ମନ୍ଦିର ଖୋଲିବା ଦାବିରେ ଘଣ୍ଟ ପିଟି ପ୍ରତିବାଦ ଜଣାଇଲେ ବିରଜା ମନ୍ଦିର ସେବାୟତ

ଯାଜପୁର: ମନ୍ଦିର ଖୋଲିବା ଦାବିରେ ଘଂଟ ପିଟିଲେ ପୂଜକ । ଯାଜପୁର ଅଧିଷ୍ଟାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିର ସମ୍ମୁଖରେ ଘଂଟ ପିଟି ପ୍ରତିବାଦ କରିଛନ୍ତି ସେବାୟତ । ସରକାର ମନ୍ଦିର ଖୋଲନ୍ତୁ ନଚେତ ମାସିକ ୫ ହଜାର ଟଙ୍କାର ସହାୟତା ଦିଅନ୍ତୁ । ମାର୍ଚ୍ଚ ୨୨ ତାରିଖରୁ ଦୀର୍ଘ ୮ ମାସ ହେବ କରୋନା ମହାମାରୀ ପାଇଁ ମନ୍ଦିରକୁ ସାଧାରଣ ଭକ୍ତ ପ୍ରବେଶକୁ ବାରଣ ହୋଇଥିବାରୁ ରୋଜଗାର ହରାଇଛନ୍ତି ସେବାୟତ। ସାରା ରାଜ୍ୟରେ ମନ୍ଦିର ବନ୍ଦ ରହିଥିବା ବେଳେ ମା ବିରଜା ମନ୍ଦିର ମଧ୍ୟ ବନ୍ଦ ରହିଛି । ତେଣୁ ଦୈନିକ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଶହଶହ ଭକ୍ତ ଓ ପର୍ଯ୍ୟଟକ ଆଉ ଆସିପାରୁନାହାନ୍ତି ।

ରାଜ୍ୟ ସରକାର ବଡବଡ ସପିଂ ମଲ, ମଦ ଦୋକାନ, ବାର୍‌, ହୋଟେଲ ଓ ପର୍ଯ୍ୟଟନସ୍ଥଳୀକୁ ଖୋଲିବାକୁ ଅନୁମତି ଦେଇଥିବା ବେଳେ ରାଜ୍ୟରେ ମଠମନ୍ଦିରଗୁଡିକ ଏବେ ବି ବନ୍ଦ ହୋଇ ରହିଛି । ଫଳରେ କେବଳ ଯାତ୍ରୀ ସେବା ବାଧାପ୍ରାପ୍ତ ହେଉନି ପୂଜକମାନେ ମଧ୍ୟ ଅଭାବ ଅନଟନ ଦେଇ ଗତି କଲେଣି । ତେଣୁ ସେବାୟତମାନେ ପାଳି ଅନୁସାରେ ମାଙ୍କ ନୀତିକାନ୍ତି ସମାପନ କରୁଥିଲେ ମଧ୍ୟ ସାଧାରଣ ଦର୍ଶନ ବନ୍ଦ ରହିଥିବାରୁ ସେବାୟତଙ୍କ ରୋଜଗାର ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି । ସରକାର ତୁରନ୍ତ ସେବାୟତଙ୍କ ସମସ୍ୟା ବୁଝି ମନ୍ଦିର ଖୋଲିବାକୁ ଅନୁମତି ଦେବାକୁ ଦାବି ହୋଇଛି । ଭକ୍ତମାନେ ମଧ୍ୟ ମନ୍ଦିର ଖୋଲୁ ବୋଲି ଦାବି ରଖିଛନ୍ତି । ମନ୍ଦିର ନଖୋଲି ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ରାଜ୍ୟ ମନ୍ଦିର ସେବାୟତ ସଂଘ ସାଧାରଣ ସଂପାଦକ ଦେବୀ ପ୍ରସାଦ ପାଣି ପ୍ରକାଶ କରିଛନ୍ତି

ସମ୍ବନ୍ଧିତ ଖବର