ବିଦେଶୀ ଗଣମାଧ୍ୟମରେ ଭାରତ-ଚୀନ୍‌ ସଂଘର୍ଷ ଖବର : ଜାଣନ୍ତୁ କେଉଁଥିରେ କେମିତି

ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇପାରେ: ଗାର୍ଡିଆନ୍‌

ୱାସିଂଟନ/ଲଣ୍ଡନ: ବିଶ୍ବର ପ୍ରମୁଖ ଖବରକାଗଜରେ ଭାରତ ଓ ଚୀନ୍‌ର ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ଖବର ପ୍ରକାଶ ପାଇଛି। ବ୍ରିଟିସ ଖବରକାଗଜ ଦ ଗାର୍ଡିଆନ ଲେଖିଛି ଆଣବିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଦୁଇ ଦେଶ ପରସ୍ପର ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି। ଏହା ହେଉଛି ବିଶ୍ବର ଏକ ପ୍ରମୁଖ ଜ୍ବଳନ ବିନ୍ଦୁ। ଦୁଇ ଦେଶର ବିସ୍ତାରବାଦୀ ଜାତୀୟତାବାଦ ପାଇଁ ଏହି ଦୁଇ ଦେଶ ପକ୍ଷରୁ ନିରନ୍ତର ବିପଦ ‌ରହିଛି। ଭାରତ ଓ ଚୀନ ହିମାଳୟର ଜ୍ବଳନ ବିନ୍ଦୁରେ ମୁହାଁମୁହିଁ ହୋଇଥିବାରୁ ଏହା ନିୟନ୍ତ୍ରଣ ବାହାରକୁ ଯାଇପାରେ ବୋଲି ଗାର୍ଡିଆନ ପ୍ରକାଶ କରିଥିବା ଖବରର ଶୀର୍ଷକ ରଖିଛି।

ଦୁଇ ଦେଶ ପରସ୍ପରକୁ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି: ୱାସିଂଟନ ପୋଷ୍ଟ୍
ଆମେରିକାର ପ୍ରମୁଖ ଖବରକାଗଜ ୱାସିଂଟନ ପୋଷ୍ଟ୍‌ ପକ୍ଷରୁ କୁହାଯାଇଛି ଭାରତ ଓ ଚୀନ ବିଶ୍ବର ଦୁଇ ଜନବହୁଳ ରାଷ୍ଟ୍ର ହୋଇଥିବା ବେଳେ ଏମାନେ ପରସ୍ପରକୁ ସନ୍ଦେହ ଚକ୍ଷୁରେ ଦେଖିଆସୁଛନ୍ତି। ୧୯୬୨ର ଯୁଦ୍ଧ ବ୍ୟତୀତ ସମୟ ସମୟରେ ସେମାନଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦକୁ ଦୁଇ ଦେଶ ଆଲୋଚନା ମାଧ୍ୟମରେ ସମାଧାନ କରିଛନ୍ତି। ଗତ କିଛି ସପ୍ତାହ ମଧ୍ୟରେ କିନ୍ତୁ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଦୁଇ ଦେଶ ମଧ୍ୟରେ ଥିବା ୨୨୦୦ ମାଇଲର ସୀମାରେ ଭାରତ ଓ ଚୀନର ସୈନିକମାନଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ ଡଜନେରୁ ଅଧିକ ଲୋକ ଆହତ ହୋଇଛନ୍ତି।

ସବୁଠୁ ଖରାପ ସଂଘର୍ଷ, ୨୦ ଭାରତୀୟ ସୈନିକ ନିହତ: ନ୍ୟୁୟର୍କ ଟାଇମ୍ସ
ଆମେରିକାର ଦି ନ୍ୟୁୟର୍କ ଟାଇମ୍ସରେ ମଧ୍ୟ ଭାରତ ଓ ଚୀନ ମଧ୍ୟରେ ହୋଇଥିବା ସଂଘର୍ଷ ଖବର ପ୍ରକାଶ ପାଇଛି। ଏହି ଖବରର ଶୀର୍ଷକ ରଖାଯାଇଛି ଗତ କିଛି ଦଶନ୍ଧିର ସବୁଠୁ ଖରାପ ଭାରତ-ଚୀନ ସୀମା ସଂଘର୍ଷ ଯେଉଁଥିରେ ୨୦ ଜଣ ଭାରତୀୟ ସୈନିକ ନିହତ ହୋଇଛନ୍ତି। ଜାତୀୟତାବାଦୀ ନେତାଙ୍କ ଅଧୀନରେ ଦୁଇ ଆଣବିକ ଶକ୍ତି ସଂପନ୍ନ ରାଷ୍ଟ୍ର ପରସ୍ପର ପ୍ରତି ଅଧିକ ଆକ୍ରମଣାତ୍ମକ ହେଉଛନ୍ତି। ଏଥିଯୋଗୁ ଖୋଲା ସଂଘର୍ଷ ହେଉଛି। ଦୁଇ ଦେଶ ସେମାନଙ୍କ ହିମାଳୟ ସୀମାକୁ ପିଢ଼ି ପରେ ପିଢ଼ି ଧରି ବାଜିରେ ଲଗାଇଛନ୍ତି।

ଭାରତ-ଚୀନ ସଂଘର୍ଷ, ଏକ ଅସାଧାରଣ ଉତ୍ତେଜନା: ବିବିସି
ବ୍ରିଟେନର ପ୍ରମୁଖ ଗଣମାଧ୍ୟମ ବିବିସି ପକ୍ଷରୁ ଭାରତ ଓ ଚୀନ ସେନା ‌ମଧ୍ୟରେ ହୋଇଥିବା ସଂଘର୍ଷକୁ ଏକ ଅସାଧାରଣ ଉତ୍ତେଜନା ଭାବେ ଦର୍ଶାଯାଇଛି। ଆଣବିକ ଶକ୍ତିସମ୍ପନ୍ନ ଦୁଇ ରାଷ୍ଟ୍ର ପରସ୍ପର ବିରୋଧରେ ସାମ୍ନାସାମ୍ନି ହେବା ଏବଂ ପରସ୍ପରର ସୀମାକୁ ନିଜର ଦାବି କରିବା ଇତିହାସ ରହିଛି। ଦୁଇ ଦେଶ ମଧ୍ୟରେ ପ୍ରାୟ ୩୪୪୦ କିମି (୨୧୦୦ ମାଇଲ)ର ସୀମା ରହିଛି। ଏମାନଙ୍କ ମଧ୍ୟରେ ଟଣାଯାଇଥିବା ବାସ୍ତବ ନିୟନ୍ତ୍ରଣରେଖା (ଏଲଏସି) ସେତେଟା ସ୍ପଷ୍ଟ ‌ନାହିଁ। ସୀମାରେ ପାର୍ଟୋଲିଂ ସମୟରେ ଦୁଇ ଦେଶର ସେନା କେତେବେଳେ କେତେବେଳେ ମୁହାଁମୁହିଁ ହୋଇଛନ୍ତି। କିନ୍ତୁ ଗତ ୪ ଦଶନ୍ଧି ମଧ୍ୟରେ କେବେ ଗୁଳି ଫୁଟି ନଥିଲା। ତେଣୁ ଏବେ ଦୁଇ ଦେଶ ମଧ୍ୟରେ ଯେଉଁ ଉତ୍ତେଜନା ଦେଖାଦେଇଛି ତାହା ଅନେକଙ୍କୁ ହତଚକିତ କରିଛି।

ସମ୍ବନ୍ଧିତ ଖବର