ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ ଲ’ ପ୍ରତ୍ୟାହାର କରାଯାଇଛି, ଟୁଇଟ୍ ଯୋଗେ ସୂଚନା ଦେଲେ କେନ୍ଦ୍ର ସଂସ୍କୃତିମନ୍ତ୍ରୀ ପ୍ରହ୍ଲାହ ସିଂହ ପଟେଲ

ନୂଆଦିଲ୍ଲୀ: ଜାତୀୟ ସ୍ମାରକୀ ପ୍ରାଧିକରଣ ( ନ୍ୟାସନାଲ୍ ମନୁମେଣ୍ଟ ଅଥରିଟି) ଶ୍ରୀମନ୍ଦିର ପାଇଁ ଜାରି କରିଥିବା ପ୍ରସ୍ତାବିତ ବାଇ ଲ’ ପ୍ରତ୍ୟାହାର କରାଯାଇଥିବା ନେଇ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି କେନ୍ଦ୍ର ସଂସ୍କୃତିମନ୍ତ୍ରୀ ପ୍ରହ୍ଲାହ ସିଂହ ପଟେଲ। ଓଡ଼ିଶାର ସାଂସଦମାନେ ଏନଏମଏର ବାଇ ଲ’କୁ ପ୍ରତ୍ୟାହୃତ କରିବାକୁ ଭେଟି ଦାବି ଜଣାଇଥିଲେ। ଉଭୟ ବିଜେଡି-ବିଜେପି ସାଂସଦଙ୍କ ଦାବି ପରେ ବାଇ ଲ’ ପ୍ରତ୍ୟାହୃତ ହୋଇଥିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ । ସେ ଏହି ଟୁଇଟରେ ପ୍ରକାଶ କରିଛନ୍ତି ଯେ ପ୍ରସ୍ତାବିତ ବାଇ ଲ’ ସଂପର୍କିତ ବିଜ୍ଞପ୍ତି ଏନଏମଏର ଅଧ୍ୟକ୍ଷଙ୍କ ବିନା ଅବଗତିରେ ଜାରି କରାଯାଇଥିବାରୁ ଏହାକୁ ତତ୍କାଳ ପ୍ରତ୍ୟାହାର କରାଯାଊଛି।

ସେମବାର ସକାଳେ ବିଜୁ ଜନତା ଦଳର ସାଂସଦମାନେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟି ଏନଏମଏର ପ୍ରସ୍ତାବିତ ବାଇ ଲ’କୁ ପ୍ରତ୍ୟାହାର କରିବାକୁ ଦାବି ଜଣାଇଥିଲେ। କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ବାଇ ଲ’ ପ୍ରତ୍ୟାହୃତ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ। ସେହିଭଳି ବିଜେପି ସାଂସଦମାନେ ମଧ୍ୟ ସଂସ୍କୃତିମନ୍ତ୍ରୀଙ୍କୁ ଭେଟି ଏହି ବାଇ ଲ’କୁ ସ୍ଥଗିତ କରିବାକୁ ଦାବି କରିଥିଲେ। ଓଡ଼ିଶାବାସୀ ତଥା ହିନ୍ଦୁଙ୍କର ଧାର୍ମିକ ବିଶ୍ୱାସ ଓ ଭାବାବେଗକୁ ଦୃଷ୍ଟିରେ ରଖି ଜୀତୀୟ ଐତିହ୍ୟ ପ୍ରାଧିକରଣ ବାଇ ଲ’କୁ ସ୍ଥଗିତ ରଖିବା ନେଇ ସାଂସଦମାନେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଥିଲେ।

ଏ ସମ୍ବନ୍ଧରେ ଏକ ଦାବିପତ୍ର ପ୍ରଦାନ କରିବା ସହ ଆଗକୁ ଏହାର ସମାଧାନ ପାଇଁ କଣ ରାସ୍ତା ବାହାରିପାରିବ ସେ ନେଇ ସାଂସଦମାନେ ବିଭାଗୀୟ ମନ୍ତ୍ରୀଙ୍କ ସହ ବିଚାରବିମର୍ଷ କରିଥିଲେ। ବିଜେଡି-ବିଜେପି ସାଂସଦଙ୍କ ଆଲୋଚନା ପରେ ଏହି ବାଇ ଲ’କୁ ପ୍ରତ୍ୟାହୃତ କରାଯାଇଥିବା ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାହ ସିଂହ ପଟେଲ ସୂଚନା ଦେଇଛନ୍ତି।

 

ସମ୍ବନ୍ଧିତ ଖବର