ବୀରମହାରାଜପୁର: ସ୍ଥାନୀୟ ଲୋକଙ୍କ ଆକ୍ରମଣରେ ଭାଲୁ ଛୁଆର ମୃତ୍ୟୁ ଅଭିଯୋଗ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ବନାଞ୍ଚଳ ଅଞ୍ଚଳର ଦୁରଦୁରାରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ଅଞ୍ଚଳର କିଛି ଲୋକଙ୍କ ଆକ୍ରମଣରେ ଏକ ଭାଲୁ ଛୁଆର ମୃତ୍ୟୁ ଘଟିଥିବା ଅଭି‌ଯୋଗ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ ଏକ ବର୍ଷର ଭାଲୁଛୁଆଟି ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ବାହାରି ଆସିଥିଲା। ଭାଲୁଟି ଆଉ ଜଙ୍ଗଲକୁ ନ ଫେରି ଡୁଲେଶ୍ବର ମହାନଦୀ ପାଖାପାଖି ଅଞ୍ଚଳରେ ରହିଯାଇଥିଲା। ୧୯ ତାରିଖ ଦିନ ୧୧ଟା ବେଳକୁ କିଛି ଲୋକ ଛୁଆ ଭାଲୁଟିକୁ ଘେରିଯାଇ ପିଟି ପିଟି ମାରି ଦେଇଥିବା ଜାଣିବାକୁ ମିଳିଛି । ଏପରିକି ଭାଲୁର ପାଟିରୁ ରକ୍ତସ୍ରାବ ମଧ୍ୟ ହେଉଥିଲା। ଏହାସହିତ ଭାଲୁଟିର ଗୋଡ଼ରେ  ଆଘାତ ଲାଗିଥିବା ବି ଦେଖିବାକୁ ମିଳିଥିଲା।

ଖବର ପାଇ ସୁବଳୟା ରେଞ୍ଜର ଅବିନାଶ ବେହେରା ତାଙ୍କ ଦୁଇଜଣ ସହଯୋଗୀ ପ୍ରଜ୍ଞା ପରିମିତା ମିଶ୍ର ଓ ପ୍ରବୀଣ ରଥଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ସୁବଳୟା ପ୍ରାଣୀ ଚିକିତ୍ସକ ଡାକ୍ତର ପ୍ରିୟବ୍ରତ ବେହେରା ବ୍ୟବଚ୍ଛେଦ କଲାପରେ ମୃତ ଭାଲୁ ଛୁଆର ଶବୁକୁ ନିକଟସ୍ଥ ଜଙ୍ଗଲରେ ପୋତି ଦିଆଯାଇଥିଲା । ଏହାକୁ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ଅଧିକ ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର