ମନ୍ଥରଗତିରେ ଚାଲିଛି ଭଦ୍ରକ ଷ୍ଟେସନ ରେଳ ଫ୍ଲାଏ ଓଭରବ୍ରିଜ୍ ନିର୍ମାଣ

ଜମି ଅଧିଗ୍ରହଣ କେଁ ଲାଗି ଅଟକିଛି ଆପ୍ରୋଚ୍ ରୋଡ ଟେଣ୍ଡର

ଭଦ୍ରକ: ଭଦ୍ରକ ଜିଲ୍ଲାବାସୀଙ୍କର ବହୁଦିନ ଦାବି ଚରମ୍ପା ରେଳ ‌ଷ୍ଟେସନର ବାମପାର୍ଶ୍ବ ପଥରକାଳୀସାହି ଲେବୁଲ କ୍ରସିଂ ରାସ୍ତାରେ ଫ୍ଲାଏ ଓଭର ବ୍ରିଜ୍ ଓ ନୂତନ ସର୍ଭିସ୍ ରୋଡ ନିର୍ମାଣ ପାଇଁ ଚରମ୍ପା ଅଞ୍ଚଳବାସୀ ଦୀର୍ଘ ବର୍ଷ ଧରି ଆନ୍ଦୋଳନ କରିବା ପ‌ରେ କେନ୍ଦ୍ର ସରକାର ଭଦ୍ରକ ଷ୍ଟେସନଠାରେ ରେଳ ଓଭରବ୍ରିଜ୍ ନିର୍ମାଣ କାମ ଆରମ୍ଭ କରିଥିଲେ। ମାର୍ଚ୍ଚ ମାସରେ କାମ ଆରମ୍ଭ କରାଯାଇଥିଲା। କରୋନା କଟକଣା ପରେ ନିର୍ମାଣ କାମ କିଛି ଦିନ ଧରି ବନ୍ଦ ହୋଇଥିଲା। ଏବେ ପୁଣି କାମ ଆରମ୍ଭ ହୋଇଛି। ‌ରେଳ ଓଭରବ୍ରିଜର ଟେଣ୍ଡର ପ୍ରକ୍ରିୟା ଶେଷ ହୋଇ କାମ ଆରମ୍ଭ ହୋଇଥିବା ପୁଣି ଅଧାରୁ ବନ୍ଦ ହେବା ପରେ ନିର୍ମାଣ କାମ ଆଉ ଅଧିକ ଆଗକୁ ଯାଇ ପାରି ନଥିଲା। ଏବେ ଯେଉଁ କାମ ଆରମ୍ଭ ହୋଇଛି। ତାହା ମଧ୍ୟ ମନ୍ଥରଗତିରେ ଚାଲିଛି।

ଏଭଳି ମନ୍ଥରଗତିରେ କାମ ଚାଲିଲେ ଏହାର ପୂର୍ଣ୍ଣାଙ୍ଗ ହେବାକୁ ବହୁ ବିଳମ୍ବ ହେବ ବୋଲି ସ୍ଥାନୀୟ ଲୋକମାନେ ନିର୍ମାଣ କାମକୁ ତ୍ବରାନ୍ବିତ କରିବା ଲାଗି ଦାବି କରିଛନ୍ତି। କେବଳ ରେଳ ଫ୍ଲାଏ ଓଭରବ୍ରିଜ୍ ନିର୍ମାଣ କରାଗଲେ ଚଳିବ ନାହିଁ। ନିର୍ମାଣ ହେଉଥିବା ଚରମ୍ପା ରେଳ ଓଭରବ୍ରିଜ୍ କୁ ସଂଯୋଗ କରିବାକୁ ଥିବା ନୂଆ ଆପ୍ରୋଚ ରୋଡ ପାଇଁ ପୂର୍ତ୍ତ ବିଭାଗ ଦୀର୍ଘ ଦିନ ଧରି ଲୁଚକାଳି ଖେଳୁଛି। ଅଯଥାରେ ସମୟ ଗଡାଇ ଚାଲିଛି। ପୂର୍ତ୍ତ ବିଭାଗର ମନ ମାନିରେ ଅଟକି ରହିଛି ଆପ୍ରୋଚରୋଡ ନିର୍ମାଣର ଟେଣ୍ଡର ପ୍ରକ୍ରିୟା। ଭଦ୍ରକ ପୂର୍ତ୍ତ ବିଭାଗର ଅଧିକାରୀ ଏହି କାର୍ଯ୍ୟ ତ୍ବରାନ୍ବିତ କରିବା ଦିଗରେ ତତ୍ପରତା ପ୍ରକାଶ କରୁନଥିବା ବେଳେ ଏହାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଛି। ଏଇ ଆପ୍ରୋଚ ରୋଡ ନିର୍ମାଣ ପାଇଁ ଅନୁଦାନ ମଂଜୁର ହୋଇଥିବା ବେଳେ ଟେଣ୍ଡର ପ୍ରକ୍ରିୟା ନେଇ କାମ ବିଳମ୍ବ ହୋଇଛି।

ପୂର୍ତ୍ତ ବିଭାଗ ଟେଣ୍ଡର କରିବା ନେଇ ଜାନୁଆରୀ ମାସରୁ ଫେବ୍ରୁଆରୀ ମାସ ଭିତରେ ସମୟ ନେଇଥିଲା। ଏଇ ସମୟ ଭିତରେ ଟେଣ୍ଡର ନହେବାରୁ ପୂର୍ବତନ ବିଧାୟକ ନରେନ ପଲେଇ ପୂର୍ତ୍ତ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଭେଟି ଟେଣ୍ଡର ପ୍ରକ୍ରିୟା ଓ ରାସ୍ତା କାମ ପାଇଁ ଦାବି ଉପସ୍ଥାପନ କରିଥିଲେ। ଶ୍ରୀ ପଲେଇଙ୍କ ଦାବି ପରେ ପୂର୍ତ୍ତ ବିଭାଗ ଟେଣ୍ଡର ପାଇଁ ପୁଣି ଏକ ମାସ ସମୟ ଅବଧି ନେଇଛନ୍ତି। ମାର୍ଚ୍ଚ ମାସ ଶେଷ ସୁଦ୍ଧା ଆପ୍ରୋଚରୋଡ ପାଇଁ ଟେଣ୍ଡର କରି କାମ ଆରମ୍ଭ ନକଲେ ଆସନ୍ତା ଏପ୍ରିଲ ୨ ତାରିଖରେ ସ୍ଥାନୀୟ ଚରମ୍ପାବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଶ୍ରୀ ପଲେଇ ‌ଚେତାବନୀ ଦେଇଥିଲେ। ମାତ୍ର ମାର୍ଚ୍ଚ ମାସର ଶେଷ ବେଳକୁ କରୋନା କଟକଣା ଯୋଗୁଁ ଭଦ୍ରକ ଜିଲ୍ଲା ଏକ ପ୍ରଚାର ଅଚଳ ହୋଇପଡିଥିଲା। ଲକ୍ ଡାଉନ୍ ଓ ସଟ୍ ଡାଉନ୍ ଭଳି ପରିସ୍ଥିତି ଯୋଗୁଁ କୌଣସି ନିର୍ମାଣ କାମ କରାଯାଇ ପାରି ନଥିଲା।

photo-justdial

ସରକାର ନିଜର କଟକଣା ‌କୋହଳ କରିବା ପ‌ରେ ରେଳ ଫ୍ଲାଏ ଓଭରବ୍ରିଜ୍ କାମ ଆରମ୍ଭ ହୋ‌ଇଥିବା ବେଳେ ଆପ୍ରୋଚ୍ ରୋଡ ଟେଣ୍ଡର ହୋଇପାରିଲା ନାହିଁ। ଏବେ ବୁଝିଲା ବେଳକୁ ପୂର୍ଣ୍ଣ ବିଭାଗର ଏକ ନୂଆଁ କେଁ ପୂରାଇ ଦିଆଯାଇଛି। ଘରୋଇ ଜମି ଅଧିଗ୍ରହଣ ନକରିବା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ହୋଇପାରିବ ନାହିଁ ବୋଲି ନିୟମ ହୋଇଛି। ଯଦି ଏଭଳି ନିୟମ ହୋଇଛି। ତେବେ ଏଇ ଆପ୍ରୋଚ ରୋଡ ନିର୍ମାଣ ହେବା ଏକ ଦୂରୁହ ବ୍ୟାପାର ହୋଇପଡିବ ବୋଲି ସାଧାରଣରେ ଆଲୋଚନା ହେଉଛି। ଏଠାରେ ସୂଚନାଯୋଗ୍ୟ ଯେ, ଚରମ୍ପା ରେଳ ଓଭରବ୍ରିଜକୁ ସଂଯୋଗ କରୁଥିବା ନୂତନ ଆପ୍ରୋଚ ରୋଡ ପାଇଁ କିଛି ଘରୋଇ ଲୋକଙ୍କର ଜମି ପଡୁଛି।

ଏଇ ଜମି ଘରୋଇ ଲୋକଙ୍କଠାରୁ ଅଧିଗ୍ରହଣ କରାଯାଇ ଟେଣ୍ଡର ପ୍ରକ୍ରିୟା କାରାଯିବ ବୋଲି ବିଭାଗ ସୂତ୍ରରୁ ସୂଚନା ମିଳିଛି। ଯେଉଁ ମାନଙ୍କର ଜମି ପଡୁଛି। ସେମାନଙ୍କର ଜମି ଚିହ୍ନଟ କରାଯାଇ ଡିମାର୍କେସନ୍ କରାଯିବ। ଏହା ପରେ ଏଇ ଜମିର କ୍ଷେତ୍ରିୟ ତଦନ୍ତ କରାଯାଇ ଜମି ର ସିଡୁଲ ପ୍ରସ୍ତୁତ ହେବ। କେଉଁ ଲୋକଙ୍କର କେତେ ଜମି ରାସ୍ତା ନାଇଁ ଯାଉଛି। ସେମାନଙ୍କୁ ସେହିସବୁ ଜମିର ମୂଲ୍ୟ ଦିଆଯାଇ ଜମିକୁ ପୂର୍ତ୍ତ ବିଭାଗ ପକ୍ଷରୁ ଅଧିଗ୍ରହଣ କରାଯାଇ ହସ୍ତାନ୍ତର କରାଯିବା ପରେ ଆପ୍ରୋଚ ରୋଡର ଟେଣ୍ଡର କରାଯିବ । ଏହି ଜମି ଅଧିଗ୍ରହଣ କାର୍ଯ୍ୟ ତ୍ବରାନ୍ବିତ କରି ଟେଣ୍ଡର ପ୍ରକ୍ରିୟାକୁ ଆଗକୁ ନେବାକୁ ପୂର୍ବତନ ବିଧାୟକ ଶ୍ରୀ ପଲେଇ ଦାବି ଉପସ୍ଥାପନ କରିଛନ୍ତି।

ସମ୍ବନ୍ଧିତ ଖବର