ପରୀ ହତ୍ୟା ମାମଲା : ତଦନ୍ତ ନେଇ ହାଇକୋର୍ଟ କ୍ଷୁବ୍ଧ

ଏଯାଏ କରୁଛ କ’ଣ; କାହିଁକି ଗିରଫ ହୋଇନି ଅଭିଯୁକ୍ତ?

ପୀଡ଼ିତ ପରିବାରକୁ ସୁରକ୍ଷା ଦେବାକୁ ନୟାଗଡ଼ ଏସ୍‌ପିଙ୍କୁ ନିର୍ଦ୍ଦେଶ
ସରକାର ଦାଖଲ କରିବେ ଷ୍ଟାଟସ୍ ରିପୋର୍ଟ

କଟକ : ଜୁଲାଇ ମାସରୁ ଘଟଣା ଘଟିଲାଣି। ଅଭିଯୁକ୍ତଙ୍କୁ ଏଯାଏ କାହିଁକି ଗିରଫ କରାଯାଇନାହିଁ? ସରକାର ଏ ପର୍ଯ୍ୟନ୍ତ କରୁଛନ୍ତି କ’ଣ ? ନୟାଗଡ଼ ପରୀ ହତ୍ୟାକାଣ୍ଡ ଅଭିଯୋଗର ତଦନ୍ତ ପ୍ରକ୍ରିୟାକୁ ନେଇ ଏଭଳି ପ୍ରଶ୍ନ କରିବା ସହିତ କ୍ଷୁବ୍ଧ ହୋଇଛନ୍ତି ହାଇକୋର୍ଟ। ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଘଟଣାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାର ଶୁଣାଣି କରି ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ସହିତ ମୃତ ପରୀର ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ନୟାଗଡ଼ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୬ ତାରିଖକୁ ଧାର୍ଯ୍ୟ କରାଯାଇଛି। ସେହି ସମୟ ଭିତରେ ତଦନ୍ତର ସ୍ଥିତି ସଂପର୍କରେ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ପୁଲିସ ତଦନ୍ତ ଉପରେ ଭରସା ନାହିଁ, ତେଣୁ ଘଟଣାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଉ ଦର୍ଶାଇ ଆଇନଜୀବୀ ପଦ୍ମାଳୟା ମହାପାତ୍ରଙ୍କ ପକ୍ଷରୁ ଏହି ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଏହି ପ୍ରସଙ୍ଗକୁ ନେଇ ଅନ୍ୟ ଏକ ଜନସ୍ବାର୍ଥ ମାମଲା ମଧ୍ୟ ବିଚାରାଧୀନ ରହିଛି। ଆଜିର ଶୁଣାଣି ସମୟରେ ସରକାର କିନ୍ତୁ ଘଟଣାର ଏସଆଇଟି ତଦନ୍ତ କରାଯାଉଛି ଓ ପରୀର ପରିବାରକୁ ସୁରକ୍ଷା ପ୍ରଦାନ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ପକ୍ଷ ରଖିଥିଲେ। ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ତଥ୍ୟକୁ ନେଇ ହାଇକୋର୍ଟ କିନ୍ତୁ ସନ୍ତୁଷ୍ଟ ହୋଇ ନ ଥିବାବେଳେ ଆଗକୁ ଦୁଇଟିଯାକ ଜନସ୍ବାର୍ଥ ଆବେଦନର ଏକାଠି ଶୁଣାଣି କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଆଜି ମାମଲାର ଶୁଣାଣି ସମୟରେ ଆଇନଜୀବୀ ମହାପାତ୍ର ଦର୍ଶାଇଥିଲେ ଯେ ଗଲା ଜୁଲାଇ ୧୪ରେ ପରୀ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା।

ଜୁଲାଇ ୨୩ରେ ପରୀର କେବଳ କେତେ ଖଣ୍ଡ ହାଡ଼, ଖପୁରି, ଦାନ୍ତ ‌ଓ କେଶ ମିଳିଥିଲା। ପରୀର ହାତ ଗୋଡ, କିଡ଼ନି, ଆଖି ମିଳି ନଥିଲା। କେହି ଦୁର୍ବୃତ୍ତ ପରୀକୁ ହତ୍ୟା କରିବା ପରେ ଅଖାରେ ତା’ର ଶବ ବାନ୍ଧି ପକାଇ ଦେଇଥିବା ସନ୍ଦେହ କରାଯାଇଥିଲା। ପରୀ ନିଖୋଜ ଘଟଣାକୁ ନେଇ ପରୀର ପରିବାର ଲୋକେ ପ୍ରଥମେ ସ୍ଥାନୀୟ ଥାନାରେ ଜୁଲାଇ ୧୪ ତାରିଖରେ ଏତଲା ଦେଇଥିଲେ। କିନ୍ତୁ ଏହି ସମ୍ବେଦନଶୀଳ ପ୍ରସଂଗରେ ପୁଲିସ କିଛି ପଦକ୍ଷେପ ଗ୍ରହଣ କରି ନଥିଲା। ପରୀର ପରିବାର ଲୋକେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବିରୋଧରେ ପରୀର ପରିବାର ସଦସ୍ୟ ଅଭିଯୋଗ କରିବା ପରେ ମଧ୍ୟ ପୁଲିସ କିଛି ପଦକ୍ଷେପ ଗ୍ରହଣ କରି ନଥିଲା। ଏହି ଘଟଣାରେ ଜଣେ ମନ୍ତ୍ରୀ ପରୀର ହତ୍ୟାକାରୀକୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଛନ୍ତି ଓ ପୁଲିସ ଚାପରେ ରହିଛି ବୋଲି ଅଭିଯୋଗ ହୋଇଥିବା ବେଳେ ପୁଲିସ ତଦନ୍ତ ଉପରେ ଆଉ ଭରସା ନାହିଁ। ପରୀର ପରିବାର ସଦସ୍ୟଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ପରୀର ପରିବାର ସଦସ୍ୟଙ୍କ ଜୀବନ ପ୍ରତି ବିପଦ ରହିଛି। ପରୀର ବାପା ଜଣେ ସାଧାରଣ ଲୋକ ଓ ଅଟୋ ଚଳାଇ ପରିବାର ଭରଣପୋଷଣ କରୁଥିଲେ। ପରୀ ପରିବାରକୁ ନ୍ୟାୟ ପ୍ରଦାନ କରାଯିବା ସହିତ ଉପଯୁକ୍ତ କ୍ଷତିପୂରଣ ଦିଆଯିବା ଉଚିତ ବୋଲି ଆବେଦନକାରୀ ଯୁକ୍ତିରେ ଦର୍ଶାଇଥିଲେ। ଏହି ଘଟଣାର ତଦନ୍ତକୁ ହାଇକୋର୍ଟ ନିଜେ ତଦାରଖ କରନ୍ତୁ ନଚେତ ସ୍ବାଧୀନ ଏଜେନ୍ସି ବା ସିବିଆଇ ଦ୍ବାରା ତଦନ୍ତ କରାଯାଉ ବୋଲି ଆଇନଜୀବୀ ମହାପାତ୍ର ଅନୁରୋଧ କରିଥିଲେ।

ଏହି ପ୍ରସଙ୍ଗରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ମଧ୍ୟ ଏକ ମାମଲା ଦାୟର ହେବା ସହିତ ଘଟଣାର ସିବିଆଇ ତଦନ୍ତ ଆଉ ପରୀର ବାପା-ମାଙ୍କୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର