ଡରାଇଲାଣି ଜୁନ୍ ମାସ: ଆକ୍ରାନ୍ତ ସହ ମୃତ୍ୟୁ ସଂଖ୍ୟା ବି ବଢ଼ିଲାଣି, ଦିନକରେ ୧୬୭ ପଜିଟିଭ୍, ୧୨୫ ସୁସ୍ଥ

ରାଜ୍ୟରେ ଆଉ ତିନି ମୃତ୍ୟୁ, ୨୩ ଦିନରେ ୧୫ ମୃତ୍ୟୁ, ୫ ଉପକୂଳ ଜିଲ୍ଲାରେ ଆତଙ୍କ

ଭୁବନେଶ୍ବର: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସହିତ ମୃତ୍ୟୁ ସଂଖ୍ୟା ବି ବଢ଼ିବାରେ ଲାଗିଛି। ଗତ ତିନି ଦିନ ହେବ ଲଗାତାର ରାଜ୍ୟରେ କରୋନା ଜନିତ ମୃତ୍ୟୁ ଜାରି ରହିଛି। ଏ ପର୍ଯ୍ୟନ୍ତ ୨୪ଜଣ ଲୋକ ପ୍ରାଣ ହରାଇଲେଣି। ଗତ ୨୪ଘଣ୍ଟାରେ ରାଜ୍ୟରେ ୧୬୭ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୧୨୫ଜଣ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। କଟକ ଜିଲ୍ଲାରେ ଆଜି ତିନି ଜଣ ପ୍ରାଣ ହରାଇଥିବା ସଂପର୍କରେ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ସେମାନଙ୍କ ମଧ୍ୟରୁ ଜଣେ କରୋନା ପଜିଟିଭ୍ ଥାଇ ଅନ୍ୟ ରୋଗରେ ପ୍ରାଣ ହରାଇଥିବା କୁହାଯାଇଛି। କଟକ ଜିଲ୍ଲାର ୭୧ବର୍ଷର ଜଣେ ପୁରୁଷ ମଧୁମେହ ଓ କିଡ୍‌ନି ରୋଗରେ ପୀଡ଼ିତ ଥିବା ବେଳେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଏହାସହ ମଧୁମେହରେ ପୀଡ଼ିତ ଥିବା ଅନ୍ୟ ଜଣେ ୫୩ବର୍ଷୀୟ ବ୍ୟକ୍ତି ମଧ୍ୟ କରୋନାରେ ପ୍ରାଣ ହରାଇଛନ୍ତି। ତେବେ କଟକ ଜିଲ୍ଲାର ୮୦ବର୍ଷର ଜଣେ ବୃଦ୍ଧ କରୋନା ପଜିଟିଭ୍ ଥିଲେ ହେଁ, ଅନ୍ତଃନଳୀରେ ଅବରୋଧ ଓ ଏକାଧିକ ଅଙ୍ଗ ଅଚଳ ହୋଇଯିବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ସଂପୃକ୍ତ ବ୍ୟକ୍ତି ଜଣକ ଗତ ଦୁଇ ଦିନ ତଳେ ଏମ୍‌ସରେ ପ୍ରାଣ ହରାଇଥିଲେ। ଆଜି ମୃତ୍ୟୁ ସଂଖ୍ୟା ଘୋଷଣା ପରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭ରେ ପହଞ୍ଚିଥିବା ବେଳେ ପଜିଟିଭ୍ ଥାଇ ଅନ୍ୟ ରୋଗରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୭କୁ ବୃଦ୍ଧି ପାଇଛି।

ଆଜି ୧୮ଟି ଜିଲ୍ଲାରୁ ୧୬୭ଜଣ କରୋନା ପଜିଟିଭ୍‌ଙ୍କୁ ଚିହ୍ନଟ କରାଯାଇଛି। ଗଜପତିରେ ସର୍ବାଧିକ ୪୧ଜଣ ଥିବା ବେଳେ ଗଞ୍ଜାମ ୩୦, ଜଗତସିଂହପୁର ୧୯, ମୟୂରଭଞ୍ଜ ୧୩, ଢେଙ୍କାନାଳ ୯, ଖୋର୍ଧା ୮, କେନ୍ଦ୍ରାପଡ଼ା ୭, ରାୟଗଡ଼ା ଓ ଯାଜପୁର ୫ଜଣ ଲେଖାଏ, ଝାରସୁଗୁଡ଼ା ଓ କଟକର ୩ଜଣ ଲେଖାଏ, ନୟାଗଡ଼ ୨, କୋରାପୁଟ, ବରଗଡ଼, ବଲାଙ୍ଗୀର, ପୁରୀରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୦ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୧୭ଜଣ ସ୍ଥାନୀୟ ସଂକ୍ରମିତ ଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ରାଜ୍ୟର ସର୍ବାଧିକ ୧୬ ଜିଲ୍ଲାରେ ଶହେରୁ ଅଧିକ ସଂକ୍ରମିତ ରହିଛନ୍ତି। ଗଞ୍ଜାମ ଜିଲ୍ଲାରେ ୯୫୫, ଖୋର୍ଧା ୬୬୨, କଟକ ୪୮୭, ଯାଜପୁର ୩୮୭, ବାଲେଶ୍ବର ୩୨୦, ଗଜପତି ୨୭୯, ଜଗତସିଂହପୁର ୨୨୮, କେନ୍ଦ୍ରାପଡ଼ା ୨୨୦, ପୁରୀ ୨୧୫, ଭଦ୍ରକ ୨୦୦, ସୁନ୍ଦରଗଡ଼ ୧୬୩, ମୟୂରଭଞ୍ଜ ଓ କନ୍ଧମାଳ ୧୫୯, ବଲାଙ୍ଗୀର ୧୫୩, ନୟାଗଡ଼ ୧୩୧, କେନ୍ଦୁଝରରୁ ୧୦୦ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪୭୦ରେ ପହଞ୍ଚିଛି।

ଅପରପକ୍ଷରେ ଆଜି ୧୨୫ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିରେ ଖୋର୍ଧା ୩୩, ପୁରୀ ୧୭, କଟକ ୧୪, ମୟୂରଭଞ୍ଜ ୧୩, ଗଞ୍ଜାମ ୧୦, କେନ୍ଦୁଝର ୯, ଯାଜପୁର ୮, ନୂଆପଡ଼ା ୬, କେନ୍ଦ୍ରପଡ଼ା ଓ ଜଗତସିଂହପୁର ୪ଜଣ ଲେଖାଏ, ସୁନ୍ଦରଗଡ଼ ୩, ବଲାଙ୍ଗୀରରୁ ୨ ଓ କନ୍ଧମାଳ ଓ ମାଲକାନଗିରିରୁ ଜଣେ ଲେଖାଏ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୩୯୮୮ରେ ପହଞ୍ଚିଛି। ଏହାସହ ରାଜ୍ୟରେ ୧୪୫୮ଜଣ ସକ୍ରିୟ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି।

ଭୁବନେଶ୍ବର: ଜୁନ୍ ମାସକୁ ରାଜ୍ୟ ସରକାର ଅତ୍ୟନ୍ତ ସମ୍ବେଦନଶୀଳ ମାସ ଭାବେ ବିବେଚନା କରିଛନ୍ତି। ଲକ୍ଷାଧିକ ସଂଖ୍ୟାରେ ପ୍ରବାସୀ ଓଡ଼ିଶା ଫେରିବା ଓ ମୌସୁମୀକୁ ନଜରରେ ରଖି ଚଳିତମାସରେ କରୋନା ସଂକ୍ରମଣ ବଢ଼ିବ ବୋଲି ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ସଚେତନ କରାଇଛନ୍ତି। ଗତ ୨୦/୨୨ ଦିନ ଭିତରେ ହିଁ ରାଜ୍ୟ‌ରେ ସଂକ୍ରମଣ ୫ ହଜାର ଟପିବା ସହିତ ୧୫ଜଣଙ୍କ ମୃତ୍ୟୁ ହୋଇଛି। ୧୦ଜଣ କରୋନା ଓ ୫ଜଣ ପଜିଟିଭ୍ ଥାଇ ଅନ୍ୟ ରୋଗରେ ପ୍ରାଣ ହରାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଜୁନ୍ ପହିଲା ତାରିଖ ସୁଦ୍ଧା ରାଜ୍ୟରେ କରୋନାରେ ୭ଜଣ ଓ ଅନ୍ୟ ରୋଗରେ ଦୁଇ ଜଣ ପ୍ରାଣ ହରାଇଥିଲେ। ସେମାନଙ୍କ ମଧ୍ୟରୁ ୩ଜଣ ଲେଖାଏ ଗଞ୍ଜାମ ଓ ଖୋର୍ଧା ଓ ଜଣେ କଟକ ଜିଲ୍ଲାରୁ କରୋନାରେ ପ୍ରାଣ ହରାଇଥିଲେ। ତେବେ ଗତ ୨୨ଦିନ ଭିତରେ ରାଜ୍ୟରେ ଆଉ ୧୫ ନୂତନ ମୃତ୍ୟୁ ଏଥିରେ ଯୋଡ଼ି ହୋଇଯାଇଛି। ଏଥିରେ ୧୦ଜଣ କରୋନାରେ ପ୍ରାଣ ହରାଇଥିବା ବେଳେ ୫ ଜଣ ଅନ୍ୟ ରୋଗରେ ପ୍ରାଣ ହରାଇଥିବା ସ୍ବାସ୍ଥ୍ୟ ବିଭାଗ ଦର୍ଶାଇଛି। ଯାହାଫଳରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି।

ରାଜ୍ୟରେ ଏବେ ସର୍ବାଧିକ ମୃତ୍ୟୁ ଗଞ୍ଜାମ ଜିଲ୍ଲାରେ ହୋଇଛି। ଜିଲ୍ଲାରେ ୯୫୫ ସଂକ୍ରମିତ ଥିବା ବେଳେ ୮ଜଣ ବ୍ୟକ୍ତି ଏହି ରୋଗରେ ପ୍ରାଣ ହରାଇଛନ୍ତି। ଖୋର୍ଧାରେ କରୋନାରେ ୪ ଓ ଅନ୍ୟ ରୋଗରେ ୨, କଟକରେ କରୋନାରେ ୩ ଓ ଅନ୍ୟ ରୋଗରେ ୧, ବାଲେଶ୍ବରରେ ଅନ୍ୟ ରୋଗରେ ୧, ପୁରୀରେ କରୋନା ଓ ଅନ୍ୟ ରୋଗରେ ଜଣେ ଲେଖାଏ, ମୟୂରଭଞ୍ଜରେ ଜଣେ, ବରଗଡ଼ରେ କରୋନାରେ ଜଣେ, ନବରଙ୍ଗପୁରରେ ଅନ୍ୟ ରୋଗରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ବିଶେଷକରି ଉପକୂଳ ଓଡ଼ିଶାରେ ସର୍ବାଧିକ ମୃତ୍ୟୁ ରେକର୍ଡ ହୋଇଛି। ଅପରପକ୍ଷରେ ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ଅନ୍ୟ ରାଜ୍ୟ ତୁଳନାରେ କମ୍ ରହିଛି। ରାଜ୍ୟର କରୋନା ଜନିତ ମୃତ୍ୟୁ ହାର (ମୋର୍ଟାଲିଟି ରେଟ୍) ୦.୪୪ ପ୍ରତିଶତ ରହିଛି ବୋଲି ସରକାରୀ ସଳତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର