ସଙ୍ଗରୋଧ କେନ୍ଦ୍ରରେ ରହିବାକୁ ରାଜି ହେଲେନି ବୋଲି ମହିଳାଙ୍କୁ ଛେଣ୍ଡିପଦା ବିଡିଓଙ୍କ ଦୁର୍ବ୍ୟବହାର ଅଭିଯୋଗ

ଛେଣ୍ଡିପଦା : ପ୍ରବାସୀ ଓଡ଼ିଆଙ୍କୁ ବାଳିଆପାଳ ବିଡିଓଙ୍କ ଦୁର୍ବ୍ୟବହାରର ଭିଡିଓ ଭାଇରାଲ ଘଟଣାକୁ ନେଇ ଚର୍ଚ୍ଚା ଥମି ନଥିବାବେଳେ ଅନୁଗୁଳ ଜିଲ୍ଲା ପୁଣି ଏକ ଏଭଳି ଏକ ଘଟଣାର ପୁନରାବୃତ୍ତି ଘଟିଛି। ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ସଙ୍ଗରୋଧ କେନ୍ଦ୍ରରେ ରହିବାକୁ ମନା କରିବାରୁ ଛେଣ୍ଡିପଦା ବିଡ଼ିଓ ସୁନୀଲ କୁମାର କେର୍କେଟା ସେମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ଆସିିଛି। ଏହି ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବରରୁ ଜଣେ ଯୁବକ, ଜଣେ ମହିଳା ଓ ୩ ଜଣ ଯୁବତୀ ଛେଣ୍ଡିପଦା ବ୍ଲକ୍‌ ବରପଦା ସଙ୍ଗରୋଧ କେନ୍ଦ୍ରରେ ପହଞ୍ଚିଥିଲେ। ସେମାନେ ରାତି ୯ଟାରୁ ୧୦ଟା ମଧ୍ୟରେ ଛେଣ୍ଡିପଦା ବ୍ଲକ୍‌ ବରପଦା ସଙ୍ଗରୋଧ କେନ୍ଦ୍ରରେ ପହଞ୍ଚିବାର ଥିଲା। ବିଡିଓ ସୁନୀଲ କୁମାର କେର୍କେଟା ଓ ସଙ୍ଗରୋଧ କେନ୍ଦ୍ର ନୋଡାଲ ଅଧିକାରୀ ପ୍ରମୁଖ ସେମାନଙ୍କ ଅପେକ୍ଷାରେ ଥିଲେ। ମାତ୍ର ସେମାନଙ୍କର ଆସିବାରେ ବିଳମ୍ବ ହୋଇଥିଲା। ଗତକାଲି ରାତି ସାଢ଼େ ୩ ଟାବେଳେ ଏହି ୫ଜଣ ବରପଦା ସଙ୍ଗରୋଧ କେନ୍ଦ୍ରରେ ପହଞ୍ଚିଥିଲେ। ନାମ ପଞ୍ଜୀକରଣ କରି ଏହି ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ମହିଳାଙ୍କ ସହ ରହିବାକୁ ବିଡିଓ ଶ୍ରୀ କେ‌ର୍କେଟା ସେମାନଙ୍କୁ କହିଥିଲେ। ଉକ୍ତ ୫ ଜଣଙ୍କ ଘର ବଅଁରପାଳ ବ୍ଲକ ବଳରାମପ୍ରସାଦ ପଞ୍ଚାୟତ ବଉଳିଗଡ଼ ଗାଁରେ। ତେଣୁ ବରପଦା ସଙ୍ଗରୋଧ କେନ୍ଦ୍ରରେ ରହିବାକୁ ଯୁବତୀମାନେ ରାଜି ହୋଇନଥିଲେ। ଏଥିରେ ବିଡିଓ ଶ୍ରୀ କେର୍କେଟା ରାଗି ଯାଇ ‘ଧନ୍ଦା ଚଲେଇଛ! ଏଇଠି ରହିବାକୁ ବାଧ୍ୟ’ ବୋଲି ସେମାନଙ୍କୁ କହିଥିଲେ। ଏଭଳି ସ୍ଥିତିରେ ଯୁବତୀମାନେ ନିଜ ପରିବାର ସଦସ୍ୟ ଓ ସରପଞ୍ଚଙ୍କୁ ଜଣାଇଥିଲେ। ବଳରାମପ୍ରସାଦ ସରପଞ୍ଚ ବରପଦାକୁ ଆସି ପ୍ରଶାସନର ଲିଖିତ ଅନୁମତି ନେଇ ଆଜି ଦିନ ସାଢ଼େ ୧୨ ଟାବେଳେ ଉକ୍ତ ଯୁବତୀଙ୍କୁ ନିଜ ଅଞ୍ଚଳକୁ ନେଇଛନ୍ତି । ଏ ସମ୍ପର୍କରେ ବିଡିଓ ଶ୍ରୀ କେର୍କେଟାଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ‘ବରପଦା ସଙ୍ଗରୋଧ କେନ୍ଦ୍ରରେ ଜଣେ ମହିଳା ରହୁଥିବାରୁ ଯୁବତୀମାନଙ୍କୁ ସେଠାରେ ରହିବାକୁ ପରାମର୍ଶ ଦିଆଗଲା। କିନ୍ତୁ ସେମାନେ ନରହି ଅଯଥା ଯୁକ୍ତିତର୍କ କରିବାରୁ ଏଭଳି ବ୍ୟବହାର କରିଛି।’

ସମ୍ବନ୍ଧିତ ଖବର