ନିମ୍ନମାନର ରାସ୍ତା କାମକୁ ନେଇ ଅସନ୍ତୁଷ୍ଟ ୭ ଗାଆଁର ଗ୍ରାମବାସୀ

ବୈପାରିଗୁଡା : ନିମ୍ନମାନର ରାସ୍ତା କାମକୁ ନେଇ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି ସାତଟି ଗ୍ରାମର ଗ୍ରାମବାସୀ। ସୂଚନାଯୋଗ୍ୟ ଯେ, ରାଞ୍ଚି ବିଜୟବାଡା ୩୨୬ ନମ୍ବର ରାଜପଥରୁ  ପ୍ରସିଦ୍ଧ ଦେବୀ ପିଠ ଵୀରଖମ୍ବ ପିଠ ପର୍ଯ୍ୟନ୍ତ ଅଢେଇ କିଲୋମିଟର ଦୂର ପାଇଁ ବିଧାୟକ ପାଣ୍ଠିରୁ ଏକ କୋଟି ଏବଂ ନାଲକୋ ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠିରୁ ଦେଢ଼ କୋଟି ଟଙ୍କା ମଞ୍ଜୁର କରାଯାଇଛି।ଗତ ୨୦୨୦ ମସିହା ଅକ୍ଟୋବର ମାସରେ କୋରାପୁଟ ବିଧାୟକ ରଘୁରାମ ପାଡାଲ ଏହି ରାସ୍ତା ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଏହି ଅଢେଇ କିଲୋମିଟର ରାସ୍ତା ଉପରେ କେନ୍ଦୁପଡା,ବାତ୍ରିଗୁଡା,ପାଲିଗୁଡା,
ପଡେଇଗୁଡା,ଝଡିଗୁଡା,ଖିଲଗୁଡା ଏବଂ ଦହଡାଗୁଡାର ଗ୍ରାମବାସୀମାନେ ନିର୍ଭର କରିଥାନ୍ତି। ଏହି ରାସ୍ତା ଦେଇ ପ୍ରତିଦିନ ଏହି ସାତଟି ଗ୍ରାମର ଗ୍ରାମବାସୀମାନେ ବିଭିନ୍ନ କାମରେ ବ୍ଲକ ସଦରମହକୁମାକୁ ଆସିଥାନ୍ତି। ମୁଲ ମଜୁରୀ ସହ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟକୁ ବିଭିନ୍ନ କାମ ପାଇଁ ଆସିବା ସହ ବୈପାରିଗୁଡାରେ ରହିଥିବା ତିନୋଟି ବ୍ୟାଙ୍କ୍ କୁ ମଧ୍ୟ ଆସିଥାନ୍ତି। ଏହାଛଡା ଏହି ଗ୍ରାମ ଗୁଡ଼ିକରୁ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ହାଇସ୍କୁଲ ଠାରୁ ଡିଗ୍ରୀ କଲେଜକୁ ପାଠ ପଢ଼ିବା ପାଇଁ ଦୈନିକ ଯିବା ଆସିବା କରିଥାନ୍ତି। ବୈପାରିଗୁଡା ବ୍ଲକର ପ୍ରସିଦ୍ଧ ଦେବୀ ପିଠ ବୀରଖମ୍ବ ମନ୍ଦିରକୁ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଜିଲ୍ଲା ତଥା ରାଜ୍ୟ ବାହାରୁ ଆସିଥାନ୍ତି। ସାତଟି ଗ୍ରାମବାସୀଙ୍କ ଦୀର୍ଘ ଦିନର ଦାବୀ ପୂରଣ ପାଇଁ ରାସ୍ତା କାମ ଆରମ୍ଭ ହୋଇଥିଲେ ମଧ୍ୟ ଏହା ସଂପୂର୍ଣ୍ଣ ନିମ୍ନ ମାନର ହୋଇଥିବାରୁ ଗ୍ରାମବାସୀମାନେ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନଙ୍କ ଅଭିଯୋଗ ହେଉଛି ଯେ, ନିୟମ ଅନୁଯାୟୀ ରାସ୍ତାକାମ ଆଦୈ ହୋଇନାହିଁ। ରାସ୍ତା ତିଆରି ବେଳେ ମେଟାଲ୍ ଏବଂ ତା ଉପରେ ଚିପସ୍ ଏବଂ ତା ଉପରେ ବଜୁରୀ ପଡ଼ିବା ନିୟମ ରହିଥିଲେ କେବଳ ମେଟାଲ୍ ଏବଂ ତା ଉପରେ ବଜୁରୀ ବିଛେଇ ଦିଆଯାଇଛି। ଯାହାକୁ ଗ୍ରାମବାସୀମାନେ ହାତରେ ଖୋଳି ଦେଖେଇଛନ୍ତି। ଏହାଛଡା ରାସ୍ତା ପାହାଡ଼ କଡେ କଡେ ଯାଇଥିବାରୁ ରାସ୍ତାକୁ ବର୍ଷା ପାଣିରୁ ରକ୍ଷା କରିବା ପାଇଁ ଗାର୍ଡ ଓ୍ବାଲ୍ ନିହାତି ଦରକାର ଥିବାବେଳେ ତାହା ମଧ୍ୟ ତିଆରି ହୋଇନାହିଁ। ବର୍ତମାନ ରାସ୍ତାର ଅବସ୍ଥା ଯାହା ହୋଇଛି, ଅଳ୍ପ ଦିନ ପରେ ତାହା ଆଉ ରାସ୍ତା ହୋଇ ରହିବ ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାର ଉପଯୁକ୍ତ ତଦନ୍ତ ପାଇଁ ଦାବୀ କରିଛନ୍ତି।
ସମ୍ବନ୍ଧିତ ଖବର