ପେଟର ଭୋକ: ଭୁଲିଗଲେ କରୋନା କଟକଣା

ରାଉରକେଲା : କରୋନର ଦ୍ବିତୀୟ ଲହର ଜିଲ୍ଲାବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଦିନକୁ ଦିନ ଅସମ୍ଭାଳ ହେଉଛି କରୋନା ସ୍ଥିତି। ଦୁଇ ଅଙ୍କରୁ ବଢ଼ି ଏବେ ତିନି ଅଙ୍କରେ ପହଞ୍ଚିଛି। ସଂକ୍ରମଣକୁ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଛି କଡା ପଦକ୍ଷେପ। ବଢ଼ି ଯାଇଛି ଗରିବ ବସ୍ତିବାସିନ୍ଦାଙ୍କ ଚିନ୍ତା। କରୋନା ଠାରୁ ବଳିଯାଇଛି ସେମାନଙ୍କ ପେଟର ଭୋକ। ସପ୍ତାହାନ୍ତ ସଟ୍‌ଡାଉନ୍‌ ହେଉ ଅବା ନାଇଟ୍‌ କର୍ଫ୍ୟୁ ସେମାନଙ୍କ ପରିବାର ସମସ୍ୟାକୁ ଦ୍ବିଗୁଣିତ କରିଛି। ଏମିତି ଦୟନୀୟ ଜୀବନ ଅତିବାହିତ କରୁଛନ୍ତି ସ୍ମାର୍ଟସିଟିରେ ବର୍ଷ ବର୍ଷ ଧରି ଆର୍‌ଏସ୍‌ପିର ପାଉଁଶ ପାହାଡରୁ ଖଣ୍ଡ ଲୁହା ହେଉ ଅବା ବିଭିନ୍ନ କଳକାରଖାନାରୁ ନିର୍ଗତ ଜାଳେଣି କୋଇଲା ଗୁଣ୍ଡରୁ କୋଇଲା ‌ଗୋଟାଇ ପରିବାର ପ୍ରତିପୋଷଣ କରୁଥିବା ଗରିବ ଶ୍ରମିକଙ୍କ ପରିବାର।

ସକାଳ ହେଲେ ପିଲାଛୁଆକୁ ଧରି ବାହାରି ଯାଆନ୍ତି ବସ୍ତି ନିକଟ ପାଉଁଶ ଗଦାକୁ ସଂଧ୍ୟା ହେଲେ ଘରକୁ ଫେରନ୍ତି। ପରିବାର ପ୍ରତିପୋ‌ଷଣ ଚିନ୍ତାରେ କରୋନା କଟକଣା କ’ଣ ସେମାନେ ଆଜି ଯାଏ ବୁଝି ନାହାନ୍ତି। ସପ୍ତାହାନ୍ତ ସଟ୍‌ ଡାଉନ୍ ମଧ୍ୟ ସେମାନଙ୍କୁ ଘରେ ରଖି ପାରିନି। ଡମ୍ପରରେ ଢ଼ଳା ହେଉଥିବା ଆର୍‌ଏସ୍‌ପିର ପାଉଁଶ, ଶିଳ୍ପାଞ୍ଚଳରୁ ବାହାରୁଥିବା କୋଇଲା ପାଉଁଶକୁ ଚାତକ ପରି ଜଗି ରହନ୍ତି। ଡମ୍ପର ପାଉଁଶ ଢ଼ାଳିବା ମାତ୍ରେ ଲୁହାଖଣ୍ଡ କିମ୍ବା କୋଇଲ ଖଣ୍ଡ ପାଇଁ ସାଉଁଟିବାକୁ ଚାଲେ ଏମାନଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା। ଗୋଟିଏ ଡମ୍ପର ଅନ୍‌ ଲୋଡିଂ କରି ଗଲା ପରେ ପୁଣି ଅନ୍ୟ ଡମ୍ପରକୁ ଅପେକ୍ଷା କରନ୍ତି। ଦୈନନ୍ଦିନ ଏମିତି ଦୁଃଖଦ ଚିତ୍ର ଦେଖଇବାକୁ ମିଳେ ଆର୍‌ଏସ୍‌ପି ପାଉଁଶ ଗଦା ଓ ଜଗଦାସ୍ଥିତ ଡମ୍ପିଂ ୟାର୍ଡ ସାଇଡ୍‌ରେ।

ଗତ କିଛି ଦିନ ଧରି ଜଗଦା ତେଲଗୁ ବସ୍ତି ନିକଟ ଖାଲି ଜାଗାରେ କିଛି କଳ କାରଖାନାରୁ ନିର୍ଗତ କୋଇଲା ପାଉଁଶ ଢ଼ଳାଯାଉଛି। କୋଇଲା ପାଉଁଶରୁ ଜଳି ନଥିବା କୋଇଲା ଖଣ୍ଡକୁ ସାଉଁଟିବାକୁ ନିକଟସ୍ଥ ବସ୍ତିର ଶହ ଶହ ମହିଳା ପୁରୁଷଙ୍କ ଭିଡ ଜମିଛୁ। ସେମାନଙ୍କ ମଧ୍ୟରେ ରହୁନି ସାମାଜିକ ଦୂରତା। ଜଣେ ହେଲେ ଶ୍ରମିକ ମୁହଁରେ ଲଗାଉ ନାହାନ୍ତି ମାସ୍କ। ଭୋକ ଚିନ୍ତାରେ ସମସ୍ତେ ଯେମିତି ଭୁଲି ଯାଇଛନ୍ତି କରୋନା କଟକଣା। କାରଖାନା କର୍ମଚାରୀମାନେ ସେମାନଙ୍କୁ ବାରଣ କରୁଛନ୍ତି। କରୋନା ସଂକ୍ରମଣ ସଂକ୍ରାନ୍ତରେ ବୁଝାଉଛନ୍ତି। ହେଲେ ସେମାନେ ବୁଝୁ ନାହାନ୍ତି। କାରଣ କରୋନ ସଂକ୍ରମଣ ଠାରୁ ବଳି ଯାଇଛନ୍ତି ସେମାନଙ୍କ ପରିବାର ପେଟର ଭୋକ। ଗୋଟିଏ ଦିନ ନୁହେଁ ପ୍ରାୟ ଅଧିକାଂଶ ଦିନ ଏମିତି ସ୍ଥିତି ଉପୁଜୁଛି। କେବଳ ଗଞ୍ଜାମ ବସ୍ତି ନୁହେଁ ନିକଟ ଡମ୍ପିଂ ସାଇଡ୍‌ ନୁହେଁ ଆର୍‌ଏସ୍‌ପି ପାଉଁଶ ପାହାଡରେ ଏମିତି ଚିତ୍ର ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର