ମହଙ୍ଗା ପଡ଼ିଲା ତରବରିଆ ସିଏମ୍‌ସି ନର୍ସରି ସ୍ଥାନାନ୍ତର

ନଷ୍ଟ ହେଇଗଲା ୪ ଲକ୍ଷରୁ ଅଧିକ ଟଙ୍କାର ଚାରା

କଟକ: ଅତ୍ୟାଧୁନିକ ଖାନନଗର ନେତାଜୀ ବସ୍‌ ଟର୍ମିନାଲ ନିର୍ମାଣ ପାଇଁ ମହାନଗର ନିଗମ ପକ୍ଷରୁ କେନ୍ଦ୍ରୀୟ ଚାରା ଉଦ୍ୟାନ ବା ନର୍ସରୀକୁ ଅତି ତରବରିଆ ଭାବେ ସ୍ଥାନାନ୍ତର କରି ଦିଆଗଲା। ବିନା ପ୍ରସ୍ତୁତିରେ ସିଡିଏ ସେକ୍ଟର-୯ସ୍ଥିତ ଆମ୍ବ ତୋଟାକୁ ଉଦ୍ୟାନକୁ ଉଠାଗଲା। ଏଥିରେ ୪ଲକ୍ଷରୁ ଅଧିକ ଟଙ୍କାର ଚାରା ଓ ମଦର ପ୍ଲାଣ୍ଟ ନଷ୍ଟ ହୋଇଯାଇଛି। ସିଏମ୍‌ସି କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନ କାମ ପାଇଁ ହଜାର ହଜାର ସଂଖ୍ୟାରେ ଚାରା ଓ ଗଛ ମରିଯିବା ସହିତ ଅନେକ ମଦର ପ୍ଲାଣ୍ଟର ହିସାବ ମିଳୁନାହିଁ। ସେକ୍ଟର -୯ ଆମ୍ବ ତୋଟାକୁ ନର୍ସରୀ ସ୍ଥାନାନ୍ତର କରାଯାଇଥିବା କୁହାଯାଉ ଥିବା ବେଳେ ଏବେ ନିଗମର ଚାରାକୁ ସେକ୍ଟର-୮ସ୍ଥିତ ଉଦ୍ୟାନ ବିଭାଗର ନର୍ସରୀରେ ଫୋପାଡି ଦିଆଯାଇଛି। ଏହା ମଧ୍ୟରେ ୪ ମାସ ବିତି ଯାଇଥିଲେ ବି ସିଏମ୍‌ସି ଏହାକୁ ବ୍ୟବସ୍ଥିତ ଭାବେ କାର୍ଯ୍ୟକ୍ଷମ କରିବାରେ ବିଫଳ ହୋଇଛି। ଖାନନଗର ଅତ୍ୟାଧୁନିକ ବସ୍‌ ଟର୍ମିନାଲ ପାଇଁ ପ୍ରଥମ ପର୍ଯ୍ୟାୟରେ ସିଏମ୍‌ସିର କ୍ବାଟର୍ସ, ବିଶ୍ବନାଥ ପାଠାଗାର, କେନ୍ଦ୍ରୀୟ ଚାରା ଉଦ୍ୟାନକୁ ଉଚ୍ଛେଦ କରାଗଲା। ନର୍ସରୀକୁ ସ୍ଥାନାନ୍ତର କରିବାକୁ ପ୍ରଥମେ ନୂଆପଡ଼ାଠାରେ ୫ ଏକରର ଜାଗା ଚହ୍ନଟ ହୋଇଥିଲା।

ମାତ୍ର ସେଠାରେ ବିଭିନ୍ନ ସମସ୍ୟା ଦେଖାଯିବାରୁ ଏହାକୁ ସିଡିଏ ସେକ୍ଟର-୯ର ଆମ୍ବ ତୋଟାକୁ ଫେବ୍ରୁଆରି ୧ ତାରିଖରେ ସ୍ଥାନାନ୍ତର କରାଗଲା। ଦୁଇ ମାସ ମଧ୍ୟରେ ଆମ୍ବତୋଟା ଚାରିପାର୍ଶ୍ବରେ ପାଚେରି ନିର୍ମାଣ କରାଯିବା ସହିତ ପାଣି ଓ ନର୍ସରୀ କାର୍ଯ୍ୟାଳୟ କାମ ଶେଷ କରିବାକୁ ସିଏମ୍‌ସି ପକ୍ଷରୁ କୁହାଯାଇଥିଲା। ହେଲେ ଏବେ ସୁଦ୍ଧା ପାଚେରି ଓ କାର୍ଯ୍ୟାଳୟ କାମ ଅଧା ହୋଇ ପଡି ରହିଛି। ନର୍ସରୀ ସ୍ଥାନାନ୍ତର ସମୟରେ ୪ ହଜାରରୁ ଅଧିକ ଚାରା ଓ ୨ ହଜାରରୁ ଅଧିକ ମଦର ପ୍ଲାଣ୍ଟକୁ ନିଆଯାଇଥିଲା। ମାତ୍ର ସେକ୍ଟର-୯ ଆମ୍ବତୋଟା ବଦଳରେ ସେଗୁଡିକୁ ସେକ୍ଟର-୮ସ୍ଥିତ ଉଦ୍ୟାନ ବିଭାଗର ନର୍ସରୀରେ ରଖାଯାଇଛି। ସେଠାରେ ସେଗୁଡିକର ଠିକ ଭାବେ ଦାୟିତ୍ବ ନିଆଯାଉ ନଥିବାରୁ ଲକ୍ଷାଧିକ ଟଙ୍କାର ଚାରା ଓ ମଦର ପ୍ଲାଣ୍ଟ ନଷ୍ଟ ହୋଇଯାଇଛି। ଅନ୍ୟପଟେ ଚାରା କେନ୍ଦ୍ରକୁ ସିଏମ୍‌ସି ଅଧିକାରୀ ଗୁରୁତ୍ବ ଦେଉ ନଥିବାରୁ ଅନେକ ମଦର ପ୍ଲାଣ୍ଟ ଓ କୁଣ୍ଡ ଗଛର ହିସାବ ମିଳୁନାହିଁ। ଆଗକୁ ବର୍ଷା ଆସୁଥିବା ବେଳେ ସହରବାସୀ ଓ ବିଭିନ୍ନ ଅନୁଷ୍ଠାନ ବୃକ୍ଷରୋପଣ ପାଇଁ ସିଏମ୍‌ସି ଚାରା ଉଦ୍ୟାନରୁ ଚାରା ଓ ଗଛ କିଣିଥାନ୍ତି ଓ ଏଥିରେ ନିଗମର ରାଜସ୍ବ ବୃଦ୍ଧି ପାଇଥାଏ।

ମାତ୍ର ନିଗମ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଚଳିତବର୍ଷ ସିଏମ୍‌ସିର ଚାରା ବିକ୍ରି କାର୍ଯ୍ୟକ୍ରମ ବନ୍ଦ ରହିବ। ସିଏମ୍‌ସିର ଏନ୍‌ଫୋର୍ସମେଣ୍ଟ୍‌ ଓ  ପାର୍କ ଆଣ୍ଡ ପ୍ଲାଣ୍ଟେସନ୍‌ ବିଭାଗର ଦାୟିତ୍ବ ଜଣେ ଅଧିକାରୀଙ୍କ ଅଧୀନରେ ରଖାଯାଇ ଥିବାରୁ ବିଭାଗ ପକ୍ଷରୁ କେବଳ ଏନ୍‌ଫୋର୍ସମେଣ୍ଟ୍‌ କାମକୁ ଅଧିକ ଗୁରୁତ୍ବ ଦିଆଯାଉ ଥିବାରୁ ନର୍ସରୀ କାମ ଆଗେଇ ପାରୁ ନଥିବା ଅଭିଯୋଗ ହୋଇଛି। ନର୍ସରୀର ପାଚେରି ଓ କାର୍ଯ୍ୟାଳୟର ନିର୍ମାଣ କାମ ଚାଲିଛି। କାମ ଶେଷ ହେବାପରେ ଏହାକୁ ଆମ୍ବ ତୋଟାକୁ ଅଣାଯିବ। ଚଳିତବର୍ଷ ଚାରା ବିକ୍ରି କାର୍ଯ୍ୟକ୍ରମକୁ ସିଏମ୍‌ସି ପକ୍ଷରୁ ବନ୍ଦ ରଖାଯାଇଛି ବୋଲି ‌ନର୍ସରୀ ଦାୟିତ୍ବରେ ଥିବା ଡେପୁଟି କମିସନର ଅବିନାଶ ରାଉତ କହିଛନ୍ତି।

ସମ୍ବନ୍ଧିତ ଖବର