ଆବାସ ଯୋଜନାରେ ଅଭିଯୋଗ ଗ୍ରହଣ ସମୟସୀମା ଆଉ ୭ ଦିନ ବଢ଼ିଲା

ସବୁ ବ୍ଲକ୍‌ ଓ ପଞ୍ଚାୟତରେ ରହିବ ଅଭିଯୋଗ ବାକ୍ସ

ଭୁବନେଶ୍ବର : ଆବାସ ଯୋଜନାରେ ଯୋଗ୍ୟ ଓ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ନେଇ କରାଯାଇଥିବା ଅଭିଯୋଗ ଗ୍ରହଣ ବ୍ୟବସ୍ଥାକୁ ଆଉ ୭ ଦିନ ବଢ଼ାଇ ଦିଆଯାଇଛି। ଏହା ୧୬ ତାରିଖରେ ଶେଷ ହେବାକୁ ଥିଲା ବେଳେ ନୂଆ ବିଜ୍ଞପ୍ତି ଅନୁଯାୟୀ ୨୨ ତାରିଖ ଯାଏ ଅଭିଯୋଗ ଗ୍ରହଣ କରାଯିବ। ଆଜି ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସମସ୍ତଙ୍କୁ ବିଡିଓଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି। ଏହି ସମୟସୀମାକୁ ଏକ ମାସ ପର୍ଯ୍ୟନ୍ତ ବଢ଼ାଇବାକୁ ଆଜି ବିଜେପି ପକ୍ଷରୁ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବଙ୍କ ନିକଟରେ ଦାବି କରାଯାଇଥିଲା।

ବିଭାଗ ପକ୍ଷରୁ ବିଡିଓମାନଙ୍କୁ ଆଜି ଲେଖାଯାଇଥିବା ଚିଠିରେ ଦର୍ଶାଯାଇଛି ଯେ ୨୨ ତାରିଖ ଯାଏ ସବୁ ପଞ୍ଚାୟତରେ ହିତାଧିକାରୀଙ୍କ ତାଲିକା ଲଗାଯିବ। ଏହା ସହ ବ୍ଲକ୍‌ ଓ ପଞ୍ଚାୟତ କାର୍ଯ୍ୟାଳୟରେ ଏକ ଅଭିଯୋଗ ବାକ୍ସ ରଖାଯିବ। ଯେଉଁ ଯୋଗ୍ୟ ହିତାଧିକାରୀ ତାଲିକାରୁ ବାଦ୍ ପଡ଼ିଛନ୍ତି, ସେମାନେ ନିଜ ଦାବିକୁ ଲିଖିତ ଆକାରରେ ଦେଇପାରିବେ। ସେହିପରି ଅଯୋଗ୍ୟ ହିତାଧିକାରୀମାନେ ତାଲିକାରୁ ବାଦ୍ ପଡ଼ିବା ପାଇଁ ନିଜ ଆଡ଼ୁ ଆବେଦନ କରିପାରିବେ। ନଚେତ ଯେ କୌଣସି ବ୍ୟକ୍ତି ଅଯୋଗ୍ୟ ହିତାଧିକାରୀଙ୍କ ସମ୍ପର୍କରେ ଏଠାରେ ଅଭିଯୋଗ କରିପାରିବ। ହିତାଧିକାରୀ ଚୟନରେ ସମ୍ପୂର୍ଣ୍ଣ ସ୍ବଚ୍ଛତା ଅବଲମ୍ବନ କରିବାକୁ ବିଡିଓମାନଙ୍କୁ କୁହାଯାଇଛି।

ପ୍ରଥମ ପର୍ଯ୍ୟାୟରେ ୧୦ରୁ ୧୬ ତାରିଖ ପର୍ଯ୍ୟନ୍ତ ଅଭିଯୋଗ ଗ୍ରହଣ କରାଯିବାର ବ୍ୟବସ୍ଥା‌ ହୋଇଥିଲା। କିନ୍ତୁ ବହୁ ଗ୍ରାମପଞ୍ଚାୟତରେ ଅଭିଯୋଗ ବାକ୍ସ ରଖାଯାଇ ନ ଥିବାର ଅଭିଯୋଗ ଆସିଥିଲା। ଆଜି ବିଜେପି ମଧ୍ୟ ଏହି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍‌ କରି ସାମ୍ବାଦିକ ସମ୍ମିଳନୀ କରିବା ସହ ବିଭାଗୀୟ ପ୍ରମୁଖ ସଚିବଙ୍କୁ ଦାବିପତ୍ର ପ୍ରଦାନ କରିଥିଲା।

ସମ୍ବନ୍ଧିତ ଖବର