କାଜୁତୋଟା ବିବାଦରୁ ରକ୍ତାକ୍ତ ସଂଘର୍ଷ : ‌ବୋମାମାଡ଼ରେ ଜଣେ ଲିଜ୍‌ଧାରୀ ମୃତ, ୨ ଆହତ

ବେଗୁନିଆପଡ଼ା/କୋଦଳା : ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ କ଼ୁମାରୀପାରି ନିକଟ ୧ ନମ୍ବର କାଜୁ ତୋଟାକୁ କେନ୍ଦ୍ରକରି ପୁଣି ଘଟିଛି ସଂଘର୍ଷ। ଆଜି ସକାଳେ ଲିଜ୍‌ଧାରୀଙ୍କ ପକ୍ଷରୁ ଶ୍ରମିକ ଲଗାଇ କାଜୁ ସଂଗ୍ରହ ଚାଲିଥିବାବେଳେ ସେମାନଙ୍କ ଉପରକୁ ଅଣ ଲିଜ୍‌ଧାରୀମାନେ ଅତର୍କିତ ବୋମାମାଡ଼ କରିଥିଲେ। ଏଥିରେ ଗୁଞ୍ଜବାଳା ଗ୍ରାମର ପ୍ରଭାକର ବିଶ୍ଵାଳ(୪୫)ଙ୍କ ମୃତ୍ୟୁ ଘଟିଛି। କାଜୁ ସଂଗ୍ରହ କରୁଥିବା ତାଳସର ନିକଟ ବିରିପୁର ସାହିର ଅଶୋକ ରାଉତ ଗୁରୁତର ଓ ସନିଆ ଜେନା ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କୁ ବହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରାଏ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। କୋଦଳା ପୁଲିସ ଏହି ଘଟଣାର ତଦନ୍ତ କରୁଛି।

ସୂଚନା ଅନୁଯାୟୀ, ବେଗୁନିଆପଡ଼ା ବ୍ଲକ ଅର୍ନ୍ତଗତ କୁମାରୀପାରି ଗ୍ରାମ ନିକଟରେ ରହିଛି କୁମାରୀପାରି-୧ ନମ୍ବର କାଜୁ ତୋଟା। ଏହି ତୋଟାକୁ ସୁମଣ୍ଡଳ ଗ୍ରାମର ରାଜେନ୍ଦ୍ର ପାତ୍ର ଓଡ଼ିଶା ବନ ଉନ୍ନୟନ ନିଗମରୁ ୩ ବର୍ଷିଆ ଲିଜ୍‌ ସୂତ୍ରରେ ୧୧ଲକ୍ଷ ଟଙ୍କା ବିନିମୟରେ ନେଇଥିଲେ। ପରବର୍ତ୍ତୀ ସମୟରେ ରାଜେନ୍ଦ୍ରଙ୍କ ଠାରୁ ପାୱାର ଅଫ୍‌ ଆଟର୍ଣ୍ଣି ବଳରେ ତାଳଗାଁର ଅକ୍ଷୟ କୁମାର ବେହେରା ସବ୍‌ଲିଜ୍‌ ନେଇଥିଲେ। କିନ୍ତୁ ଜଙ୍ଗଲ ଜମି ଅଧିକାର ଦର୍ଶାଇ କିଛି ଆଦିବାସୀ ଓ ହରିଜନ ଲୋକ ଏହାକୁ ବିରୋଧ କରି ଆସୁଥିଲେ। ସ୍ଥାନୀୟ ଖିଡ଼ିଙ୍ଗି, କେଶରପୁର, ସିଦ୍ଧିପଲ୍ଲୀ, ହରିପୁର ହରିଜନ ସାହି ଓ ଭାବିନିପୁର ହରିଜନ ସାହି ଆଦି ଅଞ୍ଚଳର ଲୋକମାନେ ମେଳି ହୋଇ ଜବରଦସ୍ତ ଉକ୍ତ କାଜୁ ଜଙ୍ଗଲରୁ କାଜୁ ସଂଗ୍ରହ କରୁଥିଲେ। ଆଦିବାସୀ ଓ ହରିଜନଙ୍କ ଜଙ୍ଗଲ ଜମି ଅଧିକାର ଦାବି କରି ଉକ୍ତ ଗ୍ରାମବାସୀମାନେ କାଜୁ ସଂଗ୍ରହ କରିବାରୁ ଲିଜ୍‌ଧାରୀ ଏବଂ ଆଦିବାସୀ ମୁହାଁମୁହିଁ ହୋଇଥିଲେ। ଗତ ୧୦ ଦିନ ପୂର୍ବେ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ଘଟି ୩ ଜଣ ଆହତ ହୋଇଥିଲେ ବି ଥାନାରେ କୌଣସି ଏତଲା ହୋଇ ନଥିଲା। କିନ୍ତୁ ଆଦିବାସୀଙ୍କ ଏଭଳି କାର୍ଯ୍ୟକଳାପ ସଂକ୍ରାନ୍ତରେ ଅକ୍ଷୟ କୁମାର ବେହେରା କୋଦଳା ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କୋଦଳା ତହସିଲଦାର ଗତ ୧୭ ତାରିଖରେ ଗଞ୍ଜାମ ଏସ୍‌ପି, ବ୍ରହ୍ମପୁର ଡିଏଫ୍‌ଓ, ପୁରୁଷୋତ୍ତମପୁର ଏସ୍‌ଡ଼ିପିଓ ଓ ବେଗୁନିଆପଡ଼ା ଫାଣ୍ଡି ଅଧିକାରୀଙ୍କୁ ଚିଠି ଲେଖି ଏ ଦିଗରେ ପଦକ୍ଷେପ ନେବାକୁ ଦୃଷ୍ଟି ଆକର୍ଷଣ କରିଥିଲେ। ଘଟଣା ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଥିଲା।

କିନ୍ତୁ ଆଜି ସକାଳେ ଲିଜ୍ ଧାରୀଙ୍କ ପକ୍ଷରୁ ୧୦ ରୁ ୧୫ଜଣ ଲୋକ କାଜୁ ସଂଗ୍ରହ କରୁଥିବାବେଳେ ଶତାଧିକ ଅଣ ଲିଜଧାରୀ ଲୋକ ଅତର୍କିତ ଆକ୍ରମଣ କରି ଦେଇଥିଲେ। ଲିଜ୍‌ଧାରୀଙ୍କ ଉପରକୁ ଅତର୍କିତ ବୋମାମାଡ଼ କରିଥିଲେ। ୩ରୁ ୪ଟି ଶକ୍ତିଶାଳୀ ବୋମା ମାଡ଼ ହୋଇଥିବା କୁହାଯାଉଛି। ଏଥିରେ ପ୍ରଭାକର ବିଶ୍ଵାଳ, ଅଶୋକ ଗୁରୁତର ଆହତ ହୋଇଥିବା ବେଳେ ସନିଆ ଜେନା ସାମାନ୍ୟ ଆହତ ହୋଇଥିଲେ। ସଙ୍ଗେ ସଙ୍ଗେ ଲିଜଧାରୀ ଗୁରୁତର ପ୍ରଭାକର ଓ ଅଶୋକଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ପ୍ରଭାକରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଆହତ ଅଶୋକଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ପାଇ କୋଦଳା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ଭାଇ ନୀଳାଞ୍ଚଳ ବିଶ୍ବାଳ କୋଦଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ମାମଲା ରୁଜୁ ହୋଇନାହିଁ। ଅନ୍ୟପକ୍ଷରେ ପୁଲିସ ମୃତକଙ୍କ ଶବକୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିବା ଜଣାପଡ଼ିଛି। ପୁରୁଷୋତ୍ତମପୁର ଏସ୍‌ଡିପିଓ ସୀମା ସ୍ଵାଇଁ, କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି, କୋଦଳା ତହସିଲଦାର ପ୍ରଭାତ କୁମାର ପରିଡ଼ା, ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ଘଟଣାସ୍ଥଳରେ ତଦନ୍ତ ଚଳାଇଛନ୍ତି।

ସମ୍ବନ୍ଧିତ ଖବର