ରାଜ୍ୟସଭା ଉପାଧ୍ୟକ୍ଷ କମିଟିରେ ସ୍ଥାନ ପାଇଲେ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର

ଭୁବନେଶ୍ୱର : ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିଆ ନାଇଡୁ ଆଜି ରାଜ୍ୟସଭା ଉପାଧ୍ୟକ୍ଷ କମିଟିର ପୁନର୍ଗଠନ କରିଛନ୍ତି । ଏହି ୬ ଜଣିଆ କମିଟିରେ ବିଜେଡ଼ି ରାଜ୍ୟସଭା ସଦସ୍ୟ ସସ୍ମିତ ପାତ୍ର ସ୍ଥାନ ପାଇଛନ୍ତି ।

ଏହି କମିଟିରେ ସ୍ଥାନ ପାଇଥିବା ଅନ୍ୟ ରାଜ୍ୟସଭା ସଦସ୍ୟମାନେ ହେଲେ ବିଜେପିର ଭୁବନେଶ୍ୱର କଲିଟା, ଏନସିପିର ବନ୍ଦନା ଚଭନ, ତୃଣମୂଳ କଂଗ୍ରେସର ଶୁଖେନ୍ଦୁ ଶେଖର ରାୟ, ସମାଜବାଦି ପାର୍ଟିର ସୁରେନ୍ଦ୍ର ସିଂ ନାଗର ଓ କଂଗ୍ରେସର ଡ. ଏଲ.ହନୁମନ୍ତିଆ ।

ଆଜି ରାଜ୍ୟସଭା ସଚିବାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇ ଏସବୁ ସଦସ୍ୟଙ୍କ ମନୋନୟନ ସଂପର୍କରେ ଘୋଷଣା କରାଯାଇଛି ।
ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ରାଜ୍ୟସଭା ଅଧ୍ୟକ୍ଷ ରାଜ୍ୟସଭା ସଦସ୍ୟମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଉପାଧ୍ୟକ୍ଷ କମିଟିକୁ ମନୋନୀତ କରନ୍ତି । ରାଜ୍ୟସଭାରେ ଅଧ୍ୟକ୍ଷ, ଉପାଧ୍ୟକ୍ଷ ଅନୁପସ୍ଥିତ ରହିଲେ ଏହି କମିଟି ମଧ୍ୟରୁ ଜଣେ ରାଜ୍ୟସଭାରେ ସଭାପତିତ୍ୱ କରନ୍ତି । ରାଜ୍ୟସଭାରେ ବିଭିନ୍ନ ଦଳର ସଂଖ୍ୟାକୁ ଦେଖି ଏହି ସଦସ୍ୟମାନଙ୍କୁ ମନୋନୀତ କରାଯାଇଥାଏ । ଏହି ମନୋନୟନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ସହ ପରାମର୍ଶ କରାଯାଏ । 

ବର୍ତ୍ତମାନ ରାଜ୍ୟସଭାରେ କୌଣସି ଉପାଧ୍ୟକ୍ଷ ନାହାନ୍ତି । ଜେଡିୟୁ ରାଜ୍ୟସଭା ସାଂସଦ ହରିବଂଶଙ୍କ ଅବସର ପରେ ଏହି ପଦ ଖାଲି ରହିଛି । କିନ୍ତୁ ହରିବଂଶ ପୁଣି ଥରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବାରୁ ସେ ଏନଡିଏରୁ ପୁଣି ଉପାଧ୍ୟକ୍ଷ ପ୍ରାର୍ଥୀ ହେବା ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର