ବାଇଡେନ୍‌-ହାରିସ୍‌ଙ୍କ ଶପଥଗ୍ରହଣ ଆଜି

ଵାସିଂଟନ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ଉପରାଷ୍ଟ୍ରପତି କମଳା ହାରିସ ନିଜ କାର୍ଯ୍ୟଭାର ସମ୍ଭାଳିବା ପାଇଁ ୨୦ ତାରିଖ (ବୁଧବାର) ଶପଥ ନେବେ। ଦେଶରେ କୋଭିଡ୍‌ ମାମଲା ବଢ଼ିଚାଲିବା ସହ ବିରୋଧୀ ରିପବ୍ଲିକାନ୍‌ ଦଳର ସମର୍ଥକମାନଙ୍କ ଦ୍ବାରା ହିଂସା ଘଟିବାର ଆଶଙ୍କା ପରି ପ୍ରତିକୂଳ ପରିସ୍ଥିତି ଭିତରେ ଏହି ଶପଥଗ୍ରହଣ ଉତ୍ସବ ନିଆରା ଇତିହାସ ରଚିବ। ଉଦ୍‌ଘାଟନୀ ପରେଡ୍‌ର ପରମ୍ପରା ନ ରହି ଏଥର ଏକ ଆଭାସୀ ପରେଡ୍‌ର ବ୍ୟବସ୍ଥା କରାଯାଇଛି। ସେହିପରି ଉତ୍ସବର ଏକ ସ୍ବତନ୍ତ୍ର ଟେଲିଭିଜନ କାର୍ଯ୍ୟକ୍ରମ ରାତିରେ ପ୍ରସାରିତ ହେବ, ଦେଶବାସୀ ନିଜ ଘରେ ଥାଇ ଏହି ପରେଡ୍‌ରେ ସାମିଲ ହୋଇପାରିବେ। ସେହିପରି ୯୦ ମିନିଟ୍‌ର ଏକ ସ୍ବତନ୍ତ୍ର ମନୋରଂଜନ କାର୍ଯ୍ୟକ୍ରମକୁ ହଲିଉଡ୍‌ ତାରକା ଟମ୍‌ ହାଙ୍କସ, ଡେମି ଲୋଭାଟୋ, ଜଷ୍ଟିନ୍‌ ଟିମ୍ବରଲେକ୍‌, ଜନ୍‌ ବନ୍‌ ଜୋବି ଏବଂ ଅନ୍ୟମାନେ ପରିବେଷଣ କରିବେ। ତେବେ ଏହି ଉତ୍ସବରେ ବିଦାୟୀ ରାଷ୍ଟ୍ରପତି ଟ୍ରମ୍ପ୍‌ ଉପସ୍ଥିତ ରହିବେନି ବୋଲି ନିଶ୍ଚିତ କରିଥିବା ବେଳେ ଉପରାଷ୍ଟ୍ରପତି ମାଇକ୍‌ ପେନ୍ସଙ୍କ ସମେତ ପ୍ରାକ୍ତନ ରାଷ୍ଟ୍ରପତି ବାରାକ୍‌ ଓବାମା, ବିଲ୍‌ କ୍ଲିଣ୍ଟନ୍‌ ଓ ଜର୍ଜ ବୁଶ୍ ପ୍ରମୁଖ ଉପସ୍ଥିତ ରହିବେ ବୋଲି ସ୍ପଷ୍ଟ ହୋଇଛି।

ସୂଚନା ଥାଉ କି, ପ୍ରାକ୍ତନ ରାଷ୍ଟ୍ରପତି ବାରାକ୍‌ ଓବାମାଙ୍କ ଶପଥଗ୍ରହଣରେ ୧୦ ଲକ୍ଷ ଦର୍ଶକ ଉପସ୍ଥିତ ଥିବା ବେଳେ ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ପାଇଁ ୩ ଲକ୍ଷ ନାଗରିକ ସମବେତ ହୋଇଥିଲେ। ତେବେ ଚଳିତ ବର୍ଷର କୋଭିଡ୍‌ ଜନିତ କଟକଣା ଓ ସମ୍ଭାବ୍ୟ ଦଙ୍ଗା ଆଶଙ୍କାରେ ସୁରକ୍ଷା କଟକଣା ଯୋଗୁଁ କେବଳ ସାଂସଦ ଏବଂ ସେମାନଙ୍କ ପାଖଲୋକମାନେ ହିଁ ବୁଧବାର ଶପଥଗ୍ରହଣରେ ସାମିଲ ହେବେ ବୋଲି ବାଇଡେନ୍‌ଙ୍କ ଉଦ୍‌ଘାଟନୀ କମିଟିର ଉପାଧ୍ୟକ୍ଷ ଅଜୟ ଭୁତୋରିଆ କହିଛନ୍ତି। ଚଳିତବର୍ଷ ଶପଥଗ୍ରହଣର ପ୍ରସଙ୍ଗ ରହିଛି ‘ଏକଜୁଟ୍‌ ଆମେରିକା’। କୋଭିଡ୍‌ ମହାମାରୀ ଯୋଗୁ୍ଁ ଦେଶର ୩ ଲକ୍ଷ ୭୦ ହଜାରରୁ ଅଧିକ ନାଗରିକଙ୍କର ମୃତ୍ୟୁ ଘଟିବା ସହ ଲକ୍ଷ ଲକ୍ଷ ଦେଶବାସୀଙ୍କର ଆର୍ଥିକ ସ୍ଥିତି ଭୁଶୁଡ଼ି ପଡ଼ିଥିବା ପରିପ୍ରେକ୍ଷୀରେ ଏଭଳି ଏକ ଅପ୍ରତ୍ୟାଶିତ ସମୟରେ ବାଇଡେନ-ହାରିସ୍ କାର୍ଯ୍ୟଭାର ସମ୍ଭାଳିବେ। ଅପରପକ୍ଷେ, ଶପଥ ଗ୍ରହଣର ଠିକ୍‌ ଦୁଇ ସପ୍ତାହ ପୂର୍ବରୁ ସଂସଦ ଭବନରେ ସଂଘଟିତ ଦଙ୍ଗା ହିଁ ଦେଶର ରାଜନୈତିକ ବିଭାଜନକୁ ଇଙ୍ଗିତ କରୁଛି। ସୁତରାଂ ଏଭଳି ସ୍ଥିତିରେ ‘ଏକଜୁଟ୍‌ ଆମେରିକା’ ନାରା ହିଁ ଆମେରିକାର ପୂର୍ବ ଗୌରବ ଫେରାଇ ଆଣିବା ପାଇଁ ଏକ ନୂତନ ଅଭିଯାନର ପ୍ରତିଫଳନ କରିବ। ଏଥି ସହିତ ଦେଶକୁ ଏକତାସୂତ୍ରରେ ବାନ୍ଧି ରଖିବା ସହ ଏକ ଉଜ୍ବଳ ଭବିଷ୍ୟତକୁ ଆହ୍ବାନ କରିବା ଲାଗି ରାଷ୍ଟ୍ରପତି ବାଇଡେନ୍‌ଙ୍କ ସଂକଳ୍ପକୁ ମଧ୍ୟ ପ୍ରତିଧ୍ବନିତ କରିବ ବୋଲି ଆଶା କରାଯାଏ।

କେତେବେଳେ କ’ଣ?

 ପୂର୍ବାହ୍ନ ୧୦ଟା (ଭାରତୀୟ ସମୟ ରାତି ପ୍ରାୟ ୮ଟା୩୦)- ପିଆଇସି (ପ୍ରେସିଡେନ୍‌ସିଆଲ ଇନାଗୁରାଲ୍‌ କମିଟି)ର ଲାଇଭ୍‌ଷ୍ଟ୍ରିମ୍‌
 ପୂର୍ବାହ୍ନ ୧୧.୩୦ (ଭାରତୀୟ ସମୟ ରାତି ପ୍ରାୟ ୧୦ଟା)-ଜାତୀୟ ସଂଗୀତ ସହ ଶପଥଗ୍ରହଣ କାର୍ଯ୍ୟକ୍ରମ ଆରମ୍ଭ
 ଉପରାଷ୍ଟ୍ରପତି କମଳା ହାରିସ୍‌ଙ୍କୁ ଶପଥ ପାଠ କରାଇବେ ସୁପ୍ରିମକୋର୍ଟ ବିଚାରପତି ସୋନିଆ ସୋଟ୍‌ମେୟର
 ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଶପଥ ପାଠ କରାଇବେ ପ୍ରଧାନ ବିଚାରପତି ଜନ୍‌ ରବର୍ଟ‌୍‌ସ
 ଶପଥ ଗ୍ରହଣ ପରେ ବାଇଡେନ୍‌ଙ୍କ ଉଦ୍‌ଘାଟନୀ ଉଦ୍‌ବୋଧନ

ସମ୍ବନ୍ଧିତ ଖବର