ସର୍କଲ ଜେଲ୍‌ରେ କଏଦୀଙ୍କୁ ନିସ୍ତୁକ ମାଡ଼, ଗୁରୁତର ଅବସ୍ଥାରେ ଭିମ୍‌ସାରରେ ଭର୍ତ୍ତି

ସମ୍ବଲପୁର : ଏକ ହତ୍ୟା ମାମଲାରେ ସମ୍ବଲପୁର ମଣ୍ଡଳ କାରାଗାରରେ ଥିବା ଜଣେ କଏଦୀ ସମ୍ବଲପୁର ଦଳାଇପଡ଼ାର ଅବିନାଶ ବେହେରାଙ୍କୁ ୱାର୍ଡେନ୍‌ ସ୍ମୃତିରଞ୍ଜନ ନାଏକ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଅବିନାଶଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇ ପଚି ଯାଇଛି। ମାଡ଼ ଯୋଗୁଁ ଗୋଟିଏ ହାତ ମଧ୍ୟ ଭାଙ୍ଗି ଯାଇଛି। ଗୁରୁତର ଅବସ୍ଥାରେ ଜେଲ୍‌ କର୍ତ୍ତୃପକ୍ଷ ତାଙ୍କୁ ଉଦ୍ଧାର କରି ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଏହି ଘଟଣା ଜଣାପଡ଼ିବା ପରେ ୱାର୍ଡେନ୍‌ ସ୍ମୃତିରଞ୍ଜନ ନାଏକଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ଏକ କମିଟି ଗଠନ କରାଯାଇ ଘଟଣାର ତଦନ୍ତ ଚାଲିଛି। ସେପଟେ ସୋମବାରଠାରୁ ଜେଲ୍‌ର ସୌଭାଗ୍ୟ ରଞ୍ଜନ ବଳଙ୍କୁ ମଧ୍ୟ କଟକ ଜିଲ୍ଲା ଖୁଣ୍ଟୁଣି ଜେଲ୍‌କୁ ବଦଳି କରାଯାଇଛି। ସୂଚନା ମୁତାବକ, ସମ୍ବଲପୁର ମଣ୍ଡଳ କାରାଗାରରେ କଏଦୀଙ୍କ ପାଇଁ ମାଗଣା ଟେଲିଫୋନ୍‌ ବ୍ୟବସ୍ଥା ରହିଛି। କିଛି କଏଦୀଙ୍କଠାରୁ ଟଙ୍କା ନେଇ ଜେଲ୍‌ କର୍ତ୍ତୃପକ୍ଷ ଅଧିକ ଟେଲିଫୋନ୍‌ ସୁବିଧା ଯୋଗାଉଥିବା ନେଇ ଅବିନାଶ ଅଭିଯୋଗ ଆଣିଥିଲେ। ଏହି ଘଟଣାକୁ ନେଇ ଫୋନ୍‌ ଦାୟିତ୍ବରେ ଥିବା ୱାର୍ଡେନ୍‌ ସ୍ମୃତିରଞ୍ଜନଙ୍କର ସହ ଅବିନାଶଙ୍କର ଗତ ୭ ତାରିଖରେ ବଚସା ହୋଇଥିଲା। ସ୍ମୃତିରଞ୍ଜନ ରାଗି ଯାଇ ଅବିନାଶଙ୍କୁ ମାଡ଼ ମାରିଥିଲେ।

ସମ୍ବନ୍ଧିତ ଖବର