ଗୁଳିଗୋଳା ଫୁଟିବାର ଶବ୍ଦ ଶୁଭିବାରୁ ପୁଲିସମାନେ ଘଟଣାସ୍ଥଳକୁ ଧାଇଁ ଯାଇଥିଲେ।

Image Source: ANI

୩/୪ଜଣ ଆତଙ୍କବାଦୀ ଶ୍ରୀନଗର ଯାଉଥିବା ବେଳେ ଟୋଲ୍‌ ପ୍ଲାଜା ନିକଟରେ ପୁଲିସ ଟିମ୍‌ ସେମାନଙ୍କୁ ଅଟକାଇଥିଲା ବୋଲି ପୁଲିସ ମହାନିର୍ଦେଶକ କହିଛନ୍ତି।

ଚମ୍ପଟ୍‌ ମାରିଥିବା ଆତଙ୍କବାଦୀମାନଙ୍କୁ ଖୋଜି ବାହାର କରିବାକୁ ବ୍ୟାପକ ତଲାସ ଅଭିଯାନ ଆରମ୍ଭ ହୋଇଛି।

କମ୍ବିଙ୍ଗ୍‌ ଅପରେସନ୍‌ ଅନୁଧ୍ୟାନ କରିବାକୁ ଘଟଣାସ୍ଥଳରେ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଅଛନ୍ତି। ଫଳରେ ଜମ୍ମୁ- ଶ୍ରୀନଗର ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ହୋଇଯାଇଛି।

ସମ୍ବନ୍ଧିତ ଖବର