ଖୋର୍ଧା ଜିଲ୍ଲାରେ ମାଟ୍ରିକ୍ ଖାତା ଦେଖା ଆଜିଠୁ, ୩ଟି କେନ୍ଦ୍ରରେ ୪୦୦ ମୂଲ୍ୟାୟନକାରୀ
400 evaluators in 3 centers
ଭୁବନେଶ୍ବର: ମଙ୍ଗଳବାରଠାରୁ ମାଟ୍ରିକ୍ ଖାତା ମୂଲ୍ୟାୟନ। ଏଥିପାଇଁ ଖୋର୍ଧା ଜିଲ୍ଲା ଶିକ୍ଷା ଅଧିକାରଙ୍କ ଅଧୀନରେ ଥିବା ୩ଟି ଯାକ ମୂଲ୍ୟାୟନ କେନ୍ଦ୍ରରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। କେଉଁ କେନ୍ଦ୍ରରେ କେତେ ମୂଲ୍ୟାୟନକାରୀ ଖାତା ଦେଖିବେ ତାହାର ତାଲିକା ବି ପ୍ରସ୍ତୁତ ହୋଇଛି। ଭୁବନେଶ୍ବରସ୍ଥିତ କ୍ୟାପିଟାଲ ହାଇସ୍କୁଲ ଓ ଖୋର୍ଧାସ୍ଥିତ ବିଜେବି ହାଇସ୍କୁଲରେ ମାଟ୍ରିକ ଖାତା ମୂଲ୍ୟାୟନ କେନ୍ଦ୍ର ହୋଇଥିବା ବେଳେ ଖୋର୍ଧା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏସ୍ଓଏସ୍ସି ପରୀକ୍ଷାର୍ଥୀଙ୍କ ଖାତା ମୂଲ୍ୟାୟନ କରାଯିବ। ଖାତା ମୂଲ୍ୟାୟନରେ ପ୍ରାୟ ୪୦୦ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ରହିବେ। ଏଥିସହ ପ୍ରାୟ ୩୦୦ ଶିକ୍ଷକ ଶିକ୍ଷୟିତ୍ରୀ ୱେଟିଂ ଲିଷ୍ଟରେ ରହିଛନ୍ତି। ଆବଶ୍ୟକ ହେଲେ ସେମାନଙ୍କୁ ମୂଲ୍ୟାୟନ କେନ୍ଦ୍ରକୁ ଡକାଯିବ। ପ୍ରତି ମୂଲ୍ୟାୟନ ଟେବୁଲ୍ରେ ଜଣେ ମୁଖ୍ୟ ମୂଲ୍ୟାୟନକାରୀ, ଦୁଇ ଜଣ ଉପ ମୁଖ୍ୟ ମୂଲ୍ୟାୟନକାରୀଙ୍କ ସମେତ ୧୦ ଜଣ ସହକାରୀ ମୂଲ୍ୟାୟନକାରୀ ରହିବେ। ତେବେ ମୁଖ୍ୟ ମୂଲ୍ୟାୟନକାରୀ ଚୟନରେ ବରିଷ୍ଠଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି। ବରିଷ୍ଠ ଶିକ୍ଷକଙ୍କ ବଦଳରେ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମୁଖ୍ୟ ମୂଲ୍ୟାୟନକାରୀ କରାଯାଇଥିବାରୁ କେତେଜଣ ଶିକ୍ଷକ ଶିକ୍ଷୟିତ୍ରୀ ମୂଲ୍ୟାୟନ ପ୍ରକ୍ରିୟାରୁ ଦୂରେଇ ରହିଥିବା ସୂଚନା ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଖାତା ମୂଲ୍ୟାୟନ ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର୍(ଏସ୍ଓପି) ପାଳନ କରିବାକୁ ନିର୍ଦେଶ ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଇଂରାଜୀ, ଗଣିତ, ଭୂଗୋଳ, ଇତିହାସ ବିଷୟର ଖାତା ମୂଲ୍ୟାୟନ ହେବ। କ୍ୟାପିଟାଲ ହାଇସ୍କୁଲ ମୂଲ୍ୟାୟନ କେନ୍ଦ୍ରକୁ ୮୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଡକାଯାଇଛି। ଏହାବ୍ୟତୀତ ଇଂରାଜୀ ପାଇଁ ୯୮, ଗଣିତ ପାଇଁ ୬୯, ଏସ୍ଏସ୍ଜି ପାଇଁ ୪୫, ଏସ୍ଏସ୍ଏଚ୍ ପାଇଁ ୫୨ ଜଣ ଶିକ୍ଷକଙ୍କୁ ୱେଟିଂ ତାଲିକାରେ ରଖାଯାଇଛି। ଏହି କେନ୍ଦ୍ର ସହ ବାଲିଅନ୍ତାର ୧୯, ବାଲିପାଟଣାର ୨୫, ବାଣପୁରର ୧୭, ଭୁବନେଶ୍ବର ବ୍ଲକର ୨୨, ଭୁବନେଶ୍ବର ମହାନଗର ନିଗମର ୮୪ ଓ ବାଣପୁର ଏସ୍ଏସ୍ସିର ୪ଟି ସ୍କୁଲକୁ ଟ୍ୟାଗ୍ କରାଯାଇଛି। ସେହିପରି ବିଜେବି ହାଇସ୍କୁଲ ମୂଲ୍ୟାୟନ କେନ୍ଦ୍ରକୁ ୫୯ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଖାତା ଦେଖିବା ଲାଗି ଡକାଯାଇଥିବା ବେଳେ ୫ ଜଣ ୱେଟିଂ ତାଲିକାରେ ରହିଛନ୍ତି। ଏହି କେନ୍ଦ୍ର ସହ ବୋଲଗଡ଼ର ୨୯, ଜଟଣୀର ୧୮, ଖୋର୍ଧାର ୩୪, ଖୋର୍ଧା ମ୍ୟୁନିସିପାଲଟିର ୭ ଓ ବାଲୁଗାଁ ଏନ୍ଏସିର ୨ଟି ସ୍କୁଲ ଟ୍ୟାଗ୍ ହୋଇଛି।
ପ୍ରଥମ ଦିନ ନାମ ପଞ୍ଜୀକରଣ ସମୟରେ ମୂଲ୍ୟାୟନକାରୀ ସମ୍ପୂର୍ଣ୍ଣ ଠିକଣା, ଯୋଗାଯୋଗ ନମ୍ବର ଆଦି ଦେବେ। ମୂଲ୍ୟାୟନକାରୀଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରରାଯାଇଛି। ପ୍ରତିଦିନ ମୂଲ୍ୟାୟନ କେନ୍ଦ୍ରକୁ ପ୍ରବେଶ ପୂର୍ବରୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ ହେବ। ହାତ ଧୋଇବା ପାଇଁ ସାବୁନ ଓ ପାଣିର ବ୍ୟବସ୍ଥା, ମୂଲ୍ୟାୟନ କେନ୍ଦ୍ର ପ୍ରବେଶ ପଥରେ ସାନିଟାଇଜର ରଖିବାକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି। ସକାଳ ୯ଟାରୁ ଅପରାହ୍ଣ ୩ଟା ମଧ୍ୟରେ ଖାତା ଦେଖା ହେବ। ରବିବାର ଓ ଛୁଟି ଦିନରେ ବି ମୂଲ୍ୟାୟନ କରାଯିବ। ଅପରାହ୍ଣ ୩ଟା ପରେ ମୂଲ୍ୟାୟନକାରୀ କେନ୍ଦ୍ର ଛାଡ଼ିବେ। ଗୋଟିଏ ଆଇସୋଲେସନ୍ ରୁମ୍ ଖୋଲାଯାଇଛି। ଯଦି କୌଣସି ମୂଲ୍ୟାୟନକାରୀ ଅସୁସ୍ଥ ଅନୁଭବ କରନ୍ତି, ତେବେ ତାଙ୍କୁ କାର୍ଯ୍ୟରୁ ମୁକ୍ତ କରାଯିବ। ପ୍ରତିଦିନ ମୂଲ୍ୟାୟନ ସରିବା ପରେ ମୂଲ୍ୟାୟନକାରୀ ଉତ୍ତର ଖାତାଗୁଡ଼ିକ ଦାଖଲ କରି ଯିବେ, ଫଳରେ ସେହିଦିନ ହିଁ ମାର୍କ ଚଢ଼ାଯାଇ ପାରିବ। ଜିଲ୍ଲା ଶିକ୍ଷା ଅଧିକାରୀମାନେ ସମସ୍ତ ମୂଲ୍ୟାୟନ ପ୍ରକ୍ରିୟାର ତଦାରଖ କରିବେ। ମୂଲ୍ୟାୟନ ସରିବା ପରେ କେନ୍ଦ୍ରର ବିଶୋଧନ କରାଯିବ।