ଚାଷୀଙ୍କ ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ବିଜେପି

ଚମ୍ପୁଆ: ଚାଷୀଙ୍କ ବଇରି ସାଜିଛି ନବୀନ ସରକାର। ମଣ୍ଡିରେ ଚାଲିଛି ବିଜେଡି ନେତା ଓ ଦଲାଲଙ୍କ ମଧୁ ଚନ୍ଦ୍ରିକା। ଏଭଳିି ନାରା ଦେଇ ଆଜି ବିଜେପି ଚମ୍ପୁଆ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛି। ଟୋକନ ଅଛି ଟାର୍ଗେଟ ନାହିଁ। ମଣ୍ଡିରେ ଚାଷୀଙ୍କ ଧାନ ନିଆ ଯାଉ ନାହିଁ । ଏଥିପାଇଁ ଉତ୍ତ୍ୟକ୍ତ ଚାଷୀ ଆଜି ଚମ୍ପୁଆ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ପ୍ରତିବାଦ କରିଥିବା ଜଣାପଡିଛି। ମଣ୍ଡିରେ ଧାନ ନ ନେଲେ ସେମାନେ ଲ୍ୟାମ୍ପ ରେ ତାଲା ପକାଇ ଦେବେ ବୋଲି ଚେତାବନୀ ଦେଇଛନ୍ତି। ଯେଉଁ ଚାଷୀଙ୍କୁ ଟୋକନ ମିଳିଛି, ମଣ୍ଡିରେ ସେମାନଙ୍କ ଧାନ କ୍ରୟ କରିବା ପାଇଁ ଦାବିନେଇ ବିଜେପି ରାଜ ରାସ୍ତାକୁ ଓହ୍ଲାଇଛି। ଏହା ସହିତ ବିଜେପି ନେତୃତ୍ଵରେ ଚାଷୀମାନେ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।

ଚାଷୀଙ୍କ ଶୋଭାଯାତ୍ରାର ନେତୃତ୍ଵ ନେଇଥିବା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମୁରଲୀ ଶର୍ମା କହିଥିଲେ ଯେ ଟାର୍ଗେଟ ନାମରେ ଚାଷୀଙ୍କୁ ଭୁଆଁ ବୁଲାଉଛନ୍ତି ନବୀନ ସରକାର। ଟୋକେନ୍ ପାଇବା ପରେ ଚାଷୀ ପ୍ରତି ଦିନ ମଣ୍ଡିକୁ ଯାଇ ନିରାଶ ହେଉଛି। ମଣ୍ଡିରେ ପ୍ରତିଦିନ ତାଙ୍କୁ ଉତ୍ତର ମିଳୁଛି ଟାର୍ଗେଟ ଆସି ନାହିଁ । କଂଗ୍ରେସ ଅମଳରେ ଚାଷୀଙ୍କୁ କୁଇଣ୍ଟାଲ ପିଛା ୧୩୨୦ ଟଙ୍କା ମିଳୁ ଥିବା ବେଳେ ବିଜେପି ସରକାର ୧୮୬୮ ଟଙ୍କା ଦେଉଛନ୍ତି। ଏତକ ମଧ୍ୟ ଚାଷୀଙ୍କୁ ମିଳୁ ନାହିଁ । ମୋଦି ସରକାର ଚାଷୀଙ୍କ ପାଇଁ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରୁଥବା ବେଳେ ବିଜେଡି ସରକାର ଓଲଟା ଚାଷୀଙ୍କ ଅଧିକାରକୁ ଛଡ଼ାଇ ନେଉଛନ୍ତି। ଅନ୍ୟପଟେ କିଛି ବଡ ବଡିଆ ବିଜେଡି ଦଳର ଚାଷୀ ଯେଉଁମାନଙ୍କ ୫ କ୍ଵିଣ୍ଟାଲ ଧାନ ବିକ୍ରି କରିବାର ସାମର୍ଥ୍ୟ ନାହିଁ, ସେମାନେ ୨୦ ରୁ ୨୫ କୁଇଣ୍ଟାଲ ଧାନ ବିକ୍ରି କରୁଛନ୍ତି। ସେମାନଙ୍କୁ ୨/୩ ଥର ଟୋକନ ମିଳୁଛି। ସାଧାରଣ ଚାଷୀ ଭକୁଆ ହୋଇ ଚାହିଁ ରହିଛି। ମଣ୍ଡିରେ ବିଜେଡି ନେତା ଓ ଦଲାଲଙ୍କ ମଧୁ ଚନ୍ଦ୍ରିକା ଚାଲିଛି। ଚାଷୀଙ୍କୁ ଏହିପରି ହଇରାଣ କରିବା ଅର୍ଥ ପରୋକ୍ଷର ସରକାର କହୁଛନ୍ତି ୧୨/୧୩ ଶହ ଟଙ୍କାରେ ଧାନ ବିକ୍ରି କର। ବିଜେଡିର କିଛି ଦଲାଲ ଓ ମିଲରଙ୍କୁ ମାଲେମାଲ ହେବାକୁ ନବୀନ ସରକାର ସୁଯୋଗ ଦେଉଛନ୍ତି ବୋଲି ମୁରଲୀ ଶର୍ମା ଅଭିଯୋଗ କରିଛନ୍ତି।

ଏହି ଅବସରରେ ବିଜେପି ରାଜ୍ୟ ଉପସଭା ନେତ୍ରୀ ସୁକେଶି ଓରାମ କହିଥିଲେ ଯେ ଚାଷୀ ଟୋକନ ପାଇ ତାର ଅବଧି ସାରି ଯାଇ ଥିଲେ ମଧ୍ୟ ଧାନ ନିଆ ଯାଉ ନାହିଁ । ଚାଷୀ ତାର ଉତ୍ପାଦିତ ଧାନ ବିକ୍ରି କରି ନ ପାରିଲେ ବର୍ଷ ତମାମ କିପରି ଚଳିବ ବୋଲି ସେ ପ୍ରଶ୍ନ କରିଛନ୍ତି। ଧାନ ବିକ୍ରି କରି ନ ପାରିଲେ କୃଷି କ୍ଷେତ୍ରରୁ ଚାଷୀଙ୍କ ମନ ଭାଙ୍ଗିଯିବ । ସରକାର ଧାନ ନ କିଣି ଚାଷୀ ଆତ୍ମହତ୍ୟାର ବାଟ ଦେଖାଇ ଦେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତିି।

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଭବାନୀ ଶଙ୍କର ନାୟକ ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ଜିଲ୍ଲା ସାଧାରଣ ସମ୍ପାଦକ ତଥା ଜିଲ୍ଲାପରିଷଦ ସଦସ୍ୟ ଅନୁବ୍ରତ ବେହେରା, ଜିଲ୍ଲା ଉପସଭାପତି ଦେବୀ ପ୍ରସାଦ ମିଶ୍ର, ଜିଲ୍ଲା ଉପସଭାପତି ଅଗୁନୁ ଚରଣ ମହାନ୍ତ, ଜିଲ୍ଲା ଉପସଭାପତି ସ୍ବପ୍ନ। ସାହୁ, ଜିଲ୍ଲା ସମ୍ପାଦକ ନୀଳମଣି ମହାନ୍ତ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ମିତ୍ରଭାନୁ ମହାକୁଡ, ଜିଲ୍ଲା ସଂଖ୍ୟା ଲଘୁ ସେଲ ସଭାପତି ମହମ୍ମଦ ମହତାବ, ଚମ୍ପୁଆ ନଗର ମଣ୍ଡଳ ସଭାପତି ରାଜେଶ୍ ଆଚାର୍ଯ୍ୟ ଚମ୍ପୁଆ ମଣ୍ଡଳ ସଭାପତି ଚନ୍ଦ୍ରଶେଖର ମହାନ୍ତ, ଭଣ୍ଡା ମଣ୍ଡଳ ସଭାପତି ହେମନ୍ତ କୁମାର୍ ମହାନ୍ତ କରଞ୍ଜିଆ ମଣ୍ଡଳ ସଭାପତି ସରୋଜ ପ୍ରଧାନ, ବିଲେଇ ପଦା ମଣ୍ଡଳ ସଭାପତି ଅଲେଖ ଚନ୍ଦ୍ର ବାରିକ, ବଡ଼ବିଲ ମଣ୍ଡଳ ସଭାପତି ବ୍ରଜ କିଶୋର ସାହୁ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରମେଶ ଚନ୍ଦ୍ର ପ୍ରଧାନ, ଚମ୍ପୁଆ ବ୍ଲକର ପୂର୍ବତନ ସଭାପତି ସିଦ୍ଧାର୍ଥ ସିଂହ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର