ଗୁଣିଗାରେଡ଼ି ସନ୍ଦେହରେ ବୀଭତ୍ସ ହତ୍ୟାକାଣ୍ଡ

ପ୍ରମାଣ ନଷ୍ଟ ପାଇଁ ମୁଣ୍ଡ କାଟି ଜାଳିଲେ ଓ ଶରୀରକୁ ନଦୀକୂଳରେ ପୋତିଦେଲେ

ପଡିଆ:ମାଲକାନାଗିରି ଜିଲ୍ଲା ପଡିଆ ବ୍ଳକ ଅନ୍ତର୍ଗତ ନନ୍ଦାଗୁଡା ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଗଳାକାଟି ହତ୍ୟା କରିବା ସହ ପ୍ରମାଣ ନଷ୍ଟ କରିବା ପାଇଁ ମୁଣ୍ଡକୁ ପୋଡ଼ିଦେଇ ବଳକା ଶରୀରକୁ ଶାବେରୀ ନଦୀ କୂଳରେ ପୋତି ଦେଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ନନ୍ଦାଗୁଡା ଗ୍ରାମର କିଛି ଲୋକ ସେହି ଗ୍ରାମର କାରାମ କାନା ଙ୍କୁ ଘରୁ ଡାକିଆଣି ଘର ସମ୍ମୁଖରେ ଏକ ଦାଆ ସାହାଯ୍ୟରେ ଗଳା କାଟି ହତ୍ୟା କରିଥିଲେ ।

ଏହାପରେ ପ୍ରମାଣ ନଷ୍ଟ ପାଇଁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘର ଠାରୁ ବୋହି ୨ କିମି ଦୂରରେ ଥିବା ଶାବେରୀ ନଦୀ କୂଳରେ ମୁଣ୍ଡକୁ ଶରୀର ରୁ ଅଲଗା କରି ପୋଡିଦେଇଥିବା ବେଳେ ବଳକା ଶରୀରକୁ ନଦୀ କୂଳରେ ଥିବା ବାଲିପଠା ରେ ପୋତି ଦେଇଥିଲେ। ଆଜି ସକାଳେ ମୃତକର ସ୍ତ୍ରୀ କାରାମ ଭିମେ ପଡିଆ ଥାନାରେ ଆସି ଲିଖିତ ଅଭିଯୋଗ କରିବା ପରେ ପଡିଆ ଥାନା ଆଇଆଇସି ରଞ୍ଜନ କୁମାର ମାଝୀ, ଏସଆଇ ଚନ୍ଦ୍ରକାନ୍ତ ତାଣ୍ଡି ଘଟଣାସ୍ଥଳରେ ପହଞ୍ଚି ପଚରାଉଚୁରା କରିବା ସହ ମୃତ ଶରୀର ପୋତାଯାଇଥିବା ସ୍ଥାନ ଚିହ୍ନଟ କରିଥିଲା।

ଏଥିସହ କୋରାପୁଟ ରୁ ସାଇଣ୍ଟିଫିକ୍ ଟିମ୍ ଆସିବା ପରେ ଏକଜୁକେଟିଭ ମାଜିଷ୍ଟ୍ରେଟ ତଥା ମୋଟୁ ତହସିଲଦାର ଶଶାଙ୍କ ମିଶ୍ର ଙ୍କ ଉପସ୍ଥିତିରେ ମୃତଦେହ କୁ ଗଭୀର ବାଲିରୁ ଉଦ୍ଧାର କରାଯାଇଥିବା ଜଣାପଡିଛି । ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ସନ୍ଦେହକରି ଗ୍ରାମର କିଛି ଲୋକଙ୍କୁ ଥାନାକୁ ନେଇ ପଚରାଉଚୁରା କରାଯାଉଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର