ବିଧାନସଭାର ଆସନ୍ତା ଅଧିବେଶନରେ ମଧୁସୂଦନ ଆଇନ୍‌ କଲେଜ ପାଇଁ ବିଲ୍‌ ଆସିବ

କଟକ: ମଧୁସୂଦନ ଆଇନ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ମିଳିବ। ଏଥିପାଇଁ ବିଧାନସଭାର ଆସନ୍ତା ଅଧିବେଶନରେ ସରକାର ବିଲ୍ ଆଣିବେ। ଆଜି ଏଭଳି ମନ୍ତବ୍ୟ ରଖିଛନ୍ତି ରାଜ୍ୟର ଆଇନମନ୍ତ୍ରୀ ପ୍ରତାପ ଜେନା। କଟକର ଶୈଳବାଳା ମହିଳା ମହାବିଦ୍ୟାଳୟ ଏବଂ ମଧୁସୂଦନ ଲ କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଁ ‘ସମ୍ବାଦ’ ପକ୍ଷରୁ ଲଗାତର ଭାବେ ପ୍ରସଙ୍ଗ ଉତଥାପନ ହେଉଥିବା ବେଳେ ଏ ସଂପର୍କରେ ଆଜି ପ୍ରଥମ ଥର ପାଇଁ ରାଜ୍ୟର ଆଇନ ମନ୍ତ୍ରୀ ମୁହଁ ଖୋଲିଛନ୍ତି। ମନ୍ତ୍ରୀ ତଥା ମାହାଙ୍ଗାର ବିଧାୟକ ପ୍ରତାପ ଜେନା କହିଛନ୍ତି ଯେ ମଧୁସୂଦନ ଆଇନ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟରେ ପରିଣତ କରିବା ପାଇଁ ବିଧାନସଭାରେ ବିଲ୍ ଗୃହୀତ ହେବା ଆବଶ୍ୟକ। ତେଣୁ ଏ ସଂପର୍କିତ ବିଲ୍ ଆସନ୍ତା ବିଧାନସଭା ଅଧିବେଶନରେ ଗୃହରେ ଉପସ୍ଥାପନ କରାଯିବ। ପୂର୍ବରୁ ସରକାର ଏହାକୁ ବିଶ୍ବବିଦ୍ୟାଳୟ କରିବା ପାଇଁ ଘୋଷଣା କରିଥିଲେ। କିନ୍ତୁ ତାହାକୁ କାର୍ଯ୍ୟକାରୀ କରିବା ପାଇଁ ବିଲ୍ ଗୃହୀତ ହେବା ଆବଶ୍ୟକ ଥିବାରୁ ଏ ଦିଗରେ ଏବେ ଆବଶ୍ୟକ ପଦକ୍ଷେପ ନିଆଯିବ। ମଧୁସୂଦନ ଆଇନ ମହାବିଦ୍ୟାଳୟ କଟକର, ରାଜ୍ୟର ଏମିତିକି ଦେଶର ଏକ ସ୍ବନାମଧନ୍ୟ ଶିକ୍ଷାନୁଷ୍ଠାନ। ଏହାର ବିକାଶ ପାଇଁ ସରକାର ବଦ୍ଧପରିକର। ନାରୀ ଶିକ୍ଷା କ୍ଷେତ୍ରରେ ପ୍ରମୁଖ ଅବଦାନ ରଖିଥିବା ଶୈଳବାଳା ମହିଳା ମହାବିଦ୍ୟାଳୟର ବିକାଶ ପାଇଁ ବି ସରକାର ଉଦ୍ୟମ କରୁଛନ୍ତି। କିନ୍ତୁ ବିଶ୍ବବିଦ୍ୟାଳୟ ଘୋଷଣା ପାଇଁ କି ପଦକ୍ଷେପ ନିଆଯାଇ ପାରିବ, ‌ସେ ସଂପର୍କରେ ନିଶ୍ଚିତ ଭାବେ ଉଦ୍ୟମ ହେବ।

ସୂଚନାଯୋଗ୍ୟ ଯେ ରାଜ୍ୟର ପ୍ରଥମ ମହିଳା ମହାବିଦ୍ୟାଳୟ ହେଉଛି କଟକର ଶୈଳବାଳା ମହିଳା ମହାବିଦ୍ୟାଳୟ। ରାଜ୍ୟର ପ୍ରଥମ ସ୍ବୀକୃତପ୍ରାପ୍ତ ଆଇନ କଲେଜ ହେଉଛି ମଧୁସୂଦନ ଆଇନ ମହାବିଦ୍ୟାଳୟ। ଦୁଇଟିଯାକ ଶିକ୍ଷାନୁଷ୍ଠାନ ରାଜ୍ୟର ତ ଗୌରବ, କଟକର ସ୍ବାଭିମାନ ସହ ଜଡ଼ିତ। ସ୍ବାଭିମାନୀ ଓଡ଼ିଆ ଭାବେ ସ୍ବତନ୍ତ୍ର ପରିଚୟ ହାସଲ କରିଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସ୍ମୃତି ସହ ଜଡ଼ିତ ଦୁଇଟିଯାକ ଶିକ୍ଷାନୁଷ୍ଠାନ। ଉତ୍କଳ ଗୌରବଙ୍କ ବାସଭବନ ଓ ତାକୁ ଲାଗି ରହିଥିବା ଜାଗାରେ ତାଙ୍କ ଝିଅଙ୍କ ନାମରେ ନାମିତ କଲେଜ ଶୈଳବାଳା ମହିଳା ମହାବିଦ୍ୟାଳୟ ଚାଲିଛି। ଆଉ ଉତ୍କଳ ଗୌରବଙ୍କ ନାମରେ ନାମିତ ହୋଇଛି ରାଜ୍ୟର ପ୍ରଥମ ଆଇନ ମହାବିଦ୍ୟାଳୟ। କିନ୍ତୁ କଟକର ଦୁଇଟିଯାକ ଶିକ୍ଷାନୁଷ୍ଠାନ ସତେ ଯେମିତି ସରକାରୀ ସୁ ନଜରରୁ ପଛକୁ ପଛକୁ ଠେଲି ହୋଇଯାଉଛି। ସାତ ପଛରେ ମୁଣ୍ଡ ଟେକିଥିବା ଶିକ୍ଷାନୁଷ୍ଠାନ ସ୍ବୟଂଶାସିତ, ବିଶ୍ବବିଦ୍ୟାଳୟ ଆଉ ଏକକ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇ ସାରିଥିବା ବେଳେ ଏ କ୍ଷେତ୍ରରେ ସଂପୂର୍ଣ୍ଣ ଅଣଦେଖା ହୋଇ ରହି ଯାଇଛନ୍ତି ଶୈଳବାଳା ମହିଳା ମହାବିଦ୍ୟାଳୟ ଓ ମଧୁସୂଦନ ଆଇନ ମହାବିଦ୍ୟାଳୟ। କଟକର ସ୍ବାଭିମାନ ସହ ଜଡିତ ଦୁଇଟିଯାକ ଶିକ୍ଷାନୁଷ୍ଠାନକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦେବାରେ ସରକାର କାହିଁକି କୁଣ୍ଠା ବୋଧ କରିବା ସହିତ କଟକୀଆଙ୍କ ସ୍ବାଭିମାନ ପ୍ରତି କୁଠାରଘାତ କରୁଛନ୍ତି, ତାହାକୁ ନେଇ ଦଳମତ ନିର୍ବିଶେଷରେ ଶିକ୍ଷାବିତ ଓ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି। ‘ସମ୍ବାଦରେ ଏ ପ୍ରସଙ୍ଗ ଲଗାତର ପ୍ରକାଶ ପାଇବା ପରେ ଏହା ଏକ ଆନ୍ଦୋଳନର ରୂପ ନେବାକୁ ବସିଛି। ଏଭଳି ସ୍ଥିତିରେ ମଧୁସୂଦନ ଆଇନ ମହାବିଦ୍ୟାଳୟ ଛାତ୍ର ସଂସଦର ପୂର୍ବତନ ସଭାପତି ତଥା ବର୍ତ୍ତମାନର ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ମନ୍ତବ୍ୟ ଯଦିଓ କିଛିଟା ଆଶା ସଂଚାର କରିଛି କିନ୍ତୁ ଦୁଇ ବର୍ଷ ହେଲା ଶୀତଳ ଭଣ୍ଡାରରେ ପଡ଼ିଥିବା ନିଷ୍ପତ୍ତି ବାସ୍ତବରେ କେବେ କାର୍ଯ୍ୟକାରୀ ହେବ, ତାହାକୁ ନେଇ ଆଶାଆଶଙ୍କା ଜାରି ରହିଛି।

ସମ୍ବନ୍ଧିତ ଖବର