ଚୁଲିକି ଯାଇଛି ଗୃହ ସଂଗରୋଧ, ମାନୁ ନାହାନ୍ତି ପୃଥକବାସ ଅଟୋଚାଳକ

ବାଲିଅନ୍ତା : ସ୍ଥାନୀୟ ପ୍ରତାପଶାସନ ପଞ୍ଚାୟତରେ ଚୁଲିକି ଯାଇଛି ଗୃହ ସଂଗରୋଧ ବ୍ୟବସ୍ଥା। ପୃଥକବାସରେ ରହୁଥିବା ପରିବାର ଆଦୌ କୋଭିଡ୍‌ କଟକଣା ମାନୁନଥିବା ଅଭିଯୋଗ ହେଉଛି। ବିଶେଷକରି ପଜିଟିଭ୍‌ ଚିହ୍ନଟ ହୋଇ ଗୃହ ସଂଗରୋଧରେ ଥିବା ଗୋଟିଏ ଗ୍ରାମର ଏକାଧିକ ଅଟୋ ଚାଳକ ଲୋକଙ୍କ ଚିନ୍ତା ବଢ଼ାଇଛନ୍ତି। ଲକ୍ଷଣ ନଥିବାରୁ ସେମାନଙ୍କୁ ଗୃହ ସଂଗରୋଧରେ ରହିବା ପାଇଁ ପଞ୍ଚାୟତ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ସେମାନେ ଏହି ନିର୍ଦ୍ଦେଶକୁ ଫୁ’ କରି ଦେଇଥିବା ଦେଖିବାକୁ ମିଳୁଛି। ସଂଗରୋଧରେ ରହିବା ପରିବର୍ତ୍ତେ ସେମାନେ ଅଟୋ ଚଳାଇ ବୁଲୁଛନ୍ତି ଓ ମହାମାରୀ କରୋନା ସଂକ୍ରମଣର ବାହକ ସାଜିଛନ୍ତି ବୋଲି ଚର୍ଚ୍ଚା ହେଉଛି।

ବାଲିଅନ୍ତା ବ୍ଲକରେ ବାଳକାଟି ପ୍ରତାପଶାସନ ପଞ୍ଚାୟତ ଏବେ ଏକପ୍ରକାର ହଟ୍‌ସ୍ପଟ୍‌ ଅଞ୍ଚଳଭାବେ ପରିଚିତି ଲାଭ କରିଛି। ଏବେ ଏଠାରେ ଶତାଧିକ ବ୍ୟକ୍ତି ଗୃହ ସଂଗରୋଧରେ ରହିବାକୁ ନିର୍ଦ୍ଦେଶ ରହିଛି। ସାଂଘାତିକ କଥା ହେଉଛି, ପୂର୍ବରୁ ଏହି ପଞ୍ଚାୟତର ବିଭିନ୍ନ ୱାର୍ଡରୁ ୮ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି। ତେଣୁ ଅଧିକ ସଂକ୍ରମିତ ହୋଇଥିବା ଗ୍ରାମଗୁଡ଼ିକୁ ସରପଞ୍ଚ ଭାଗ୍ୟଧର ନନ୍ଦୀ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ସିଲ୍‌ କରିଛନ୍ତି। ଅଥଚ ଏଠାରେ କରୋନା ସଂକ୍ରମଣ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଥିବାବେଳେ ସରକାରଙ୍କ କୋଭିଡ୍‌ ନିୟମ ଠିକ୍‌ରେ କାର୍ଯ୍ୟକାରୀ ହେଉନାହିଁ ବୋଲି ଅଭିଯୋଗ ହେଉଛି। ଗାଁ ସିଲ୍‌ କରାଯାଇଛି, ବାଉଁଶ ଧଡ଼ା ବନ୍ଧାଯାଇ ରାସ୍ତା ବନ୍ଦ କରାଯାଇଛି ଓ ଏଥିପାଇଁ ନୋଟିସ୍‌ ମଧ୍ୟ ଲଗାଯାଇଛି। ହେଲେ ଗାଁର ଲୋକମାନେ ଅନ୍ୟ ରାସ୍ତାରେ ଗଳିପଶି ଯାତାୟାତ କରୁଛନ୍ତି। କିଛି କାମ ନଥାଇ ବି ସଂକ୍ରମିତ ପରିବାରର ଯୁବକମାନେ ବାଇକ୍‌ରେ ଘୂରି ବୁଲୁଛନ୍ତି। ଅଟୋଚାଳକମାନେ ବେପାର ପାଇଁ ବାହାରକୁ ଯା’ଆସ କରୁଛନ୍ତି। କେହି ପ୍ରତିବାଦ କଲେ, ଆକ୍ରମଣ କରିବାକୁ ଆଗେଇ ଆସୁଛନ୍ତି। ଫଳରେ ଗଣ୍ଡଗୋଳ ଆଶଙ୍କାରେ ବହୁ ଲୋକ ମୁହଁ ଖୋଲିବାକୁ ସାହସ ଜୁଟାଇ ପାରୁନାହାନ୍ତି। ବରଂ କରୋନା ସଂକ୍ରମିତ ନ ହୋଇ ମଧ୍ୟ ସେମାନେ ନିଜକୁ ସଂଗରୋଧରେ ରଖିବା ଭଳି ଚଳପ୍ରଚଳ ହେଉଛନ୍ତି। ସଂକ୍ରମିତଙ୍କ ଏଭଳି ଆଚରଣ ବାବଦରେ କିଛି ‌ସଚେତନ ବ୍ୟକ୍ତି ନାମ ଗୋପନ ରଖି ଗଣମାଧ୍ୟମ ଜରିଆରେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଛନ୍ତି। ତେଣୁ ତହସିଲ, ବ୍ଲକ ଓ ସ୍ଥାନୀୟ ପୁଲିସ ପ୍ରଶାସନ ନିରବଦ୍ରଷ୍ଟା ନ ସାଜି ତୁରନ୍ତ ଏ ଦିଗରେ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ସେମାନେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର