ଉଭୟ ସଂକ୍ରମିତ ଥିଲେ, ସୁସ୍ଥ ହୋଇ ଫେରିଥିଲେ ପିତା
ଶବକୁ ମିଳିଲାନି ଚାରିକାନ୍ଧ
ପ୍ରସାଶନ ସହାୟତାରେ ହେଲା ଶବ ସତ୍କାର
Sambad is now on WhatsApp
Join and get latest news updates delivered to you via WhatsApp
ବାରିପଦା : ଥମୁନି କରୋନାର କରୁଣ କାହାଣୀ। ଆଖି ଆଗରେ ଚାଲିଗଲା ରୋଜଗାରିଆ ପୁଅ। ଆଉ ପୁଅର ଦଶାହ କର୍ମ ସମ୍ପନ୍ନ ପରେ ମୃତ୍ୟୁବରଣ କଲେ ପିତା। ଏମିତି ହୃଦୟବିଦାରକ କଥା ଆସିଛି ଜିଲ୍ଲାର ଶ୍ୟାମାଖୁଣ୍ଟା ବ୍ଲକ୍ ଧନପୁର ଗାଁରୁ।
ଏହି ଗ୍ରାମର ଶ୍ରୀବତ୍ସ ବେହେରାଙ୍କ ପରିବାରରେ ନିଜେ ଶ୍ରୀବତ୍ସ ଏବଂ ନହଣ୍ଡାଶୋଳ ଆଶ୍ରମ ସ୍କୁଲରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ପୁଅ ପ୍ରବୀର କୁମାର ବେହେରା ଉଭୟଙ୍କୁ କିଛିଦିନ ତଳେ କରୋନା ସଂକ୍ରମିତ ହୋଇଥିଲେ। ପ୍ରବୀରଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରସ୍ଥିତ ଏକ କୋଭିଡ୍ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କର ଶରୀର ଅଧିକ ଅସୁସ୍ଥ ହୋଇଥିଲା। ଶେଷରେ ସେ ମୃତ୍ୟୁବରଣ କରିଥିଲେ। ମାତ୍ର ପିତା ଶ୍ରୀବତ୍ସ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିଲେ। ଗୁରୁବାର ଦିନ ମୃତ ପୁଅ ପ୍ରବୀରଙ୍କର ଦଶାହ କର୍ମ ଥିଲା । ପୁଅର ଦଶାହ କର୍ମ ସମାପନ କରିଥିଲେ। ସବୁ ଠିକଠାକ ଥିବା ବେଳେ ରାତିରେ ହଠାତ୍ ଶ୍ରୀବତ୍ସଙ୍କର ମୃତ୍ୟୁ ଘଟିଥିଲା। ତେବେ ଉକ୍ତ ପରିବାରରେ ଅନ୍ୟକେହି ପୁରୁଷ ଲୋକ ନଥିବାରୁ ଘରଲୋକ ଜ୍ଞାତି କୁଟୁମ୍ବ ତଥା ପଡ଼ୋଶୀ ସମସ୍ତଙ୍କୁ ଜଣାଇବା ପରେ ମଧ୍ୟ କେହି ଆସିନଥିଲେ । ଶ୍ରୀବତ୍ସ କରୋନାରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କ ଶବ ବେସାହାରା ହୋଇ ପଡିରହିଥିଲା।
ଦୀର୍ଘ ଘଣ୍ଟା ଅତିକ୍ରମ ହେଲାପରେ ଗତକାଲି ନିରୁପାୟ ହୋଇ ସ୍ଥାନୀୟ ସରପଞ୍ଚ, ବ୍ଲକ୍ ପ୍ରସାଶନକୁ ଖବର ଦିଆଯାଇଥିଲେ ମଧ୍ୟ ସହସା କୌଣସି ସମାଧାନର ବାଟ ବାହାରିନଥିଲା । ଏବାବଦରେ ଜିଲ୍ଲାପାଳଙ୍କୁ ଅବଗତ କରାଯିବାପରେ ପ୍ରଶାସନ ଘଟଣାକୁ ଗୁରୁତ୍ବର ସହିତ ନେଇ ଶବ ସତ୍କାରର ବ୍ୟବସ୍ଥା କରିଥିଲେ । ସାହି ପଡ଼ୋଶୀ କେହି ଶବସତ୍କାରରେ ସହଯୋଗ କରିବାକୁ ରାଜି ନହେବାରୁ ନିଜେ ଶ୍ୟାମାଖୁଣ୍ଟା ବିଡିଓ ଘଟଣାସ୍ଥଳରେ ଉପସ୍ଥିତ ରହି ସରପଞ୍ଚଙ୍କ ସହାୟତାରେ ଶ୍ରୀବତ୍ସଙ୍କର ଅନ୍ତ୍ୟେଷ୍ଟିକ୍ରିୟା ସମାପ୍ତ କରିଥିଲେ। ଜିଲ୍ଲା ପ୍ରସାଶନ ପକ୍ଷରୁ ଅର୍ଥ ଖର୍ଚ୍ଚ କରାଯାଇ ଶବସତ୍କାର କାର୍ଯ୍ୟ କରୁଥିବା ସ୍ୱତନ୍ତ୍ର ଟିମ୍କୁ ଡାକି ଘରୁ ଶ୍ରୀବତ୍ସଙ୍କ ଶବ ଉଠାଯାଇଥିଲା । କରୋନା ସଂକ୍ରମଣର ଭୟ ମଣିଷ ଠାରୁ ଆଜି ମାନବିକତା ଛଡେଇ ନେଇଥିବା ପରିଲକ୍ଷିତ ହୋଇଛି।
ଶ୍ରୀବତ୍ସଙ୍କ ଶବ ଦୀର୍ଘ ଘଣ୍ଟା ପଡ଼ିରହିଥିଲେ ମଧ୍ୟ କେହି ସହଯୋଗ ନକରିବା ଭିନ୍ନ ଏକ ପରମ୍ପରା ସୃଷ୍ଟି କରିଛି। କରୋନା ଭୟରେ ଆଉ କେହି ମଧ୍ୟ ନିଜର ହେଉନଥିବା ଭଳି ଦୃଷ୍ଟାନ୍ତ ଆଗକୁ ଆସୁଛି। ଆମ ସମାଜରେ ଶବକୁ ସବୁବେଳେ ସ୍ୱତନ୍ତ୍ର ସମ୍ମାନ ଦିଆଯାଉଥିବା ବେଳେ ଏବେ ଶବ ପାଲଟି ଯାଉଛି ଅସହାୟ । କାନ୍ଧ ଦେବାତ’ ଦୂରର କଥା ଛୁଇଁବାକୁ ମଧ୍ୟ କେହି ସାହାସ ଜୁଟାଇ ପାରୁନାହାନ୍ତି। ଶ୍ରୀବତ୍ସଙ୍କ ଘର ତଥା ଗ୍ରାମକୁ କୋଭିଡ ରୁଲ୍ ଆଧାରରେ ବିଶୋଧନ କରାଯିବା ସହିତ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟକ୍ରମ ସମ୍ପାଦନ କରାଯିବ ବୋଲି ଶ୍ୟାମାଖୁଣ୍ଟା ବିଡିଓ ସୂଚନା ଦେଇଛନ୍ତି।