ହାଇତି ରାଷ୍ଟ୍ରପତି ଜୋଭେନେଲ ମୋଇସଙ୍କୁ ହତ୍ୟା

ନୂଆଦିଲ୍ଲୀ: ହାଇତିର ରାଷ୍ଟ୍ରପତି ଜୋଭେନେଲ ମୋଇସଙ୍କୁ ହତ୍ୟା କରାଯାଇଛି । ବୁଧବାର ଦିନ ତାଙ୍କ ନିଜ ବାସଭବନରେ ହତ୍ୟା ହୋଇଥିବା ନେଇ ସୂଚନା ଦେଇଛନ୍ତି ହାଇତିର ଅନ୍ତରୀଣ ପ୍ରଧାନମନ୍ତ୍ରୀ ।

ଏବେ ପ୍ରାଥମିକ ସୂଚନା ପୋର୍ଟ-ଓ-ପ୍ରିନ୍ସରୁ ବାହାରକୁ ଆସିଛି । ଏହା ମଧ୍ୟରେ ପତ୍ରକାର ମାଇକେଲ ଡିବର୍ଟ ଏକ ବିଜ୍ଞପ୍ତି ସେୟାର କରି କାରବିୟାନ ଦେଶର ରାଷ୍ଟ୍ରପତିଙ୍କ ହତ୍ୟା ତାଙ୍କ ନିଜ ବାସଭବନରେ କମାଣ୍ଡୋ ଦ୍ୱାରା କରାଯାଇଥିବା କହିଛନ୍ତି ।

ଅନ୍ୟପଟେ ଖଲୀଜ୍ ଟାଇମ୍ସର ସୂଚନା ମୁତାବକ ହାଇତିର ଅନ୍ତରୀଣ ପ୍ରଧାନମନ୍ତ୍ରୀ କ୍ଲାଓଡ ଜୋସେଫ୍ ବୁଧବାର ଦିନ ସୂଚନା ଦେଇ କହିଛନ୍ତି କି ଏକ ଅଜଣା ଗୋଷ୍ଠୀଙ୍କ ଦ୍ୱାରା ରାଷ୍ଟ୍ରପତି ଜୋଭେନେଲ ମୋଇସଙ୍କୁ ତାଙ୍କ ବାସଭବନରେ ହତ୍ୟା କରାଯାଇଛି । ଅଜଣା ଗୋଷ୍ଠୀ ରାତିରେ ମୋଇସଙ୍କ ବାସଭବନ ନିକଟରେ ପହଞ୍ଚି ଆକ୍ରମଣ କରିଥିଲେ । ସେମାନଙ୍କ ଗୁଳିରେ ରାଷ୍ଟ୍ରପତିଙ୍କ ମୃତ୍ୟୁ ହୋଇଛି ବୋଲି କୁହାଯାଇଛି ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ରାଷ୍ଟ୍ରପତିଙ୍କୁ ହତ୍ୟା କରିବାକୁ ଆସିଥିବା ଲୋକମାନଙ୍କ ମଧ୍ୟରୁ କିଛି ଲୋକ ସ୍ପେନିସ୍ ଭାଷାରେ କଥା ହେଉଥିଲେ । ଏହି ଘଟଣା ବୁଧବାର ରାତି ୧ଟା ମଧ୍ୟରେ ଘଟିଛି । ଆସୋସିଏଟେଡ ପ୍ରେସର ସୂଚନା ମୁତାବକ ରାଷ୍ଟ୍ରପତିଙ୍କ ପତ୍ନୀ ତଥା ହାଇତିଙ୍କ ପ୍ରଥମ ମହିଳା ମଧ୍ୟ ଏହି ଅଜଣା ବ୍ୟକ୍ତିଙ୍କ ଆକ୍ରମଣରେ ଗୁରୁତର ହୋଇଛନ୍ତି । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସମ୍ବନ୍ଧିତ ଖବର