ମୁମ୍ବାଇ ୧୦ ୱିକେଟରେ ବିଜୟୀ

ବୋଲ୍ଟ-ବୁମରା, ଈଶାନ-ଡି’କକ୍‌ଙ୍କ ଚେନ୍ନାଇ ଶିକାର

ସାରଜା : ଚେନ୍ନାଇ ସୁପର୍‌ କିଙ୍ଗ୍ସର ମନୋବଳ ଏତେ ତଳକୁ ଯାଇଛି ଯେ ଉପରକୁ ଉଠିବାର ନାଁ ଧରୁନି। ତିନି ତିନି ଥର ବିଜେତା ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଚଳିତ ଆଇପିଏଲ୍‌ରେ ପଏଣ୍ଟ୍‌ ଟେବୁଲ୍‌ ଶେଷ ସ୍ଥାନ ଛାଡ଼ିବାର କୌଣସି ସମ୍ଭାବନା ବି ରଖୁନାହିଁ। ‘କର ବା ମର’ ସ୍ଥିତିରେ ପଡ଼ିଥି‌ଲେ ମଧ୍ୟ ଶୁକ୍ରବାର ମ୍ୟାଚ୍‌ରେ ଚେନ୍ନାଇ ଦୟନୀୟ ଭାବେ ୧୦ ୱିକେଟରେ ହାରିଛି। ମୁମ୍ବାଇ ଇଣ୍ଡିଆନ୍ସର ଦୁଇ ଘାତକ ବୋଲର ଟ୍ରେଣ୍ଟ୍‌ ବୋଲ୍ଟ ଏବଂ ଯଶପ୍ରୀତ୍ ବୁମରା ମିଳିତ ଭାବେ ୬ ୱିକେଟ୍ ଅକ୍ତିଆର କରିବାରୁ ଚେନ୍ନାଇର ଚମକହୀନ ପ୍ରଦର୍ଶନ ଜାରି ରହିଛି। ଚେନ୍ନାଇର ୧୧୪ ରନ୍‌ ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏହ‌ାର ପ୍ରାରମ୍ଭିକ ଯୋଡ଼ି କ୍ବିଣ୍ଟନ୍ ଡି’କକ୍‌ (୪୬*, ୩୭ ବଲ୍‌) ଏବଂ ଈଶାନ କିଷନ୍ (୬୮*, ୩୭ ବଲ୍‌) ଶତକୀୟ ଭାଗୀଦାରି ଗଢ଼ି ଦଳକୁ ଚଳିତ ଋତୁର ଦ୍ରୁତତମ ବିଜୟ ପ୍ରଦାନ କରିଥିଲେ। ତ୍ର‌ୟୋଦଶ ଓଭରରେ ତଥା ୪୬ ବଲ ପୂର୍ବରୁ ଏହି ୪ ଥର ବିଜେତା ଦଳ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ଦଶମ ମ୍ୟାଚ୍‌ରୁ ମୁମ୍ବାଇ ସପ୍ତମ ବିଜୟ ସହ ଶୀର୍ଷକୁ ଉଠିଥିବା ବେଳେ ଚେନ୍ନାଇ ଏକାଦଶ ମ୍ୟାଚ୍‌ରୁ ଅଷ୍ଟମ ପରାଜୟ ବରଣ କରିଥିଲା। ଉନ୍ନତ ରନ୍‌ ରେଟ୍‌ ସହିତ ମୁମ୍ବାଇ ପ୍ଲେ ଅଫ୍‌ ଦୌଡ଼ ସମ୍ଭାବନାକୁ ଏକ ପ୍ରକାର ନିଶ୍ଚିତ କରିଥିବା ବେଳେ ଚେନ୍ନାଇ କ୍ରମେ ଫିକା ପଡ଼ିବାରେ ଲାଗିଛି। ଶୁକ୍ରବାର ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ କିରନ ପୋଲାର୍ଡ ମୁମ୍ବାଇର ନେତୃତ୍ବ ନେଇଥିଲେ।

ସାରଜା ଷ୍ଟାଡିୟମ୍‌କୁ ମ୍ୟାଚ୍‌ ଫେରିଥିବାରୁ ପ୍ରଶଂସକମାନେ ଶୁକ୍ରବାର ବଡ଼ ସ୍କୋର୍‌ ଦେଖିବାର ଆଶା ରଖିଥିଲେ। ଚେନ୍ନାଇ ମଧ୍ୟ ନିଜ ଭାଗ୍ୟ ପରିବର୍ତନ ଆଶାରେ ପଡ଼ିଆକୁ ଭିନ୍ନ କୌଶଳରେ ଓହ୍ଲାଇଥିଲା। ସବୁ ଯୋଜନା କିନ୍ତୁ ଫସର ଫାଟିଥିଲା। ତିନି ଓଭର ନ ସରୁଣୁ ଚେନ୍ନାଇ ୪ ୱିକେଟ୍‌ ହରାଇ ଦେଇଥିଲା। ପାୱାର ପ୍ଲେ ଭିତରେ ଆଉ ଏକ ୱିକେଟ୍ ହରାଇ ୨୪/୫ରେ ସଂଘର୍ଷ କରିଥିଲା। ଋତୁରାଜ ଗାଏକ୍ବାଡ, ଫାପ୍ ଡୁ ପ୍ଲେସିସ୍, ଅମ୍ବାତି ରାୟୁଡୁ, ଏନ ଜଗଦୀଶାନ, ରବୀନ୍ଦ୍ର ଜାଦେଜା ପ୍ୟାଭିଲିଅନ୍‌ ଫେରି ଯିବାରୁ ଦଳର ମେରୁଦଣ୍ଡ ଭାଙ୍ଗିଯାଇଥିଲା। ହତାଶ ମହେନ୍ଦ୍ର ସିଂହ ଧୋନି (୧୬, ୧୬ ବଲ୍‌)ଙ୍କ ପାଳି ମାତ୍ର ୩ଟି ବାଉଣ୍ଡରିରେ ସୀମିତ ରହିଥିଲା। ଶେଷ ଭାଗରେ ସାମ୍ କରନ୍‌ (୫୨, ୪୭ ବଲ୍‌, ୪ ଚୌକା, ୨ ଛକା) ଆକର୍ଷଣୀୟ ଅର୍ଧଶତକ ହାସଲ କରିବାରୁ ଚେନ୍ନାଇ ନିଜ ସମ୍ମାନ ରକ୍ଷା କରି ଚଳିତ ଋତୁର ସର୍ବନିମ୍ନ ସ୍କୋର୍‌ରୁ ବର୍ତିଯାଇଥିଲା। ନିଜର ପ୍ରଥମ ୩ ଓଭରରେ ୫ ରନ୍‌ ଦେଇ ୩ ୱିକେଟ୍‌ ନେଇଥିବା ବୋଲ୍ଟ କିନ୍ତୁ ଶେଷ ଓଭରରେ ୧୩ ରନ୍ ବ୍ୟୟ କରି କରନଙ୍କ ୱିକେଟ୍‌ ନେଇଥିଲେ। ଟ୍ରେଣ୍ଟ୍‌ ବୋଲ୍ଟ (୪-୧-୧୮-୪), ଯଶପ୍ରୀତ୍ ବୁମରା (୪-୦-୨୫-୨), ରାହୁଲ ଚହର (୪-୦-୨୨-୨), ନାଥନ୍ କଲ୍ଟର ନାଇଲ୍ (୪-୦-୨୫-୧) ୱିକେଟ୍ ବାଣ୍ଟି ନେବାରୁ ଚେନ୍ନାଇ ୧୧୪/୯ରେ ସୀମିତ ରହିଥିଲା। ବୋଲ୍ଟ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ରୋହିତ ଆହତ
ବାମ ଗୋଡ଼ ମାଂସ ପେସୀରେ ଯନ୍ତ୍ରଣା ଯୋଗୁଁ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ଅନୁପସ୍ଥିତିରେ ୱେଷ୍ଟ୍‌ଇଣ୍ଡିଜ୍‌ ଅଲ୍‌ରାଉଣ୍ଡର କିରଣ ପୋଲାର୍ଡ ମୁମ୍ବାଇ ଦଳର ନେତୃତ୍ବ ଭାର ନେଇଛନ୍ତି। ଅଧିନାୟକ ଭାବେ ଦାୟିତ୍ବ ନେବା ପୋଲାର୍ଡଙ୍କ ପାଇଁ ଦ୍ବିତୀୟ ସୁଯୋଗ ହୋଇଛି। ଗତ ୧୮ ତାରିଖରେ ଦୁବାଇରେ ଖେଳା ଯାଇଥିବା କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ବିପକ୍ଷ ମ୍ୟାଚ୍‌ ବେଳେ ରୋହିତ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର