ଦିଲ୍ଲୀରେ କୃଷକ ଆନ୍ଦୋଳନ, ଉତ୍ତରପ୍ରଦେଶରେ କ୍ଷେତ ସମ୍ଭାଳୁଛନ୍ତି ମହିଳା

ମିରଟ୍ : ଦିଲ୍ଲୀରେ ଜାରି ରହିଥିବା କୃଷକ ଆନ୍ଦୋଳନକୁ ସମର୍ଥନ କରି ବିଭିନ୍ନ ରାଜ୍ୟରୁ କୃଷକମାନେ ଦିଲ୍ଲୀ ମୁହାଁ ହୋଇଛନ୍ତି ଏବଂ ଆନ୍ଦୋଳନ କରୁଛନ୍ତି। ଉତ୍ତରପ୍ରଦେଶରୁ କୃଷକମାନେ ବି ଦିଲ୍ଲୀରେ ଡେରା ପକାଇଛନ୍ତି। ଏହା ଫସଲ ଅମଳ ପାଇଁ ଉତ୍କୃଷ୍ଟ ସମୟ। କିନ୍ତୁ ଚାଷୀମାନେ ଆନ୍ଦୋଳନ କରିବା ସତ୍ତ୍ବେ ଉତ୍ତରପ୍ରଦେଶରେ ଚାଷ କାର୍ଯ୍ୟରେ କୌଣସି ବାଧା ଉପୁଜିନି। ଏଠାରେ ମହିଳାମାନେ କ୍ଷେତ ସମ୍ଭାଳୁଛନ୍ତି। ଶିକ୍ଷିତ ମହିଳାମାନେ ବି ଟ୍ରାକ୍ଟର ଚଳାଉଛନ୍ତି ଏବଂ ବିଲରେ ହଳ କରୁଛନ୍ତି। ଉତ୍ତରପ୍ରଦେଶ ମିରଟ୍‌ର ଘେଷୁପୁର ଗ୍ରାମର ଏଭଳି ଜଣେ ମହିଳା ହେଉଛନ୍ତି ନିଶୁ ଚୌଧୁରୀ। ୨୩ ବର୍ଷୀୟା ନିଶୁ ବାପାଙ୍କ ଅନୁପସ୍ଥିତିରେ ଚାଷ ଦାୟିତ୍ବ ନିଜ ହାତକୁ ନେଇଛନ୍ତି। ନିଶୁ ବାପା ମା’ଙ୍କର ବଡ଼ ଝିଅ। ବାପା ଆନ୍ଦୋଳନ ପାଇଁ ଦିଲ୍ଲୀ ବ‌ାହାରିବାପରେ ସେ ତାଙ୍କ ବାପାଙ୍କୁ ସମର୍ଥନ ଦେଇଥିଲେ। ମା’, ଭଉଣୀ ଏବଂ ଖୁଡ଼ିଙ୍କ ସହ ସେ ମଧ୍ୟ କ୍ଷେତରେ କାମ କରୁଛନ୍ତି। କେବଳ ନିଶୁ ଏକା ନୁହନ୍ତି ତାଙ୍କ ଅଞ୍ଚଳର ଆହୁରି ଅନେକ ଉଚ୍ଚ ଶିକ୍ଷିତ ମହିଳା ଏବଂ ଗୃହିଣୀ ଏବେ କ୍ଷେତ ସମ୍ଭାଳୁଛନ୍ତି। ପଂଜାବ ଏବଂ ହରିୟାଣାରେ ଏବେ ଚାଷ ପାଇଁ ଉତ୍ତମ ସମୟ। ଧାନ ଅମଳ ହୋଇସାରିଛି। ଅନ୍ୟ ପକ୍ଷେ ଉତ୍ତରପ୍ରଦେଶରେ ଏହା ଆଖୁ ଚାଷର ଆରମ୍ଭ ସମୟ। ତେଣୁ ଚାଷ କାର୍ଯ୍ୟରେ କୌଣସି ବାଧା ଯେଭଳି ନ ଆସିବ ସେଥିପାଇଁ ମହିଳାମାନେ କ୍ଷେତ କାର୍ଯ୍ୟ ଜାରି ରଖିଛନ୍ତି।

ଘେଷୁପୁରଠାରୁ ୫ କିମି ଦୂର ଦୌରଲା ଗ୍ରାମର ଜଣେ ୫୫ ବର୍ଷୀୟା ମହିଳା ମୁକେଶ ଦେବୀ କହିଛନ୍ତି, ଏହା ବର୍ଷର ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ସମୟ। କିନ୍ତୁ ଆମେମାନେ ପୁରୁଷମାନଙ୍କୁ ଧାରଣା ଛାଡ଼ିବାକୁ ଦେବୁନାହିଁ । ଆଖୁ ଚାଷରୁ ଉତ୍ତରପ୍ରଦେଶରେ ସବୁଠୁ ଅଧିକ ଫସଲ ହୋଇଥାଏ। ପ୍ରତିବର୍ଷ ଆଖୁଚାଷରୁ ପ୍ରାୟ ୫୦ ହଜାର ଟଙ୍କା ରୋଜଗାର ହୋଇଥାଏ। ଏହାର ଅର୍ଥ ଅଧିକ ଚାଷ ଜମି ଥିବା କୃଷକମାନେ ସେମାନଙ୍କ କ୍ଷେତରେ କାମ କରିବାପାଇଁ ଅଧିକ ଶ୍ରମ ଆବଶ୍ୟକ କରିଥାନ୍ତି। ଶ୍ରମିକମାନେ କାମ ଜାରି ରଖୁଥିଲେ ମଧ୍ୟ ଜଣେ କେହି କାମ ତଦାରଖ କରିଥାନ୍ତି। ତେବେ ପୁରୁଷଙ୍କ ଅନୁପସ୍ଥିତିରେ ଏବେ ମହିଳାମ‌ାନେ ଏହିସବୁ କାମ ସମ୍ଭାଳୁଛନ୍ତି। ବିଜ୍‌ନୋରରୁ ଅନ୍ୟ ଜଣେ ମହିଳା ସୁମିତ୍ରା ଦେବୀ କହିଛନ୍ତି, ସେ ସବୁକିଛି ସମ୍ଭାଳୁଛନ୍ତି। ତାଙ୍କ ସ୍ବାମୀ ଆନ୍ଦୋଳନ ପାଇଁ ଦିଲ୍ଲୀ ଯିବାପରେ ସେ କ୍ଷେତ ସମ୍ଭାଳିବା ଜରୁରୀ ହୋଇପଡ଼ିଲା। ଉଲ୍ଲେଖ‌ଯୋଗ୍ୟ କୃଷକମାନେ, ଖାଦ୍ୟ, ପୋଷାକ ଏବଂ ଶୀତରୁ ରକ୍ଷା ପାଇବାପାଇଁ କମ୍ବଳ ସହ ଦିଲ୍ଲୀରେ ଦୀର୍ଘ ଦିନର ଆନ୍ଦୋଳନ ପାଇଁ ପ୍ରସ୍ତୁତ ରହିଛନ୍ତି।

ସମ୍ବନ୍ଧିତ ଖବର