ଓଡ଼ିଶାରେ ଚତୁର୍ଥ କରୋନା ପଜିଟିଭ୍‌ ଚିହ୍ନଟ: ଯୁବକଙ୍କ ଘର ଭଦ୍ରକ, କିଛି ଦିନ ତଳେ ଦୁବାଇରୁ ଫେରିଥିଲେ

ଭୁବନେଶ୍ବର: ଓଡ଼ିଶାରେ ଆଉ ଜଣେ ବ୍ୟକ୍ତି ଆଜି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସ୍ବାସ୍ଥ୍ୟ ବିଭାଗ ଏ ନେଇ ଟ୍ବିଟ୍‌ କରି ସୂଚନା ଦେଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ଛୁଇଁଛି। ଭଦ୍ରକ ଜିଲ୍ଲାର ସଂପୃକ୍ତ ଯୁବକଙ୍କୁ ଏସ୍‌ସିବି ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରିବା ଲାଗି ଭଦ୍ରକ ଜିଲ୍ଲାପାଳଙ୍କୁ ସ୍ବାସ୍ଥ୍ୟ ସଚିବ ‌ନିକୁଞ୍ଜ ବିହାରୀ ଧଳ ପରାମର୍ଶ ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲାର ଜଣେ ୨୯ ବର୍ଷୀୟ ଯୁବକ ଜଣକ ଗତ ୧୮ ତାରିଖରେ ଦୁବାଇରୁ ଫେରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ବିଦେଶ ଫେରାନ୍ତାଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଥିବାରୁ ସେ ଏଥିରେ ପଂଜୀକରଣ ମଧ୍ୟ କରିଥିଲେ। ତେବେ ତାଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ଦେଖିବାକୁ ମିଳି ନ ଥିଲା। ମାତ୍ର ଆଜି ତାଙ୍କ ନମୁନା ପରୀକ୍ଷା ହେବା ପରେ ସେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ତେବେ ସଂପୃକ୍ତ ଯୁବକ ଜଣକ କେଉଁ କେଉଁ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହାର ଖୋଳତାଡ଼ ଆରମ୍ଭ ହୋଇଛି। କୁହାଯାଇଛି ଯେ, ସଂପୃକ୍ତ ଯୁବକଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ଦେଖିବାକୁ ମିଳିନଥିଲା। ତେଣୁ ଯେଉଁମାନେ ବିଦେଶରୁ ଫେରିଛନ୍ତି, ଅଥଚ ତାଙ୍କ ନିକଟରେ କୌଣସି କରୋନାର ଲକ୍ଷଣ ନାହିଁ ସେମାନେ ଆତ୍ମସନ୍ତୁଷ୍ଟ ହେବାଉଚିତ ନୁହେଁ। ତେଣୁ ସେମାନେ ୨ସପ୍ତାହ ପାଇଁ ସଙ୍ଗରୋଧ ବା କ୍ବାରାଣ୍ଟିନ୍‌ରେ ରହିବା ସହିତ ପରବର୍ତୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ନିଜ ସ୍ବାସ୍ଥ୍ୟର ତଦାରଖ କରିବା ଉଚିତ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ସଂପୃକ୍ତ ଯୁବକଙ୍କୁ ଏସ୍‌ସିବି ମେଡିକାଲ କଲେଜକୁ ସ୍ଥାନାନ୍ତର କରିବା ପାଇଁ ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ ଭଦ୍ରକ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛନ୍ତି। ଯାହାଫଳ‌ରେ ସଂପୃକ୍ତ ଯୁବକଙ୍କ ନିକଟ ସଂପର୍କୀୟଙ୍କୁ ସଙ୍ଗରୋଧ କରାଯିବା ସହିତ ନମୁନା ପରୀକ୍ଷା କରାଯାଇପାରିବ। ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ ଠାବ କରିବା ପାଇଁ ପ୍ରଚେଷ୍ଟା ଜାରି ରହିଛି। ଜାତୀୟ ସ୍ବାସ୍ଥ୍ୟ ମିସନ ନିର୍ଦେଶିକା ଏହାର ତଦାରଖ କରୁଛନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଯୁବକଙ୍କୁ ଏସ୍‌ସିବିରେ ଚିକିତ୍ସା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି କୁହାଯାଉଛି। ଶେଷ ଖବର ଅନୁଯାୟୀ ଭଦ୍ରକ ପୁଲିସ ଓ ପ୍ରଶାସନ ରାତିରେ ସଂପୃକ୍ତ ଯୁବକଙ୍କ ଘରେ ପହଞ୍ଚି ତାଙ୍କୁ ଏସ୍‌ସିବି‌ ଆଣିବା ବ୍ୟବସ୍ଥା କରୁଛି ଏବଂ ତାଙ୍କ ପରିବାରର ସଦସ୍ୟଙ୍କୁ ସଂଗରୋଧରେ ରହିବା ପାଇଁ ବ୍ୟବସ୍ଥା କରାଯାଉଛି।

ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ଭୁବନେଶ୍ବରର ୩ ଜଣ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ତେଣୁ ପ୍ରଥମ ବ୍ୟକ୍ତି ଭାବେ ଭୁବନେଶ୍ବର ବାହାରର ଜଣେ ବ୍ୟକ୍ତିଙ୍କ ଦେହରେ କରୋନା ଭୂତାଣୁ ମିଳିଥିବାରୁ ଏହା ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଅନ୍ୟପକ୍ଷରେ ରାଜ୍ୟରେ ଆଜି ୧୩୭ଟି ନମୁନା ପରୀକ୍ଷା କରାଯାଇଥିଲା। ତହିଁରୁ ଆର୍‌ଏମ୍‌ଆରସିରେ ୧୧୯ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ସମସ୍ତ ନମୁନା ନେଗେଟିଭ୍ ରହିଥିଲା। ସେହିପରି ଆଜିଠାରୁ ଏସ୍‌ସିବି ମେଡିକାଲ କଲେଜରେ ନମୁନା ପରୀକ୍ଷା ଆରମ୍ଭ ହୋଇଥିବା ବେ‌ଳେ ୩ଟି ନମୁନାର ସମସ୍ତ ନମୁନା ନେଗେଟିଭ୍ ରହିଛି। ତେବେ ଏମ୍‌ସ ଭୁବନେଶ୍ବରରେ ୧୫ଟି ନମୁନା ପରୀକ୍ଷା ହୋଇଥିବା ବେଳେ ଗୋଟିଏ ନମୁନା ପଜିଟିଭ୍ ରହିଥିବା ସ୍ବାସ୍ଥ୍ୟ ବିଭାଗ ଦର୍ଶାଇଛି। ସେହିପରି ଆର୍‌ଏମ୍‌ଆର୍‌ସି ୧୧୯ ଏବଂ ଏସ୍‌ସିବିରେ ୩ ଜଣଙ୍କର ପରୀକ୍ଷା ହୋଇଥିଲା। ସବୁ ଯାକ ନେଗେଟିଭ୍‌ ଆସିଛି।

ସମ୍ବନ୍ଧିତ ଖବର