ଭଦ୍ରକ: କରୋନା ଭାଇରସ ପାଇଁ ସାରା ଦେଶ ଲକଡାଉନ ଥିବା ବେଳେ ଭଦ୍ରକ ବ୍ଲକ ଅନ୍ତର୍ଗତ କୁଡବରୁଆଁ ପଂଚାୟତର ସରପଂଚ ପଲ୍ଲିସଭା ଡାକିବାକୁ ନେଇ ଆଜି ସକାଳେ ଦୁଇଟି ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ୩ଜଣ ଆହାତ ହୋଇଛନ୍ତିି ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରାପ୍ତ ଖବର ଅନୁସାରେ ଆଜି ସକାଳୁ କୋଡବରୁଆ ପଂଚାୟତର କୋଡଗମ୍ଭିର ଗ୍ରାମରେ ପଂଚାୟତ ସଂପାଦକ ତାପସ କୁମାର ଦାସ ସରପଂଚ କାଳନ୍ଦୀ ଜେନା ଓ ତାଙ୍କ ସମର୍ଥକମାନଙ୍କୁ ନେଇ ପଲ୍ଲୀସଭା କରୁଥିଲେ । ଏବେ କରୋନା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସଭାସମିତିକୁ ବନ୍ଦ ରଖିଥିବା ବେଳେ ଏଠାରେ କିପରି ପଲ୍ଲୀସଭା ହେଉଛି ବୋଲି ଆଉ ଏକ ଗୋଷ୍ଠୀ ସରପଂଚଙ୍କୁ ପ୍ରଶ୍ନ କରିଥିଲେ । ଏହି ଠାରୁ ହିଁ ପ୍ରଥମେ ବଚସା ଓ ପରେ ପରେ ସରପଂଚଙ୍କ କିଛି ସମର୍ଥକ ଲୁହା ରଡ ଓ ଠେଙ୍ଗାରେ ଅପର ଗୋଷ୍ଠୀର ସମର୍ଥକଙ୍କୁ ଗୋଡାଇ ଗୋଡାଇ ପିଟିଥିଲେ ।
କୁଡଗମ୍ବୀରି ଗ୍ରାମର ମହାଦେବ ସାହି ରଣ କ୍ଷେତ୍ର ପାଲଟି ଯାଇଥିଲା । ସରପଂଚଙ୍କ ସମର୍ଥକ ସଂପାଦକ ତାପସ ଦାସଙ୍କୁ ଅଟକ ରଖିଥିଲେ । ଖବର ପାଇଁ ଗ୍ରାମାଂଚଳ ପୁଲିସ ଗାଁରେ ପହଂଚି ଆହତ ବିଶ୍ୱନାଥ ମହାରଣା, କୁନ ନାୟକ ଓ ଗୋପାଳ ଜେନାଙ୍କୁ ଡାକ୍ତରଖାନା ପଠାଇଥିଲେ । ଲୁଚିଛି ନା ଗୋଡ ଦୁଇଟା ଦିଶୁଛି ନ୍ୟାୟରେ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଛକା ପଞା ଆଗକୁ ଆଗକୁ ଆହୁରି ଉଗ୍ର ହେବା ଭଳି ଜଳ ଜଳ ହୋଇ ଦେଖା ଯାଉଛି । ଏଠାରେ ପ୍ରଶ୍ନ ଉଠୁଛି ସରକାରୀସ୍ତରରେ କୌଣସି ଅନୁମତି ନ ନେଇ ସରକାରୀ କର୍ମଚାରୀ ଏହି ଲକଡାଉନ ବେଳେ ପଲ୍ଲୀସଭା ଡାକିଥିଲେ କାହିଁକି ତାହା ସାଧାରଣରେ ପ୍ରଶ୍ନବାଚୀ ସ୍ୱଷ୍ଟି କରିଛି ।