କରୋନା ଭୟ: ହିତାଧିକାରୀଙ୍କୁ ୪ ମାସର ଆଗୁଆ ଭତ୍ତା ତାଙ୍କ ଗାଁରେ ମିଳିବ

ସେବାଶ୍ରମ ବିଦ୍ୟାଳୟଗୁଡିକରେ କରୋନାର ପ୍ରଭାବ ଯେପରି ନ ପଡିବ ସେଥିପ୍ରତି ସୁରକ୍ଷା ବ୍ୟବସ୍ଥା କଡାକଡି କରିଲା ମଙ୍ଗଳ ବିଭାଗ

ନବରଙ୍ଗପୁର : କରୋନାକୁ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ପ୍ରସ୍ତୁତି କରିଛି। ଆଜି ଜିଲ୍ଲାପାଳ ଡଃ.ଅଜିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ କରୋନା ନେଇ ଭୟ ନକରିବା ପାଇଁ ପରାମର୍ଶ ଦେଇଥିଲେ। ପୂର୍ବରୁ ହାଡଫୁଟି ହେଲେ ଯେପରି ଭାବେ ୧୪ ଦିନ ପର୍ଯ୍ୟନ୍ତ ଅଲଗା ରଖାଯାଉଥିଲା ଏବେ ଏଥି ନେଇ କେବଳ ସଚେତନ ରହିଲେ ଏହାର ମୁକାବିଲା କରିପାରିବା ବୋଲି ଜିଲ୍ଳାପାଳ କହିଥିଲେ । ରାଜ୍ୟ ସରକାର ଜନସମାବେଶକୁ ସିମିତ ରଖିବା ପାଇଁ କଟକଣା ଜାରି କରିଛନ୍ତି। ତେଣୁ ଦିବ୍ୟାଙ୍ଗ ଓ ବାର୍ଦ୍ଧକ୍ୟ ଭତ୍ତା ୪ ମାସର ଆଗୁଆ ଦିଆଯିବ, ତାହା ବି ତାଙ୍କ ଗାଁରେ ଦିଆଯିବ। କେଉଁ ଗାଁରେ କେବେ ଦିଆଯିବ ସେ ନେଇ ପ୍ରତି ପଞ୍ଚାୟତରେ ଅନୁଷ୍ଠିତ ହେବାକୁ ଥିବା ପଞ୍ଚାୟତ ବୈଠକରେ ନିଷ୍ପତି ନିଆଯିବ।

ସେହିପରି ଭାବେ ଆଗାମୀ ୩ ମାସ ପାଇଁ ଆଗୁଆ ଚାଉଳ, ଗହମ ଓ କିରାସିନି ଯୋଗାଇ ଦିଆଯିବ। ଦେଶ ବାହାରୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି ନିଜକୁ ପଞ୍ଜିକୃତ କରିବା ସହିତ ନିଜ ଘରେ ୧୪ ଦିନ ପାଇଁ ସଙ୍ଗରୋଧ କରି ରହିବେ। ନିର୍ବାଚିତ ପ୍ରତିନିଧିମାନେ ଏ ସଂକ୍ରାନ୍ତରେ ଜଣାଇବେ। ଏଥି ପାଇଁ ପଞ୍ଜିକୃତ ବ୍ୟକ୍ତିଙ୍କୁ ୧୫ ହଜାର ଟଙ୍କାର ଆର୍ଥିକ ପ୍ରତ୍ସାହନ ଯୋଗାଇଦିଆଯିବ। ବାହାର ରାଜ୍ୟକୁ ଆସୁଥିବା ବ୍ୟକ୍ତିମାନେ ପଞ୍ଜିକୃତର ଆବଶ୍ୟକତା ନଥିଲେ ମଧ୍ୟ ସ୍ବେଚ୍ଛାରେ ନିଜ ଘର ମଧ୍ୟରେ ୧୪ ଦିନ ପର୍ଯ୍ୟନ୍ତ ଅଲଗା ରହିବା ପାଇଁ ପରାମର୍ଶ ଦେଇଥିଲେ । ସମସ୍ତ ଅଙ୍ଗନୱାଡି କେନ୍ଦ୍ରର ଶିଶୁମାନଙ୍କୁ ତାଙ୍କ ଘରେ ନେଇ ଶୁଖିଲା ଖାଦ୍ୟ ଦେବାର ବ୍ୟବସ୍ଥା କରିବେ। ୬୦ ବର୍ଷରୁ ଉର୍ଦ୍ଧ ବୟଷ୍କ ବ୍ୟକ୍ତିମାନେ ଯେପରି ବାହାରକୁ ନଯିବେ ସେଥି ପ୍ରତି ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଥିଲେ। ପ୍ରତି ପଞ୍ଚାୟତରେ ୫୦ ରୁ ୧ଶହ ଜଣ ରହିବା ଭଳି ଏକ ସୁରକ୍ଷିତ ଘର ରହିବ ଏଥିପାଇଁ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ୫ ଲକ୍ଷ ଟଙ୍କା ଅର୍ଥରାଶି ଅନୁମୋଦନ କରିଛନ୍ତି।

ସୁରକ୍ଷା ବ୍ୟବସ୍ଥା କଡାକଡି କରିଲା ମଙ୍ଗଳ ବିଭାଗ : ଜିଲ୍ଲାର ୪୨ ହଜାର ଅନ୍ତେବାସୀ ବିଦ୍ୟାଳୟରେ ରହିବେ, ଘରକୁ ଗଲେ ପୁଣି ଫେରିବେ ନାହିଁ, ୧୫ ତାରିଖ ପର୍ଯ୍ୟନ୍ତ ନାମଲେଖା ବନ୍ଦ

କରୋନାର ପ୍ରଭାବ ଯେପରି ସେବାଶ୍ରମ ବିଦ୍ୟାଳୟ ଗୁଡିକରେ ପଡିବ ନାହିଁ ସେଥିପ୍ରତି ମଙ୍ଗଳ ବିଭାଗ କଡା ପଦକ୍ଷେପ ନେଇଛି। ଜିଲ୍ଲାରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ୮୮ ଗୋଟି ସେବାଶ୍ରମ ବିଦ୍ୟାଳୟରେ ୨୮ ହଜାର ଅନ୍ତେବାସୀ ରହୁଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୧୪୭ ଗୋଟି ବିଦ୍ୟାଳୟରେ ୧୪ ହଜାର ଅନ୍ତେବାସୀ ରହୁଛନ୍ତି। ଅନୁସୂଚିତ ଜାତି ଓ ଜନଜାତି ବିଭାଗ କରୋନା ପାଇଁ ସେବାଶ୍ରମକୁ ବନ୍ଦ ନକରିବା ପାଇଁ ନିର୍ଦ୍ଦେଶ ଆସିଛି। ସେବାଶ୍ରମରେ ରହୁଥିବା ଅନ୍ତେବାସୀମାନଙ୍କୁ ଘରକୁ ଛଡାଯିବ ନାହିଁ। ଯେଉଁ ଛାତ୍ରଛାତ୍ରୀ ଘରକୁ ଯିବେ ସେମାନଙ୍କୁ ପୁଣି ଫେରସ୍ତ ରଖାଯିବ ନାହିଁ। ଛାତ୍ରାବାସକୁ ପ୍ରବେଶକୁ କଡାକଡି କରାଯାଇଛି। ସେବାଶ୍ରମକୁ କେବଳ ଷ୍ଟାଫମାନେ, ସ୍ବାସ୍ଥ୍ୟ ବିଭାଗ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ପ୍ରବେଶ କରିବେ। ତାହା ବି ସତର୍କତା ଅବଲମ୍ବନ କରାଯିବ। ଅନ୍ତେବାସୀଙ୍କ ପରିବାରବର୍ଗ ଛାତ୍ରଛାତ୍ରୀଙ୍କୁ ମିଶିବା ପାଇଁ ଆସିଲେ ଫାଟକ ନିକଟରେ ହିଁ ରହିବେ। ଛାତ୍ରଛାତ୍ରୀଙ୍କ ସହ କଥା ହେବା ବେଳେ ଦୂରତା ପାଳନ କରିବେ। କେବଳ ରୋଷେୟା ଓ ୱାର୍ଡେନ ହିଁ ଛାତ୍ରାବାସକୁ ପ୍ରବେଶ କରିବେ। ଅନ୍ତେବାସୀଙ୍କ ହାତ ଧୁଆ ଓ ପରିଷ୍କାର ପରିଛନ୍ନତା ପାଇଁ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ। ସମୁହ ପ୍ରାର୍ଥନା କରିବେ ନାହିଁ। ସେମାନଙ୍କ ନିର୍ଦ୍ଧିଷ୍ଟ କୋଠରୀ ମଧ୍ୟରେ ହିଁ ରହି ପ୍ରାର୍ଥନା ଓ ପାଠ ପଢ଼ିବେ। ପ୍ରତିଦିନର ବିବରଣୀ ଜିଲ୍ଲା ମଙ୍ଗଳ ବିଭାଗକୁ ସ୍କୁଲ କର୍ତ୍ତୃପକ୍ଷ ଜଣାଇବେ ବୋଲି ଜିଲ୍ଲା ମଙ୍ଗଳ ଅଧିକାରୀ ପବିତ୍ର ମୋହନ ପ୍ରଧାନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର