ଲୋକଙ୍କୁ ସତର୍କ କରାଇଲେ ମୁଖ୍ୟ ବୈଜ୍ଞାନିକ ଉପଦେଷ୍ଟା, ଟିକା ନେଲେ ବି ନିୟମ ମାନିବା ଜରୁରୀ

ନୂଆଦିଲ୍ଲୀ: କୋଭିଡ୍‌ ଟିକା ନେଇଥିଲେ ମଧ୍ୟ କରୋନାକୁ କୌଣସି ମତେ ହାଲ୍‌କା ଭାବେ କେହି ନେବା ଉଚିତ ନୁହେଁ। କରୋନାକୁ ଦୂରେଇ ରଖିବା ପାଇଁ ସରକାର ଲାଗୁ କରିଥିବା ନିୟମ ଯଥା ସାମାଜିକ ଦୂରତା ରକ୍ଷା କରିବା ଏବଂ ମାସ୍କ ପିନ୍ଧିବା ଆଦିକୁ କଡ଼ାକଡ଼ି ଭାବେ ମାନିବା ‌ଲାଗି ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ଉପଦେଷ୍ଟା କେ ବିଜୟ ରାଘବନ ଜନସାଧାରଣଙ୍କୁ ପରାମର୍ଶ କରିଛନ୍ତି।

କରୋନାର ଦ୍ବିତୀୟ ଲହର ଯୋଗୁ ସମଗ୍ର ଦେଶ ଏବେ ବିପଦରେ ପଡ଼ିଛି। ଦେଶର ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ଏବେ ଯେଉଁ ଚାପ ସୃଷ୍ଟି ହୋଇଛି ତାହାକୁ କମାଇବାକୁ ହେଲେ ନିୟମ ପାଳନ କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଉଭୟ ବ୍ୟକ୍ତିଗତ ଏବଂ ଗୋଷ୍ଠୀଗତ ସ୍ତରରେ ସମସ୍ତେ ଏସବୁ ନିୟମ ମାନିବା ଜରୁରୀ ବୋଲି ରାଘବନ କହିଛନ୍ତି। ଦେଶରେ କେରାନା ଭୂତାଣୁ ଯେଭଳି ବ୍ୟାପକ ମାତ୍ରାରେ ବ୍ୟାପିଯାଇଛି ସେହି କାରଣରୁ ତୃତୀୟ ଲହର ନିଶ୍ଚିତ ଆସିବ। ତେବେ ଏହା କେବେ ଆସିବ ଏବଂ କେଉଁଭଳି ଆକାର ନେବ ତାହା ଏବେ ସ୍ପଷ୍ଟ ହୋଇନାହିଁ। ତେଣୁ ଆମେ ତୃତୀୟ ଲହର ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି। ଡବଲ ଭାରିଆଣ୍ଟ କରୋନା ଭୂତାଣୁ ବିରୋଧରେ ବର୍ତ୍ତମାନର ଟିକା ଫଳପ୍ରଦ ରହିଛି। କିନ୍ତୁ ଭୂତାଣୁ ଏହାର ରୂପ ବଦଳାଉଥିବାରୁ ଟିକାକୁ ମଧ୍ୟ ସେହି ଅନୁଯାୟୀ ତିଆରି କରିବାର ଆବଶ୍ୟକତା ରହିଛି ଏବଂ ସତର୍କତା ପଦ‌କ୍ଷେପରେ ଆଦୌ ସାଲିସ୍‌ ହେବା ଉଚିତ ନୁହେଁ ବୋଲି ରାଘବନ କହିଛନ୍ତି।

ସମ୍ବନ୍ଧିତ ଖବର