ସୁରତ ଓଡ଼ିଆ ଶ୍ରମିକଙ୍କ ଦାୟିତ୍ବ ନେଲା ପ୍ରଶାସନ: ୩୪ ମେସ୍‌ର ୮ ହଜାର ଅନ୍ତେବାସୀଙ୍କୁ ୧୬ରୁ ରନ୍ଧାଖାଦ୍ୟ

ବ୍ରହ୍ମପୁର: ଲକ୍‌ଡାଉନ ପରେ ଗୁଜରାଟର ସୁରତ ଜିଲ୍ଲା ଡାଇମଣ୍ଡ୍‌ନଗର ସୂତାକଳଗୁଡ଼ିକରେ କମଧନ୍ଦା ହରାଇଥିବା ହଜାର ହଜାର ଓଡ଼ିଆ ଶ୍ରମିକ ରାଜରାସ୍ତାକୁ ଓହ୍ଲାଇଥିଲେ। ଆନ୍ଦୋଳନ ସହ ପୋଡ଼ାଜଳା କରିଥିଲେ। ଏହି ଘଟଣାର ୩ଦିନ ପରେ ବି ସେଠା ପ୍ରଶାସନ ପକ୍ଷରୁ ଖାଦ୍ୟ ଯୋଗାଣ ବ୍ୟବସ୍ଥା ହୋଇ ନ ଥିଲା। ଆଜି ପ୍ରଶାସନ ନିଷ୍ପତ୍ତି ନେଇଛି, ଡାଇମଣ୍ଡ୍‌ ନଗରରେ ଥିବା ୩୪ଟି ମେସ୍‌ର ୮ହଜାର ଶ୍ରମିକଙ୍କ ପାଇଁ ଆସନ୍ତା ୧୬ ତାରିଖରୁ ରନ୍ଧାଖାଦ୍ୟ ବ୍ୟବସ୍ଥା ହେବ। ପ୍ରଶାସନ ପକ୍ଷରୁ ଆବଶ୍ୟକ ସମସ୍ତ ରୋଷେଇ ସାମଗ୍ରୀ ଯୋଗାଇ ଦିଆଯାଇଛି। ମେସ୍‌ ମାଲିକଙ୍କ ସହ ଆଲୋଚନା କରି ପ୍ରଶାସନ ରନ୍ଧ୍ୟାଖାଦ୍ୟ ଯୋଗାଣ ନିଷ୍ପତ୍ତି ନେଇଛି। ଡାଲି, ଚାଉଳ, ରାସନ୍‌ ସାମଗ୍ରୀ ଓ ଗ୍ୟାସ ଆଦି ଯୋଗଇ ଦିଆଯାଇଛି। ରୋଷେଇ ଆରମ୍ଭ ହେବା ଦିନଠାରୁ ଡାଇମଣ୍ଡ୍‌ନଗର ଅଞ୍ଚଳର ସେଠ୍‌ ମାନେ ପରିବା ଯୋଗାଇବେ। ସେମାନଙ୍କୁ ପ୍ରଶାସନ ଏହି ଦାୟିତ୍ବ ଦେଇଥିବା ପୁରୀ ଗୋପ ଅଞ୍ଚଳର ମୂଳ ବାସିନ୍ଦା ତଥା ସୁରତ୍‌ ଓଡ଼ିଆ ଶ୍ରମିକ କଲ୍ୟାଣ ସଂଗଠନର ଉପ ସଭାପତି ଭାଗୀରଥି ବେହେରା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗତକାଲି ସୁରତ୍‌ ଜିଲ୍ଲା ପ୍ରଶାସନ ପକ୍ଷରୁ ମେସ୍‌ ମାଲିକ, ‌ଡାଇମଣ୍ଡ୍‌ନଗର ଅଞ୍ଚଳର ସେଠ୍‌ ଓ ପ୍ରଶାସନ ମଧ୍ୟରେ ଗତକାଲି ସନ୍ଧ୍ୟାରେ ବୈଠକ ହୋଇଥିଲା। ବୈଠକରେ ମେସ୍‌ ଅନ୍ତେବାସୀଙ୍କ ପାଇଁ ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ନେଇ ସବୁ କିଛି ଚୂଡ଼ାନ୍ତ ହୋଇଥିଲା।

ଡାଇମଣ୍ଡ୍‌ନଗର ଅଞ୍ଚଳରେ ୨୦ରୁ ୩୦ ହଜାର‌ ଶ୍ରମିକ ରହୁଛନ୍ତି। ମେସ୍‌ ଅନ୍ତେବାସୀଙ୍କୁ ବାଦ୍‌ ଦେଲେ ବାକି ଲୋକଙ୍କ ପାଇଁ ଡାଇମଣ୍ଡ୍‌ନଗର ଅଞ୍ଚଳର ୩ଟି ସ୍ଥାନରେ ସୁରତ ଜିଲ୍ଲା ପ୍ରଶାସନ ପକ୍ଷରୁ ରନ୍ଧାଖାଦ୍ୟ ଦେବା ଆରମ୍ଭ କରିଛି। ଜଲାରାମ ମନ୍ଦିର, ଠାକୁର ଦ୍ବାର ଫାର୍ମ ହାଉସ୍‌, ଲସ୍‌କଣା ସ୍ଥିତ ରାମ୍‌ଜୀ ମନ୍ଦିରଠାରେ ‌ରୋଷେଇ ଆରମ୍ଭ ହୋଇଛି। ‌ସେଠାରେ ଯିଏ ଚାହିଁବେ ଖାଇପାରିବେ। ଅନ୍ୟପକ୍ଷରେ ଯେଉଁମାନଙ୍କ ରାସନ୍‌ କାର୍ଡ଼ ଅଛି ସେମାନଙ୍କୁ ପ୍ରଶାସନ ଚାଉଳ, ଡାଲି ଓ ରାସନ୍‌ ଆଦି ଶୁଖିଲା ଖାଦ୍ୟ ପଦାର୍ଥର କିଟ୍‌ ଦେଉଛି। ଯେଉଁମାନଙ୍କ ରାସନ୍‌ କାର୍ଡ଼ ନାହିଁ ସେମାନେ ଆଧାର କାର୍ଡ଼ ଦେଖାଇଲେ କିଟ୍‌ ଦିଆଯିବା ବ୍ୟବସ୍ଥା ହୋଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର