ଅନ୍‌ଲାଇନ୍‌ ପ୍ରେମରୁ ବିବାହ ବନ୍ଧନରେ ଦୁଇ ଦିବ୍ୟାଙ୍ଗ

ସମ୍ବଲପୁର/ମାନେଶ୍ବର : ମଣିଷ ଜନ୍ମ ନେବା ପରେ ଭଗବାନ ତା’ ପାଇଁ ଆଉ ଜ‌ଣକୁ ଖଞ୍ଜି ପଠାଇଥାନ୍ତି ବୋଲି କୁହାଯାଏ। ଏଭଳି କିଛି ଘଟିଛି ଦୁଇ ଦିବ୍ୟାଙ୍ଗଙ୍କ କ୍ଷେତ୍ରରେ। ସୋସିଆଲ ମିଡିଆ ଜରିଆରେ ସେମାନଙ୍କ ଚିହ୍ନା ପରିଚୟ ଏବଂ ପ୍ରେମ ହୋଇଥିବା ବେଳେ ଆଜି ସେମାନେ ସବୁଦିନ ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ରବିବାର ଦିନ ସମ୍ବଲପୁର ଭତରା ଶଙ୍କରମଠରେ ଦୁଇ ଦିବ୍ୟାଙ୍ଗ ମହାବୀର ପ୍ରସାଦ ଶୁକ୍ଳା (୪୨)ଙ୍କ ସହିତ ଲକ୍ଷ୍ମୀ ତ୍ରିପାଠୀ (୪୦)ଙ୍କ ବିବାହ ବୈଦିକ ରୀତିରେ ସଂପନ୍ନ ହୋଇଛି।

ଚିପିଲିମା ଅଞ୍ଚଳର ଆଦିକନ୍ଦ ତ୍ରିପାଠୀ ଓ କ୍ଷୀରୋଦିନୀ ତ୍ରିପାଠୀଙ୍କ ତିନି ଝିଅ ଏବଂ ଗୋଟିଏ ପୁଅ । ବଡ଼, ସାନ ଝିଅ ଓ ଏକମାତ୍ର ପୁଅର ବିବାହ ବହୁଦିନ ହେଲା ସରିଛି । ମଝିଆ ଝିଅ ଲକ୍ଷ୍ମୀ ଦିବ୍ୟାଙ୍ଗ ଜନ୍ମରୁ ମୁକ ଓ ବଧିର ଥିବାରୁ ତାଙ୍କ ବିବାହ ହୋଇପାରିନଥିଲା। କିନ୍ତୁ, ସେ ଘରର ରୋଷେଇଠାରୁ ଆରମ୍ଭ କରି ସମସ୍ତ ଘରକାମ ଠିକ୍ ଭାବେ ତୁଳାଇଥାନ୍ତି। ପିତାମାତା ବୃଦ୍ଧାବସ୍ଥାରେ ଉପନୀତ ହୋଇଥିବାରୁ ଲକ୍ଷ୍ମୀଙ୍କ ଭବିଷ୍ୟତକୁ ନେଇ ସେମାନେ ଚିନ୍ତିତ ଥିଲେ। ସେହିପରି ଝାରଖଣ୍ଡର ପଶ୍ଚିମସିଂହଭୂମ ଜିଲ୍ଲାର ଲୋଟାପାହାଡ଼ ଗ୍ରାମର ସ୍ବର୍ଗତ ଖୁଦୀରାମ ଶୁକ୍ଳା ଓ ସାବିତ୍ରୀ ଶୁକ୍ଳାଙ୍କ କନିଷ୍ଠ ପୁତ୍ର ଅଟନ୍ତି ମହାବୀର। ସେ ବି ମୂକ ଓ ବଧିର। ହେଲେ ଏକ ହାର୍ଡୱେର ଦୋକାନ କରି ଜଣେ ସଫଳ ବ୍ୟବସାୟୀ ହୋଇପାରିଛନ୍ତି।

ଲକ୍ଷ୍ମୀ ଓ ମହାବୀରଙ୍କ ପ୍ରଥମେ ପରିଚୟ ହୁଏ ଫେସ୍‌ବୁକ୍ ଜରିଆରେ। ପରେ ମୋବାଇଲ ଫୋନ୍ ଦିଆନିଆ‌ ହେବା ପରେ ହ୍ବାଟ୍‌ସଅପ୍‌ ମାଧ୍ୟମରେ ଭାବ ବିନିମୟ ଚାଲେ। ବିବାହ କରିବାକୁ ସେମାନେ ସ୍ଥିର କରନ୍ତି। ପରିବାର ଲୋକଙ୍କୁ ଜଣାଇବା ପରେ ଉଭୟ ପକ୍ଷ ରାଜି ହୋଇଯାଆନ୍ତି। ପରିଶେଷରେ ସେମାନଙ୍କ ପ୍ରତୀକ୍ଷାର ଅନ୍ତ ହୋଇଛି। ଆଜି ଅଗ୍ନିକୁ ସାକ୍ଷୀ ରଖି ଉଭୟେ ଜନ୍ମ ଜନ୍ମର ସାଥୀ ହୋଇଛନ୍ତି।

ସମ୍ବନ୍ଧିତ ଖବର