ନିର୍ଯାତିତ ଅଭିଭାବକଙ୍କୁ ଉଦ୍ଧାର କରିବାକୁ ଯାଇ ହଟହଟା, ପିପର-ସ୍ପ୍ରେ କରି ୪ ପୁଲିସଙ୍କୁ ଆହତ କଲେ ଯୁବକ

ବାଲେଶ୍ବର: ଜଣେ ଯୁବକ ନିଜ ବାପା-ମାଙ୍କୁ ବନ୍ଦ ଘରେ ରଖି ନିର୍ଯ‌ାତନା ଦେଉଥିବା ଖବର ପାଇ ଉଦ୍ଧାର କରିବାକୁ ଯାଇଥିଲେ ପୁଲିସ। କାଳେ ଯୁବକଜଣକ ଜାଣିପାରିବେ ସେଥିଲାଗି ପୁଲିସକର୍ମୀମାନେ ସାଦା ପୋଷାକ ବି ଧାରଣ କରିଥିଲେ। ହେଲେ ତାଙ୍କ ଘରେ ପହଞ୍ଚି ଯେତେବେଳେ ତାଙ୍କୁ କାବୁ କରଥିଲେ, ଯୁବକଜଣକ ସେମାନଙ୍କୁ ପୁଲିସ ବୋଲି ଜାଣିପାରିଥିଲେ। ଆଉ ଖସିବାକୁ ଉଦ୍ୟମ କରି ପକଟେରେ ରଖିଥିବା ପିପର ସ୍ପ୍ରେ ପୁଲିସକର୍ମୀଙ୍କ ଉପରକୁ ମାରିଥିଲେ। ଫଳରେ ୪ ପୁଲିସକର୍ମୀଙ୍କ ସମେତ ୨ ପଡ଼ୋଶୀ ଲୋକ ଆହତ ହୋଇଥିଲେ। ମାତ୍ର ଉନ୍ମତ୍ତ ଯୁବକଙ୍କୁ କାବୁ କରିବାରେ ପୁଲିସ ସଫଳ ହୋଇଥିବା ବେଳେ ଗିରଫ କରି ଆଜି କୋର୍ଟଚାଲାଣ କରିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ରବିବାର ରାତିରେ ବାଲେଶ୍ବର ସହରର ବୈରାମନଗର ଅଞ୍ଚଳର ଜଣେ ଅବସରପ୍ରାପ୍ତ ସରକାରୀ ଅଧିକାରୀଙ୍କ ଘରେ ଏହି ଅଭାବନୀୟ ଘଟଣା ଘଟିଥିଲା। ବାଲେଶ୍ବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପୂର୍ବରୁ ଅଫିସ ସୁପରିନ୍‌ଟେଣ୍ଡେଣ୍ଟ ଭାବେ ଦାୟିତ୍ବରେ ଥିବା ଏହି ଅବସରପ୍ରାପ୍ତ ଅଧିକାରୀଙ୍କର ୪ ଝିଅ ଓ ଗୋଟିଏ ପୁଅ ଅଛନ୍ତି। ସମସ୍ତେ ଉଚ୍ଚଶିକ୍ଷିତ ହୋଇଥିବା ବେଳେ ଝିଅମାନେ ବାହା ହୋଇ ସାରିଛନ୍ତି। ପୁଅର ସବୁ ଅଳିଅର୍ଦ୍ଦଳି ବାପା-ମା’ ପୂରଣ କରିଥା‌ନ୍ତି। ‌ଏବେ ତାଙ୍କୁ ୨୮ ବର୍ଷ ବୟସ ହୋଇଥିବା ବେଳେ ଗତ ୬/୭ ମାସ ହେଲା ବାପା-ମାଙ୍କଠାରୁ ମନଇଚ୍ଛା‌ ଟଙ୍କା ମାଗିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଆସୁଛନ୍ତି। ତେବେ ଶନିବାର ବିଳମ୍ବିତ ରାତିରେ ଯୁବକଜଣକ ବାପାମା’ଙ୍କୁ ଏକ ଘରେ ପୂରାଇ ବାନ୍ଧି ଦେବା ସହ ଜମିବାଡ଼ି ସବୁ ତା’ ନାଁରେ କରିବାକୁ ଧମକ ଦେଇ ଚାଲିଯାଇଥିଲା। ଏହାପରେ ସକାଳେ ସେ ଶୋଇଯାଇଥିବା ଦେଖି ପଡ଼ୋଶୀ ଲୋକଙ୍କ ସହଯୋଗରେ ବାପା ବନ୍ଦ ଘରୁ ବାହାରି ଟାଉନ ଥାନାର ଦ୍ବାରସ୍ଥ ହୋଇଥିଲେ। ସେଠାରେ ପୁଲିସକୁ ସବୁକଥା ଜଣାଇବା ପରେ ପୂର୍ବ ଯୋଜନା ମୁତାବକ ଯୁବକଙ୍କୁ ଧରିବା ଲାଗି ଗତକାଲି ସଂଧ୍ୟାରେ ୪ ଜଣ ପୁଲିସକର୍ମୀ ସାଦା ପୋଷାକରେ ତାଙ୍କ ଘରକୁ ଯାଇଥିଲେ। ହେଲେ ପଚରାଉଚରା ବେଳେ ଯୁବକଜଣକ ସେମାନଙ୍କୁ ଜାଣିପାରି ସେଠାରୁ ଖସିବା ଲାଗି ପାଖରେ ରଖିଥିବା ପିପର ସ୍ପ୍ରେ ବାହାର କରି ସିଧା ପୁଲିସକର୍ମୀଙ୍କ ମୁହଁକୁ ମାରିଥିଲା। ଫଳରେ ୪ ପୁଲିସକର୍ମୀଙ୍କ ସମେତ ସେଠାରେ ଉପସ୍ଥିତ ଥିବା ୨ ଜଣ ପଡ଼ୋଶୀ ଲୋକ ମଧ୍ୟ ଆହତ ହୋଇଥିଲେ। ତେବେ ଯୁବକଜଣଙ୍କୁ କାବୁ କରି ପୁଲିସକର୍ମୀ ଥାନାକୁ ନେଇଥିଲେ। ତାଙ୍କ ପକେଟରୁ ଏକ ଛୁରୀ ମଧ୍ୟ ଜବତ କରାଯାଇଥିଲା। ଯୁବକଙ୍କ ଏମିତି ହେବା ପଛରେ କାରଣ ଘର ଲୋକ ଜାଣିପାରୁ ନଥିବା କହିଛନ୍ତି। ସେମାନଙ୍କ ଅଭିଯୋଗ କ୍ରମେ ୧୬୩/୨୦ରେ ମାମଲା ରୁଜୁ କରାଯାଇ ତାଙ୍କୁ କୋର୍ଟଚାଲାଣ କରାଯାଇଥିବା ଆଇଆଇସି ଶୁଭ୍ରାଂଶୁ ଶେଖର ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର