ଡାରେନ୍‌ ସାମିଙ୍କୁ ପାକିସ୍ତାନର ସମ୍ମାନସୂଚକ ନାଗରିକତା

କରାଚୀ: ପାକିସ୍ତାନର ପୂର୍ବତନ ଅଧିନାୟକ ଡାରେନ୍‌ ସାମିଙ୍କୁ ପାକିସ୍ତାନ ସରକାର ସମ୍ମାନସୂଚକ ନାଗରିକତା ପ୍ରଦାନ କରିବ। ପାକିସ୍ତାନକୁ ଅନ୍ତର୍ଜାତୀୟ କ୍ରିକେଟ୍‌ ଫେରାଇ ଆଣିବାରେ ସାମି ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିବାରୁ ସାମିଙ୍କୁ ଏଭଳି ନାଗରିକତା ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସମ୍ପ୍ରତି ପାକିସ୍ତାନରେ ଚାଲିଥିବା ପଞ୍ଚମ ପାକିସ୍ତାନ ପ୍ରିମିୟର୍‌ ଲିଗ୍‌ (ପିଏସଏଲ୍‌)ରେ ସାମି ପେଶାୱାର ଜାଲମିର ନେତୃତ୍ବ ନେଉଛନ୍ତି। ସମ୍ମାନସୂଚକ ନାଗରିକତା ସହିତ ମାର୍ଚ ୨୩ ତାରିଖରେ ତାଙ୍କୁ ଦେଶର ସ‌ର୍ବୋଚ୍ଚ ବେସାମରିକ ସମ୍ମାନ ‘ନିଶାନ୍‌ ଇ ହାଇଦର’ ଉପାଧି ମଧ୍ୟ ରାଷ୍ଟ୍ରପତି ଆରିଫ୍‌ ଆଲଭି ପ୍ରଦାନ କରିବେ। ପାକିସ୍ତାନରେ ପିଏସ୍‌ଏଲ୍ ଆରମ୍ଭ ଦିନରୁ ସାମି ଖେଳି ଆସୁଛନ୍ତି। ଅଧିକାଂଶ ବିଦେଶୀ ଖେଳାଳି ପାକିସ୍ତାନ ଆସିବାକୁ ମନା କରି ଦେଉଥିବା ବେଳେ ସାମି ନିୟମିତ ଭାବେ ପିଏସ୍‌ଏଲ୍‌ରେ ଖେଳୁଛନ୍ତି। ଅନ୍ୟ କୌଣସି ଦେଶର ସମ୍ମାନସୂଚକ ନାଗରିକତା ପାଇବାରେ ସାମି ତୃତୀୟ ଅନ୍ତର୍ଜାତୀୟ କ୍ରିକେଟର୍‌ ହେବେ। ପୂର୍ବରୁ ଅଷ୍ଟ୍ରେଲିଆର ମାଥ୍ୟୁ ହେଡେନ୍‌ ଏବଂ ଦକ୍ଷିଣ ଆଫ୍ରିକାର ହରସେଲ୍ ଗିବ୍ସଙ୍କୁ ୨୦୦୭ ବିଶ୍ବକପ୍‌ ସମୟରେ ୱେଷ୍ଟଇଣ୍ଡିଜ୍‌ର ସେଣ୍ଟ୍ କିଟ୍ସ ସରକାର ମଧ୍ୟ ସମ୍ମାନସୂଚକ ନାଗରିକତା ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର