କୁତ୍ସିତ ସନ୍ଦେହର କରୁଣ ପରିଣତି : ବାପାଙ୍କୁ ମାରିଦେଲା ଡାକ୍ତର ପୁଅ

ରାଜଧାନୀରେ ଚାଞ୍ଚଲ୍ୟ

ଭୁବନେଶ୍ବର : ନିଜ ସ୍ତ୍ରୀ ସହ ବୃଦ୍ଧ ବାପାଙ୍କ ଅନୈତିକ ସମ୍ପର୍କ! ପୁଣି ଅତି ଘନିଷ୍ଠ ସମ୍ପର୍କରୁ ସନ୍ତାନ ଜନ୍ମ! ଦୀର୍ଘ ଦିନ ଧରି ମୁଣ୍ତରେ ବସା ବାନ୍ଧି ରହିଥିବା ଏଭଳି ଏକ କୁତ୍ସିତ ସନ୍ଦେହ ଶେ‌ଷରେ ଜଣେ ଡାକ୍ତରଙ୍କୁ ପିତୃ ହତ୍ୟାକାରୀ ସଜାଇ ଦେଇଛି। ପିଶାଚ ପାଲଟି ଯାଇଥିବା ଡାକ୍ତର ପୁଅ ତାଙ୍କ ୭୩ ବର୍ଷୀୟ ବୃଦ୍ଧ ବାପାଙ୍କୁ ତଳେ ପକାଇ ନିର୍ଘାତ୍ ମୁଥ ମାରି ମାରି କଙ୍କାଳ ହାଡ଼ ଭାଙ୍ଗିଦେବା ସହ ଭିଆଇ ବସିଛି ବୀଭତ୍ସ ହତ୍ୟାକାଣ୍ଡ। ଏଭଳି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି ରାଜଧାନୀର ଖଣ୍ଡଗିରି ଥାନା ଜାଗମରା ଜଗମୋହନ ନଗରରେ। ହତ୍ୟାକାଣ୍ଡର ଶିକାର ହୋଇଛନ୍ତି, ପୂର୍ବତନ କୃଷି ଅଧିକାରୀ ରାଜ କିଶୋର ମିଶ୍ର(୭୩)। ତାଙ୍କର ଏକମାତ୍ର ପୁଅ ଆୟୁଷ ଡାକ୍ତର ରଞ୍ଜନ ମିଶ୍ର ଘଟାଇଛନ୍ତି ଏହି ଅଭାବନୀୟ କାଣ୍ଡ। ଖଣ୍ଡଗିରି ଥାନା ପୁଲିସ ଅଭିଯୁକ୍ତ ଡାକ୍ତର ରଞ୍ଜନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଓ ଜାମିନ୍‌ ନାମଞ୍ଜୁର ହେବାରୁ ତାଙ୍କୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ପୁଅକୁ ଡାକ୍ତର କରିବା ପାଇଁ ବହୁ କଷ୍ଟ ଉଠାଇଥିବା ବାପା, ବୃଦ୍ଧ ବୟସରେ ସେହି ଡାକ୍ତର ପୁଅ ହାତରେ ଜୀବନ ହରାଇବା ଭଳି ଘଟଣା ଆଜି ସମସ୍ତଙ୍କୁ ବିସ୍ମିତ କରିଛି। ହୀନ ସନ୍ଦେହର ମାୟାଜାଲ କିଭଳି ଜଣେ ଡାକ୍ତର ଭଳି ଉଚ୍ଚଶିକ୍ଷିତ ବ୍ୟକ୍ତିଙ୍କୁ ବି ନୀଚସ୍ତରକୁ ନେଇପାରେ, ତାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି।

ଘଟଣାଟି ଏମିତି…। କୃଷି ବିଭାଗରୁ ଅତିରିକ୍ତ ନିର୍ଦେଶକ ଭାବେ ଅବସର ନେବା ପରେ ରାଜକିଶୋର ପରିବାର ସହ ଜଗମୋହନ ନଗର ଅଞ୍ଚଳରେ ରହୁଥିଲେ। କିଛି ବର୍ଷ ପୂର୍ବରୁ ତାଙ୍କ ପତ୍ନୀଙ୍କର ଦେହାନ୍ତ ହୋଇସାରିଛି। ପୁଅ, ବୋହୂ, ୨ଟି ନାତି (୬ ବର୍ଷ ଓ ୫ ମାସର) ଓ ଜଣେ ଅବିବାହିତ ଝିଅଙ୍କୁ ନେଇ ତାଙ୍କ ସଂସାର। ପୁଅ ରଞ୍ଜନ ବାଣପୁରରେ ଆୟୁଷ ଡାକ୍ତର ଭାବେ କାର୍ଯ୍ୟ କରୁଥିଲେ। ସେ ପ୍ରତି ସପ୍ତାହରେ ଥରେ ଘରକୁ ଆସନ୍ତି। ତାଙ୍କ ପତ୍ନୀ ଦ୍ବିତୀୟଥର ଗର୍ଭବତୀ ହେବା ପରେ ତାଙ୍କ ମନରେ ସୃଷ୍ଟି ହୋଇଥିଲା ଏକ କଦର୍ଯ୍ୟ ସନ୍ଦେହ। ବାପାଙ୍କ ସହ ସ୍ତ୍ରୀର ପାପ ସମ୍ପର୍କ ଥିବା ନେଇ ରଞ୍ଜନ ସନ୍ଦେହ କରିଥିଲେ। ମନରେ ଘନୀଭୂତ ହେଉଥିବା ସନ୍ଦେହ ପା‌ଇଁ ସେ ସ୍ତ୍ରୀ ଓ ବାପାଙ୍କ ସହ ବିନା କାରଣରେ ପାଟିତୁଣ୍ଡ କରୁଥିଲେ। ସମସ୍ତଙ୍କ ସମ୍ମୁଖରେ ପତ୍ନୀଙ୍କୁ ଗୋରୁଗାଈ ଭଳି ପିଟୁଥିଲେ। ସ୍ବାଭାବିକ ଭାବେ ବାପା ଓ ବଡ଼ ଭଉଣୀ ଏହାର ପ୍ରତିବାଦ କରୁଥିଲେ। ତେବେ ରଞ୍ଜନ ଏହି ମଉକାରେ ବାପାଙ୍କୁ ମଧ୍ୟ ମାଡ଼ ମାରୁଥିଲେ। କିନ୍ତୁ ଲୋକଲଜ୍ଜାକୁ ଡରି କେହି ମୁହଁ ଖୋଲୁ ନଥିଲେ ଓ କଥାଟି ଘରର ଚାରିକାନ୍ଥ ଡେଇଁ ବାହାରକୁ ଆସି ପାରିନଥିଲା।

ତେବେ ୫ମାସ ପରେ ଦ୍ବିତୀୟ ସନ୍ତାନ ଜନ୍ମ ହେଲା ପରେ ରଞ୍ଜନଙ୍କ ସନ୍ଦେହ ଆହୁରି ଘନୀଭୂତ ହୋଇଥିଲା। ଏଥିପାଇଁ ସେ ଉଭୟ ପତ୍ନୀ ଓ ବାପାଙ୍କୁ ମାଡ଼ ମାରୁଥିଲେ। ଶେଷରେ ଗତ ୯ ତାରିଖ ରାତିରେ ଚାକିରିରୁ ଇସ୍ତଫା ଦେଇ ସେ ଘରକୁ ଚାଲି ଆସିଥିଲେ। ଗୁରୁବାର ମଧ୍ୟାହ୍ନରେ ପୁରୁଣା ସନ୍ଦେହରୁ କ୍ରୋଧାନ୍ଧ ହୋଇ ବାପାଙ୍କୁ ତଳେ ପକାଇ ଛାତିକୁ ମୁଥ ମାରି ମାରି ହତ୍ୟା କରିଥିଲେ। ଆଖି ବୁଜି ଦେଇଥିଲେ ବୃଦ୍ଧ ରାଜକିଶୋର ।

ଦ୍ୱିତୀୟ ସନ୍ତାନ ଜନ୍ମ ବଢ଼ାଇଥିଲା ସନ୍ଦେହ
୫ ମାସ ପୂର୍ବେ ଦ୍ବିତୀୟ ସନ୍ତାନ ଜନ୍ମ ନେଇଥିଲା ଓ ଏହା ପରେ ରଞ୍ଜନଙ୍କ ମୁଣ୍ଡକୁ ପିତ୍ତ ଚଢ଼ି ଯାଇଥିଲା। ଡାକ୍ତରଖାନାକୁ ଫେରିଯିବା ପରେ ମଧ୍ୟ ସେଠାରୁ ସେ ଫୋନ୍ ଓ ଭିଡ଼ିଓ କଲ୍ କରି ତାଙ୍କ ସ୍ତ୍ରୀକୁ ନିହାତି କଦର୍ଯ୍ୟ ଭାଷାରେ ଗାଳିଗୁଲଜ କରୁଥିଲେ। ତେବେ ହଠାତ୍‌ ଦିନେ ଘରକୁ ଆସି ବାପାଙ୍କୁ ଉକ୍ତ ଦ୍ବିତୀୟ ସନ୍ତାନର ବାପା କିଏ ବୋଲି ପ୍ରଶ୍ନ କରିଥିଲେ। ଖାଲି ପ୍ରଶ୍ନ କରିନଥିଲେ, ବାପା ରାଜକିଶୋରଙ୍କୁ ମାଡ଼ ମାରିଥିଲେ। ଖୋଲାଖୋଲି ଭାବେ ରାଜକିଶୋରଙ୍କୁ ସେହି ଦ୍ବିତୀୟ ସନ୍ତାନର ବାପା ବୋଲି ଆରୋପ ଲଗାଇଥିଲେ। ଲୋକଲଜ୍ଜାକୁ ଡରି ପୁଅ ହାତରୁ ମାଡ଼ ଗାଳି ଖାଇ ବୃଦ୍ଧ ରାଜକିଶୋର ମୁହଁ ଖୋଲି ନଥିଲେ। ଏମିତିକି ତାଙ୍କ ସ୍ତ୍ରୀ ମଧ୍ୟ ଏଭଳି କୁତ୍ସିତ କଥାକୁ ଦାଣ୍ଡରେ ପକାଇ ଲଜ୍ଜିତ ହେବା ଅପେକ୍ଷା ସବୁ ସହିଯିବାକୁ ଶ୍ରେୟ ମଣିଥିଲେ। କଥା ଏତିକିରେ ଅଟକିନଥିଲା। ଗତ ରଜ ସମୟରେ ରଞ୍ଜନ ଘରକୁ ଆସି ପତ୍ନୀଙ୍କୁ ମାରପିଟ୍ କରିଥିଲେ ଓ ଦୁଇ ଛୁଆଙ୍କ ସହ ତାଙ୍କୁ ତାଙ୍କ ବାପଘରକୁ ପଠାଇ ଦେଇଥିଲେ। ଏହା ପରେ ମଧ୍ୟ ତାଙ୍କ ମନରୁ ରାଗ ଥମିବା ନାଁ ଧରି ନଥିଲା। ସ୍ତ୍ରୀ ନଥିବାରୁ ସେ ବାପାଙ୍କ ଉପରେ ସବୁ ରାଗ ଶୁଝାଉଥିଲେ। ହଠାତ୍ ଗତ ୯ ତାରିଖରେ ସେ ନିଜେ ଚାକିରିରୁ ଇସ୍ତଫା ଦେଇ ଘରକୁ ପଳାଇ ଆସିଥିଲେ। ସେହି ଦିନଠାରୁ ପ୍ରତ୍ୟେକ ଦିନ ସେ ବାପାଙ୍କୁ ଗାଳିଗୁଲଜ କରିବା ସହ ମାରପିଟ୍ କରୁଥିଲେ। ଖଣ୍ଡଗିରି ଥାନା ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ କରାଇଥିଲା। ବ୍ୟବଚ୍ଛେଦ ରିପୋର୍ଟରୁ ସବୁ ସତ ମିଳି ଯାଇଥିଲା।

ଗୁରୁବାରର ସେହି କାଳ ମଧ୍ୟାହ୍ନ
ଗୁରୁବାର ମଧ୍ୟାହ୍ନରେ ରଞ୍ଜନଙ୍କ ରାଗ ପଞ୍ଚମକୁ ଉଠି ଯାଇଥିଲା। ପୁଣି ସେହି ପ୍ରଶ୍ନ ଦୋହରାଇଥିଲେ। ‘ମୋ ଦୁଇ ଛୁଆର ବାପା କିଏ, ମୁଁ ନା ତମେ?’ ପୁଅର ପାଗଳାମିରେ ଅତିଷ୍ଠ ବାପା କିଛି ନକହି ସେଠାରୁ ଚାଲିଯିବାକୁ ବସିବାରୁ ରଞ୍ଜନଙ୍କ ରାଗ ଆହୁରି ବଢ଼ି ଯାଇଥିଲା। ତାଙ୍କୁ ଟାଣି ନେଇ ଚଟାଣ ଉପରେ କଚାଡ଼ି ଦେଇଥିଲେ ରଞ୍ଜନ। ଛାତିକୁ ମୁଥ ପରେ ମୁଥ ମାରି ଚାଲିଥିଲେ। ଫଳରେ କଙ୍କାଳ ହାଡ଼ ଭାଙ୍ଗି ଯାଇଥିଲା ଓ ସେଇଠି ଆଖି ବୁଜି ଦେଇଥିଲେ ବୃଦ୍ଧ ରାଜକିଶୋର। ସବୁ ଦେଖୁଥିଲେ ବଡ଼ ଭଉଣୀ। କିନ୍ତୁ ପ୍ରତିବାଦ କରିବାର ଜୁ’ ନଥିଲା ତାଙ୍କର। ବାପା ମରିଯିବା ଦେଖି ରଞ୍ଜନ ଖସିବା ପାଇଁ ଉପାୟ ପାଞ୍ଚିଥିଲେ। ଆମ୍ବୁଲାନ୍‌ସ ଡକାଇ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। ପାଇଖାନାରେ ପଡ଼ି ଯାଇଥିବା ଦର୍ଶାଇଥିଲେ। କିନ୍ତୁ ଡାକ୍ତରଙ୍କର ସନ୍ଦେହ ହୋଇଥିଲା। କଙ୍କାଳ ଭାଙ୍ଗି ଯାଇଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି କ୍ୟାପିଟାଲ ହସ୍ପିଟାଲର ଡାକ୍ତର ନିଶ୍ଚିତ ହୋଇ ପୁଲିସକୁ ଖବର ଦେଇଥିଲେ। ଖଣ୍ଡଗିରି ଥାନା ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ କରାଇଥିଲା। ଶୁକ୍ରବାର ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସବୁ ସତ ମିଳି ଯାଇଥିଲା। ବଡ଼ ଭଉଣୀକୁ ପୁଲିସ ପଚରାଉଚରା କରିବା ପରେ ସେ ମଧ୍ୟ ସବୁ ସତ ବଖାଣିଥିଲେ।

ସମ୍ବନ୍ଧିତ ଖବର