ବୁଧବାର ଫେରିବ ଅନ୍ତର୍ଜାତୀୟ କ୍ରିକେଟ୍: ରୋଜ୍‌ବାୱେଲରେ ଲଢ଼ିବେ ଇଂଲଣ୍ଡ-ଇଣ୍ଡିଜ୍

ଅପରାହ୍‌ଣ ୩ଟା ୩୦ରେ ଆରମ୍ଭ, ଏକାଧିକ ଚ୍ୟାନେଲ୍‌ରେ ପ୍ରସାରଣ

ସାଉଥମ୍ପଟନ୍: କୋଭିଡ୍-୧୯ ମହାମାରୀ ପାଇଁ ଅଟକି ରହିଥିବା ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାଲେଣ୍ଡର ପୁଣି ଥରେ ଚଳଚଞ୍ଚଳ ହେବାକୁ ଯାଉଛି। ଦୀର୍ଘ ତିନି ମାସ ପରେ କ୍ରିକେଟ୍ ତାର ପୁରୁଣା ରୂପକୁ ଫେରିବ। ଅର୍ଥାତ୍ ଅନ୍ତର୍ଜାତୀୟ କ୍ରିକେଟ୍‌ ପୁନଃ ଆରମ୍ଭ ହେବ। ପ୍ରଥମ ପ୍ରତିଯୋଗିତା ସ୍ରଷ୍ଟା ଇଂଲଣ୍ଡ ଏବଂ ଅଶି ଦଶକର ଦୁର୍ଦ୍ଧର୍ଷ ଦଳ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ସାଉଥମ୍ପଟନର ରୋଜବାୱେଲ ଷ୍ଟାଡିୟମରେ ଖେଳାଯିବ। ଏଥିଲାଗି ୱେଷ୍ଟଇଣ୍ଡିଜ୍ ଖେଳାଳିମାନେ ଗତ ତିନି ସପ୍ତାହ ଧରି ଇଂଲଣ୍ଡରେ ଡେରା ପକାଇଛନ୍ତି। ସଙ୍ଗରୋଧରେ ରହି କୋଭିଡ୍-୧୯ ସଂକ୍ରମଣ ହୋଇ ନଥିବାର ପ୍ରମାଣ ଦେଇଛନ୍ତି। ଉଭୟ ୱେଷ୍ଟଇଣ୍ଡିଜ୍ ଏବଂ ଇଂଲଣ୍ଡ ଖେଳାଳିଙ୍କର ଦୁଇରୁ ଅଧିକ ଥର କୋଭିଡ୍ ପରୀକ୍ଷା କରାଯାଇ ସାରିଛି। ଏହି ଦୂରାରୋଗରୁ ସମ୍ପୁର୍ଣ୍ଣ ମୁକ୍ତ ଥିବା ଖେଳାଳିଙ୍କୁ ହିଁ ମ୍ୟାଚ୍ ଖେଳିବାର ଅନୁମତି ଦିଆଯାଇଛି। ସାଉଥମ୍ପଟନର ଏହି ପ୍ରତୀକ୍ଷିତ ଟେଷ୍ଟ୍ ଲଢ଼େଇ ପୂର୍ବରୁ ଦୁଇଟି ଯାକ ଦଳ ନିଜ ନିଜ ଖେଳାଳିଙ୍କ ମଧ୍ୟରେ ହିଁ ଅଭ୍ୟାସ ମ୍ୟାଚ୍ ଖେଳିଛନ୍ତି। ୱେଷ୍ଟଇଣ୍ଡିଜ୍ ସାଉଥମ୍ପଟନରେ ଅଭ୍ୟାସ କରିଥିଲା ବେଳେ ଇଂଲଣ୍ଡ ମାଞ୍ଚେଷ୍ଟରଠାରେ ଝାଳ ବୁହାଇଥିଲା।

ଏହି ନିଆରା ଅଭ୍ୟାସ ମ୍ୟାଚ୍ ବେଳେ ଖେଳାଳିଙ୍କୁ ପରସ୍ପରକୁ ଆଲିଙ୍ଗନ କରିବା, ହାତରେ ହାତ ମିଳାଇ ଉତ୍ସବ ପାଳନ କରିବା ଓ ହାଇ ଫାଇଭ୍ ଦେବାରୁ ବାରଣ କରାଯାଇଥିଲା। ତା’ ସହ ବାରମ୍ବାର ସାନିଟାଇଜରେ ହାତ ସଫା କରିବାକୁ ମଧ୍ୟ କଡ଼ା ନିର୍ଦ୍ଦେଶ ଦିଆଯାଇଥିଲା। ମ୍ୟାଚ୍ ବେଳେ ମଧ୍ୟ ଏହି ଧାରା ଜାରି ରହିବ। ଉତ୍ସବ ପାଳନ ଉପରେ ଅଙ୍କୁଶ ସହ ଖେଳାଳିମାନେ କେବଳ କହୁଣୀ ସହ କହୁଣୀ ମିଳାଇ ଖୁସି ଜାହିର କରିବେ। ସଂପୂର୍ଣ୍ଣ ଜୈବ ସୁରକ୍ଷିତ ପରିବେଶରେ ମ୍ୟାଚ୍ ଖେଳାଯିବ। ମ୍ୟାଚ୍ ମଝି‌ରେ ମଧ୍ୟ ଖେଳାଳିଙ୍କର କୋଭିଡ୍ ପରୀକ୍ଷା କରାଯିବ। ସଂକ୍ରମିତ ହୋଇଥିବା ଜଣା ପଡ଼ିଲେ ସଂପୃକ୍ତ ଖେଳାଳିଙ୍କ ବଦଳରେ ଅନ୍ୟ ଜଣେ ଖେଳାଳିଙ୍କୁ ଖେଳିବାର ଅନୁମତି ପୂର୍ବରୁ ଆଇସିସି ଦେଇ ସାରିଛି। ଏହି ଶୃଙ୍ଖଳା ମଧ୍ୟ ଅନ୍ୟ ଏକ କାରଣ ପାଇଁ ଚର୍ଚାରେ ରହିଛି। ପୁଲିସ ବର୍ବରତାରେ ଆମେରିକାର କୃଷ୍ଣକାୟ ନାଗରିକ ଜର୍ଜ ଫ୍ଲଏଡ୍‌ ଅକାଳରେ ପ୍ରାଣ ହରାଇବା ପରେ ଆରମ୍ଭ କରାଯାଇଥିବା ‘ବ୍ଲାକ୍ ଲାଇଭ୍ସ ମ୍ୟାଟର’ ଅଭିଯାନକୁ ସମର୍ଥନ କରି ୱେଷ୍ଟଇଣ୍ଡିଜ୍ ଖେଳାଳିମାନେ ନଜି ପୋଷାକରେ ସ୍ବତନ୍ତ୍ର ଲୋଗୋ ପିନ୍ଧି ପଡ଼ିଆକୁ ଓହ୍ଲାଇବେ। କୋଭିଡ୍ ମହାମାରୀ ସଙ୍କଟ ଦେଖାଦେବା ପରେ ଏହା ମଧ୍ୟ ପ୍ରଥମ ଅନ୍ତର୍ଜାତୀୟ ଟେଷ୍ଟ୍ ଶୃଙ୍ଖଳା ହେବ।

ଅପରାହ୍‌ଣ ୩ଟା ୩୦ରେ ଆରମ୍ଭ, ଏକାଧିକ ଚ୍ୟାନେଲ୍‌ରେ ପ୍ରସାରଣ
ଚଳିତ ଇଂଲଣ୍ଡ ଗସ୍ତରେ ୱେଷ୍ଟଇଣ୍ଡିଜ୍ ମୋଟ ତିନିଟି ଟେଷ୍ଟ୍ ଖେଳିବ। ପ୍ରଥମ ଟେଷ୍ଟ୍ ଚଳିତମାସ ୮ରୁ ୧୨ ତାରିଖ ପର୍ଯ୍ୟନ୍ତ ସାଉଥମ୍ପଟନର ରୋଜ୍‌ବାୱେଲ ଷ୍ଟାଡିୟମରେ ଖେଳାଯିବ। ସେହିଭଳି ଦ୍ବିତୀୟ ଟେଷ୍ଟ୍ ମାଞ୍ଚେଷ୍ଟରଠାରେ ୧୬ରୁ ୨୦ ତାରିଖ ମଧ୍ୟରେ ଖେଳାଯିବ। ତୃତୀୟ ତଥା ଶେଷ ଟେଷ୍ଟ୍ ସେହି ମାଞ୍ଚେଷ୍ଟରଠାରେ ଚଳିତମାସ ୨୪ରୁ ୨୮ ତାରିଖ ମଧ୍ୟରେ ଆୟୋଜିତ ହେବ। ୱେ‌ଷ୍ଟଇଣ୍ଡିଜକୁ ଭେଟି ସାରିବା ପରେ ଇଂଲଣ୍ଡ ଘରୋଇ ପରିବେଶରେ ଆଉ ଏକ ଶୃଙ୍ଖଳା ପାକିସ୍ତାନ ବିପକ୍ଷରେ ଖେଳିବ। ଏଥିଲାଗି ପାକିସ୍ତାନ ଖେଳାଳିମାନେ ସେଠାକୁ ଯାତ୍ରା କରି ସାରିଛନ୍ତି। ସମସ୍ତେ ସଙ୍ଗରୋଧରେ ରହିଛନ୍ତି। ରୋଜବାୱେଲଠାରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ୍ ଭାରତୀୟ ସମୟ ଅପରାହ୍‌ଣ ୩ଟା ୩୦ରୁ ଆରମ୍ଭ ହେବ। ଏହି ଶୃଙ୍ଖଳାର ପ୍ରସାରଣ ସୋନି ସ୍ପୋର୍ଟସ ଚ୍ୟାନେଲ ଗୁଚ୍ଛ ଯଥା ସୋନି ସିକ୍ସ, ସୋନି ସିକ୍ସ ଏଚ୍‌ଡି, ସୋନି ଟେନ୍ ସ୍ପୋର୍ଟସ ୧ ଓ ସୋନି ଟେନ୍ ସ୍ପୋର୍ଟସ ୧ ଏଚ୍‌ଡିରେ ହେବ। ଅନଲାଇନରେ ମଧ୍ୟ ଏହି ମ୍ୟାଚ୍ ଓ ଶୃଙ୍ଖଳାର ଲାଇଭ୍ ଷ୍ଟ୍ରିମିଂ କରାଯିବ। ସୋନିଲିଭ୍‌ରେ କ୍ରିକେଟ୍ ପ୍ରେମୀ ଲାଇଭ୍ ଷ୍ଟ୍ରିମିଂ ଦେଖି ପାରିବେ।

ବ୍ରଡ୍ ଖେଳି ନପାରନ୍ତି
ରୋଜବାୱେଲ୍ ଟେଷ୍ଟ୍ ଲାଗି ଇଂଲଣ୍ଡ ଚୂଡ଼ାନ୍ତ ଏକାଦଶରେ ଅଭିଜ୍ଞ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍ ସ୍ଥାନ ପାଇ ନପାରନ୍ତି। କାରଣ ଜେମ୍ସ ଆଣ୍ଡରସନଙ୍କ ସହ ଯୁବ ଅଲରାଉଣ୍ଡର ଜୋଫ୍ରା ଆର୍ଚର ଓ ମାର୍କ ଉଡ୍ ଘରୋଇ ଦଳର ଦ୍ରୁତ ବୋଲିଂ ବାହିନୀ ସମ୍ଭାଳିବେ ବୋଲି ଇଂଲଣ୍ଡ ଚୟନକର୍ତ୍ତା ସଙ୍କେତ ଦେଇ ସାରିଛନ୍ତି। ବ୍ରଡ୍ ଏହି ଟେଷ୍ଟ୍ ନ ଖେଳିଲେ ଦୀର୍ଘ ୮ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଇଂଲଣ୍ଡ ଟେଷ୍ଟ୍ ଏକାଦଶରୁ ବାଦ ପଡ଼ିବେ। ଇଂଲଣ୍ଡ ସ୍ବତନ୍ତ୍ର ରଣନୀତି ମୁତାବକ ବ୍ରଡଙ୍କ ସ୍ଥାନରେ ସ୍ପିନର ଡମ୍ ବେସଙ୍କୁ ଖେଳାଇପାରେ। ଜୋ ରୁଟ୍ ପତ୍ନୀଙ୍କ ପ୍ରସବ ପାଇଁ ଛୁଟିରେ ଯାଇଥିବାରୁ ବେନ୍ ଷ୍ଟୋକ୍ସ ଏହି ମ୍ୟାଚ୍‌ରେ ଇଂଲଣ୍ଡର ନେତୃତ୍ବ ନେବେ। ବ୍ରଡଙ୍କ ଭଳି କ୍ରିସ୍ ଓକ୍ସ ମଧ୍ୟ ଇଂଲଣ୍ଡ ଏକାଦଶରୁ ବାଦ୍ ପଡ଼ି ପାରନ୍ତି। ଏହା ପୂର୍ବରୁ ଶେଷ ଥର ପାଇଁ ବ୍ରଡ୍ ୨୦୧୨ ମସିହାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଘରୋଇ ଟେଷ୍ଟରୁ ବିଶ୍ରାମ ନେଇଥିଲେ। ତେବେ ଆଗାମୀ ସମୟରେ ଇଂଲଣ୍ଡ ଘରୋଇ ପରିବେଶରେ ଇଣ୍ଡିଜ୍ ଓ ପାକିସ୍ତାନ ବିପକ୍ଷରେ ଲଗାତାର ୬ଟି ଟେଷ୍ଟ୍ ଖେଳିବାକୁ ଯାଉଥିବାରୁ ଇଂଲଣ୍ଡ ଖେଳାଳିଙ୍କୁ ଅଦଳ ବଦଳ କରି ଖେଳାଇପାରେ। ଇଂଲଣ୍ଡ ସମ୍ଭାବ୍ୟ ଦଳ: ବେନ୍ ଷ୍ଟୋକ୍ସ (ଅଧିନାୟକ), ଜେମ୍ସ ଆଣ୍ଡରସନ୍, ଜୋଫ୍ରା ଆର୍ଚର, ଡୋମିନିକ ବେସ୍, ଷ୍ଟୁଆର୍ଟ ବ୍ରଡ୍, ରୋରି ବର୍ନସ, ଜୋସ୍ ବଟଲର (ୱିକେଟ୍ ରକ୍ଷକ), ଜାକ୍ କ୍ରଉଲି, ଜୋ ଡେନଲି, ଓଲି ପୋପ୍, ଡମ୍ ସିବଲି, କ୍ରିସ୍ ଓକ୍ସ, ମାର୍କ ଉଡ୍।

ସମ୍ବନ୍ଧିତ ଖବର