ବୋର୍ଡ ପାଲଟିଛି ଥଇଥାନ କେନ୍ଦ୍ର

ଅବସର ପରେ କାର୍ଯ୍ୟକାଳ ବୃଦ୍ଧି, ଜଣେ ଜଣେ ଅଧିକାରୀଙ୍କୁ ଏକାଧିକ ଦାୟିତ୍ବ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ର ମୁଖ୍ୟ କାର୍ଯ୍ୟାଳୟ ଏବେ ଏକପ୍ରକାର ଥାଇଥାନ କେନ୍ଦ୍ର ପାଲଟିଛି। କେଉଁ ଅଧିକାରୀଙ୍କୁ ଅବସର ପରେ ନିୟୋଜନ କରି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦିଆଯାଉଛି ତ ଜଣେ ଜଣେ ଅଧିକାରୀଙ୍କୁ ଏକାଧିକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ରଖାଯାଉଛି। ଏଭଳି ସ୍ଥିତିରେ ବୋର୍ଡର ଦୈନନ୍ଦିନ କାର୍ଯ୍ୟରେ ବ୍ୟାପକ ବିଭ୍ରାଟ ଦେଖା ଯାଉଛି। ରାଜ୍ୟର ୧୨ ଲକ୍ଷ ପିଲାଙ୍କ ଭାଗ୍ୟ ଓ ଭବିଷ୍ୟତ ଗଢ଼ୁଥିବା ବୋର୍ଡର ଏପରି ଅବ୍ୟବସ୍ଥାକୁ ନେଇ ଶିକ୍ଷାବିତ ମହଲରେ ଉଦ୍‌ବେଗ୍ ପ୍ରକାଶ ପାଉଛି। ଗଣଶିକ୍ଷା ବିଭାଗରେ ଅନ୍ୟ ବିଭାଗ ଅପେକ୍ଷା ଅଧିକ ଅଧିକାରୀ ଓ କର୍ମଚାରୀ ଅଛନ୍ତି। ବୋର୍ଡର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦପଦବିରେ କାର୍ଯ୍ୟ କରିବାକୁ ଅଭିଜ୍ଞ ଶିକ୍ଷାବିତ୍‌ଙ୍କ ଅଭାବ ନାହିଁ। ଏପରି ସ୍ଥିତିରେ ଅବସରପ୍ରାପ୍ତ ଅଧିକାରୀଙ୍କ କାର୍ଯ୍ୟକାଳ ସଂପ୍ରସାରଣ କରିବା, ଜଣେ ଲେଖାଏ ଅଧିକାରୀଙ୍କୁ ଏକାଧିକ ଦାୟିତ୍ବ ଦେବା ପଛର ଉଦ୍ଦେଶ୍ୟକୁ ନେଇ ଏବେ ସନ୍ଦେହ ବଢିବାରେ ଲାଗିଛି।

ବୋର୍ଡର ପୂର୍ବତନ ସଭାପତି ଡକ୍ଟର ଜାହାନ୍‌ ଆରା ବେଗମ୍‌ଙ୍କ ଅବସର ଗ୍ରହଣ ପରେ ପାଖାପାଖି ବର୍ଷେ କାଳ ତାଙ୍କୁ ସଭାପତି ପଦରେ ରଖାଯାଇଥିଲା। ତାଙ୍କ ପରେ ବର୍ତ୍ତମାନର ସଭାପତି ତଥା ପୂର୍ବତନ ସଂପାଦକ ରାମାଶିଷ ହାଜରାଙ୍କୁ ଉଭୟ ସଂପାଦକ ପଦ ସହିତ ସଭାପତି ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଥିଲା। ପ୍ରାୟ ବର୍ଷେ ତଳେ ଶ୍ରୀ ହାଜରାଙ୍କୁ ସଭାପତି ଭାବେ ପଦୋନ୍ନତି ମିଳିଛି ଓ ସେ ସଭାପତି ପଦରେ କାର୍ଯ୍ୟ କରୁଛନ୍ତି। ସେହି ସମୟରେ ବୋର୍ଡର ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତିଙ୍କୁ ବୋର୍ଡର ଉପସଭାପତି ପଦକୁ ପଦୋନ୍ନତି ମିଳିଥିଲା । ବର୍ଷେ ହେଲାଣି ଡକ୍ଟର ମହାନ୍ତି ଉଭୟ ପରୀକ୍ଷା ନିୟନ୍ତ୍ରକ ସହିତ ଉପସଭାପତି ବି ରହିଛନ୍ତି। ଏବେ ଡକ୍ଟର ମହାନ୍ତି ପରୀକ୍ଷା ନିୟନ୍ତ୍ରକ ପ୍ରକୋଷ୍ଠରେ କାର୍ଯ୍ୟ କରୁଥିବାବେଳେ ଉପସଭାପତିଙ୍କ ପ୍ରକୋଷ୍ଠରେ ତାଲା ଝୁଲୁଛି। ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ଏକାଡେମିକ ଡେଭଲ୍‌ପମେଣ୍ଟ (ଶୈକ୍ଷିକ ବିକାଶ) ସହିତ ପ୍ରଶାସନିକ କାର୍ଯ୍ୟରେ ସଭାପତିଙ୍କୁ ସହାୟତା ଦେବା ଉପସଭାପତିଙ୍କ ପ୍ରମୁଖ କାର୍ଯ୍ୟ। ସେହିପରି ବୋର୍ଡ ଦ୍ବାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ସମେତ ଅନ୍ୟାନ୍ୟ ପରୀକ୍ଷା ପରିଚାଳନାରେ ପରୀକ୍ଷା ନିୟନ୍ତ୍ରକଙ୍କ ମୁଖ୍ୟ ଭୂମିକା ରହିଛି। ଏଭଳି ଦୁଇଟି ଦାୟିତ୍ବ ନିର୍ବାହ କରିବା ଜଣେ ଅଧିକାରୀଙ୍କ କ୍ଷେତ୍ରରେ ଅତ୍ୟନ୍ତ କଷ୍ଟକର ବ୍ୟାପାର। ଏବେ ଡକ୍ଟର ମହାନ୍ତିଙ୍କୁ ଉଭୟ ପରୀକ୍ଷା ନିୟନ୍ତ୍ରକ ଓ ଉପସଭାପତି ଭାବେ ରଖିବାର ଉଦ୍ଦେଶ୍ୟ କଣ ବୋଲି ପ୍ରଶ୍ନ ଉଠୁଛି।‌ ‌

ସେହିପରି ବୋର୍ଡର ଭୁବନେଶ୍ବର ଜୋନ୍‌ରେ ଡେପୁଟି ସେକ୍ରେଟାରୀ ଭାବେ କାର୍ଯ୍ୟ କରୁଥିବା ଜଣେ ଓଇଏସ୍‌ ଅଧିକାରୀଙ୍କୁ ଭୁ‌ବନେଶ୍ବର ‌ଜୋନ୍‌ ସମେତ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟ ସିଲାବସ୍‌ କମିଟି ମୁଖ୍ୟ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସଂପୃକ୍ତ ଅଧିକାରୀ ୨୦୨୦ ନଭେମ୍ବର ମାସରୁ ସିଲାବସ୍ କମିଟି ଦାୟିତ୍ବ ନେଇଛନ୍ତି। ଏହାମଧ୍ୟରେ ସିଲାବସ୍ କମିଟିର ୧୫ରୁ ଅଧିକ ବୈଠକ ବସିଥିଲେ ମଧ୍ୟ ସଂପୃକ୍ତ ଅଧିକାରୀ ମାତ୍ର ୨/୩ଟି ବୈଠକରେ ଉପସ୍ଥିତ ରହିଥିବା ସୂଚନା ମିଳିଛି। ସେହିପରି ସେଣ୍ଟ୍ରାଲ ଜୋନ୍‌ର ଜଣେ ଅଧିକାରୀଙ୍କୁ ସେଣ୍ଟ୍ରାଲ ଜୋନ୍‌ ସମେତ ସାର୍ଟିଫିକେଟ୍ ସେକ୍ସନ୍-୧, ସାର୍ଟିଫିକେଟ୍ ସେକ୍ସନ-୨, ଇଞ୍ଜିନିୟରିଂ ବିଭାଗ ଦାୟିତ୍ବ ଦିଆଯାଇଛି। ଜଣେ ଅଧିକାରୀଙ୍କୁ ୪ଟି ଦାୟିତ୍ବ ଦିଆଯାଇଥିବାରୁ କୌଣସି ଗୋଟିଏ କାର୍ଯ୍ୟ ଠିକ୍‌ରେ ସଂପାଦିତ ହେଉନଥିବା ସୂଚନା ମିଳିଛି। ସାର୍ଟିଫିକେଟ୍ ପାଇଁ ଆବେଦନ କରୁଥିବା ପିଲା ଠିକ୍‌ ସମୟରେ ସାର୍ଟିଫିକେଟ୍ ପାଉନଥିବା ଅଭିଯୋଗ ହେଉଛି। ବୋର୍ଡର ଜଣେ ଅଧିକାରୀଙ୍କ କହିବା ଅନୁସାରେ କର୍ମଚାରୀ ଅଭାବ ସାଙ୍ଗକୁ ଜଣେ ଅଧିକାରୀଙ୍କୁ ଏକାଧିକ ବିଭାଗ ଦିଆଯାଉଥିବାରୁ ବିଭିନ୍ନ କାର୍ଯ୍ୟରେ ବିଭ୍ରାଟ ହେବା ସ୍ବାଭାବିକ। ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନ ନେଲେ ଏହା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳିବା ଭଳି ହେବ ବୋଲି ସଂପୃକ୍ତ ଅଧିକାରୀ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର