୨ଦିନ ପରେ ଅଖିମୁଠି ଅନୁକୂଳ: ହାତବାନ୍ଧି ବସିଛନ୍ତି ଚାଷୀ

ପ୍ରସ୍ତୁତ ହୋଇନି କୃଷି ଖସଡ଼ା,  ଚାଷକାର୍ଯ୍ୟ ବିଳମ୍ବିତ ହେବା ଆଶଙ୍କା

ବାଲେଶ୍ବର : ଦୁଇଦିନ ପରେ ଅକ୍ଷୟ ତୃତୀୟା ବା ଅଖିମୁଠି ଅନୁକୁଳ ହେବ। ଓଡ଼ିଆ ପରମ୍ପରାରେ ଚାଷୀମାନଙ୍କ ପାଇଁ ଏହା ଏକ ସ୍ବତନ୍ତ୍ର ଦିନ। ଚାଷୀମାନେ ଏହି ଦିନଠାରୁ ନିଜ ନିଜ ଜମିରେ ଚାଷକାମ ଆରମ୍ଭ କରିଥାନ୍ତି। ହେଲେ କରୋନା ମହାମାରୀ ସବୁକିଛି ବିଗାଡ଼ି ଦେଇଛି। ଲକଡାଉନ ଜାରି ରହିଥିବାରୁ ଚ‌ାଷୀମାନେ ବିହନ, ସାର, କୀଟନାଶକ ଓ କୃଷି ଯନ୍ତ୍ରପାତି କିଣାକିଣି କରିବା ପାଇଁ ନା ବାହାରକୁ ବାହାରି ପାରୁଛନ୍ତି ନା ବଜାରରେ ସେମାନଙ୍କ ପାଇଁ ବିହନ ମହଜୁଦ ରଖାଯାଇଛି। ଏନେଇ କୃଷି ବିଭାଗ ଏବଂ ଜିଲ୍ଲା ପ୍ରଶାସନ ଏପର୍ଯ୍ୟନ୍ତ କୌଣସି ଖସଡ଼ା ପ୍ରସ୍ତୁତ କରିନଥିବା ବେଳେ ଆଗାମୀ ଖରିଫ ଚାଷ ବିଳମ୍ବିତ ହେବ ବୋଲି ଚାଷୀକୁଳ ଆଶଙ୍କାରେ ରହିଥିବା କହିଛନ୍ତି।

ସୂଚନା ଥାଉକି, କରୋନା ମହାମାରୀ ସମୟରେ ଲାଗୁ ହୋଇଥିବା ଲକ୍‌ଡାଉନ ଯୋଗୁଁ କୃଷିକ୍ଷେତ୍ର ଯେପରି ପ୍ରଭାବିତ ନହୁଏ ସେଥିପାଇଁ ଚାଷୀଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ତେବେ କୃଷିବହୁଳ ଜିଲ୍ଲା‌ ବାଲେଶ୍ବରରେ ଗତବର୍ଷ ଭଳି ଏବର୍ଷ କୃଷି ବିଭାଗ ତରଫରୁ ଚାଷୀଙ୍କୁ ଆବଶ୍ୟକ ସହଯୋଗ ମିଳୁନଥିବା ବେଳେ ବ୍ୟାପକ ଅବ୍ୟବସ୍ଥା ଦେଖାଯାଇଛି। ଏହାଛଡ଼ା ଜିଲ୍ଲାରେ ଏ ବର୍ଷ ଖରିଫ ଋତୁରେ କେତେ ଜମି ଧାନ ଚାଷ ହେବ, ବିହନ ଓ ସାରର ଆବଶ୍ୟକତା, କୃଷି ଯନ୍ତ୍ରପାତି ଓ କୃଷି ଋଣ ଏବଂ ଉନ୍ନତ ପ୍ରଣାଳୀରେ ଧାନଚାଷ ଆଦି ଉପରେ ଆଲୋଚନା କରାଯାଇ ଅକ୍ଷୟ ତୃତୀୟା ପୂର୍ବରୁ କିମ୍ବା ପରେ ପରେ ଜିଲ୍ଲାସ୍ତରୀୟ ନିଷ୍ପତ୍ତି ଗ୍ରହଣ କରାଯିବାର ବ୍ୟବସ୍ଥା ରହିଥିଲେ ହେଁ ଏ ପର୍ଯ୍ୟନ୍ତ ତାହା କରାଯାଇ ପାରିନଥିବା ଜିଲ୍ଲା କୃଷି ଅଧିକାରୀ ପ୍ରସନ୍ନ କୁମାର ମହାପାତ୍ର କହିଛନ୍ତି।

ଗତବର୍ଷର ପରିସଂଖ୍ୟାନକୁ ଦେଖିଲେ ଜିଲ୍ଲାରେ ୨ ଲକ୍ଷ ୨୦ ହଜାର ହେକ୍ଟର ‌ଜମିରେ ଖରିଫ ଫସଲ କରାଯିବାକୁ ଯୋଜନା ହୋଇଥିଲା। ଏଥିପାଇଁ ଚାଷୀଙ୍କୁ ୧ ଲକ୍ଷ କ୍ୟୁଣ୍ଟାଲ ବିହନ ଆବଶ୍ୟକ ରହିଥିବା ବେଳେ କୃଷି ବିଭାଗ, ଓଡ଼ିଶା ବିହନ ନିଗମ ଜରିଆରେ ପ୍ରାୟ ୧୬ ହଜାର କ୍ୟୁଣ୍ଟାଲ ଧାନ ବିହନ ଯୋଗାଇ ଦେଇଥିଲେ। ଚାଷକାମ ପାଇଁ ଏବେ ପାଣିପାଗ ଠିକ୍‌ ରହିଥିବା ବେଳେ କୃଷି ବିଭାଗ ଓ ବିହନ ନିଗମ କର୍ତ୍ତୃପକ୍ଷଙ୍କ ଉଦାସୀନତା ଯୋଗୁଁ ଏପରି ଅବ୍ୟବସ୍ଥା ପରିଲକ୍ଷିତ ହୋଇଛି। ‌ସେହିପରି ଲକଡାଉନ କଟକଣା ଜାରି ରହିଥିବାରୁ ପୁଲିସ ଓ ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଭୟରେ ଚାଷୀମାନେ ଘରୁ ବାହାରକୁ ବାହାରି ପାରୁନାହାନ୍ତି। ସେମାନଙ୍କ ଯିବାଆସିବା କରିବା ପାଇଁ ବିଭାଗ କିମ୍ବା ପ୍ରଶାସନ ତରଫରୁ ସ୍ବତନ୍ତ୍ର ପାସ୍‌ର ବ୍ୟବସ୍ଥା ହୋଇପାରିଲେ ସେମାନେ ଉପକୃତ ହୋଇପାରନ୍ତେ ବୋଲି ବୁଦ୍ଧିଜୀବୀ ମହଲ ପ୍ରକାଶ କରିଛନ୍ତି।

ସେପଟେ ଗତଥର ବିଭାଗ ପକ୍ଷରୁ ଆବଶ୍ୟକ ସହଯୋଗ ରହିନଥିଲେ ମଧ୍ୟ ଲକ୍ଷ୍ୟଧାର୍ଯ୍ୟ ଠାରୁ ଅଧିକ ଧାନ ଅମଳ ହୋଇଥିଲା। ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ବାଲିଆପାଳରୁ ଚାଷୀ ମନ୍ମଥ ପାତ୍ର, ଜଳେଶ୍ବରରୁ ବସନ୍ତ ବାରିକ, ବସ୍ତାରୁ ରଘୁନାଥ ସାହୁ, ମଧୁସୂଦନ ପାତ୍ର, ଲକ୍ଷ୍ମୀଧର ସାହୁ, ହରେନ୍ଦ୍ର ସାହୁ, ସଦରରୁ ମନୋଜ ଦାସ ଓ ରବିନାରାୟଣ ମହାପାତ୍ର, ସୋରରୁ ସଚ୍ଚୀନ୍ଦ୍ର ନାୟକ, ଶଶୀ ରାଉତ, ଖଇରାରୁ ବସନ୍ତ ପଣ୍ଡା, କହ୍ନେଇ ବେହେରା ଓ ନୀଳଗିରିରୁ ବିବେକାନନ୍ଦ ପତି ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର