ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପଛର ରାଜନୈତିକ ଗଣିତ, ସମ୍ପ୍ରସାରଣର ୫ ପ୍ରମୁଖ ବାର୍ତ୍ତା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳକୁ ସମ୍ପୂର୍ଣ୍ଣ ଭାବେ ଏକ ନୂଆ ରୂପ ମିଳିଛି। ଅଧିକ ଯୁବ ମନ୍ତ୍ରୀ ସାଙ୍ଗକୁ ବିଭିନ୍ନ ବର୍ଗକୁ ପ୍ରାଧାନ୍ୟ ଦେଇ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇଛି ଏବଂ ଏହା ପଛରେ ଏକ ରାଜନୈତିକ ଗଣିତ ରହିଛି। ମନ୍ତ୍ରିମଣ୍ଡଳରୁ ପୁରୁଖା ମନ୍ତ୍ରୀମାନେ ବାଦ୍‌ ପଡ଼ିବା ବିଜେପି ନେତା ଓ ଏନ୍‌ଡିଏ ସହଯୋଗୀମାନଙ୍କୁ କଡ଼ା ବାର୍ତ୍ତା ପ୍ରଦାନ କରିଛି। ପ୍ରମୁଖ ରାଜ୍ୟଗୁଡ଼ିକରେ ଦଳୀୟ ସ୍ଥିତି ଏବଂ ବିଜେପି ସହଯୋଗୀମାନଙ୍କୁ ନେଇ ଏହା ରାଜନୈତିକ ହିସାବ ହୋଇଛି। ମୋଦୀ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ୫ଟି ରାଜନୈତିକ ବାର୍ତ୍ତା ପ୍ରଦାନ କରୁଛି। ସେଗୁଡ଼ିକ ହେଉଛି-

ନୂଆ ସହଯୋଗୀ ସାମିଲ
ପ୍ରଧାନମନ୍ତ୍ରୀ ନ‌ରେନ୍ଦ୍ର ମୋଦୀ ୨୦୧୯ରେ ତାଙ୍କ ଦ୍ବିତୀୟ କାର୍ଯ୍ୟକାଳ ଆରମ୍ଭ କରିବା‌ ସମୟରେ ତାଙ୍କ ସରକାରରେ ୪ଟି ସହଯୋଗୀ ଦଳରୁ ମନ୍ତ୍ରୀ ଥିଲେ। ଶିବସେନା, ଶିରୋମଣି ଅକାଳି ଦଳ, ଲୋକ ଜନଶକ୍ତି ପାର୍ଟି ଏବଂ ରିପବ୍ଲିକାନ୍‌ ପାର୍ଟି ଅଫ୍‌ ଇଣ୍ଡିଆ (ଅଠାୱାଲେ) ଏଥିରେ ସାମିଲ ଥିଲେ। ତେବେ ଗତ ୨ ବର୍ଷ ମଧ୍ୟରେ ୨ ମେଣ୍ଟ ସହଯୋଗୀ ଶିବସେନା ଏବଂ ଶିରୋମଣି ଅକାଳି ଦଳ ମେଣ୍ଟରୁ ଓହରିଗଲେ। ୨୦୨୦ରେ ରାମ ବିଳାସ ପାଶ୍ବାନ୍‌ଙ୍କ ପରଲୋକ ଯୋଗୁଁ ଏଲ୍‌ଜେପି ମେଣ୍ଟରୁ ମନ୍ତ୍ରିପଦ ଖାଲି ପଡ଼ିଥିଲା। ମୋଦୀ ସରକାର ମେଣ୍ଟ ସହଯୋଗୀଙ୍କୁ ଉଚିତ ସମ୍ମାନ ଦେଉନାହିଁ ବୋଲି କଡ଼ା ସମାଲୋଚନାର ଶିକାର ହେବାପରେ ନୂଆ ମନ୍ତ୍ରିମଣ୍ଡଳରେ ମେଣ୍ଟ ୪ ସହଯୋଗୀ ଦଳରୁ ମନ୍ତ୍ରୀ ହୋଇଛନ୍ତି। ପୂର୍ବରୁ ଜେଡିୟୁ ସାମିଲ ନଥିଲା। କିନ୍ତୁ ନୂଆ ମନ୍ତ୍ରିମଣ୍ଡଳରେ ଜେଡିୟୁ ସ୍ଥାନ ପାଇଛି।‌ ଲୋକ ଜନଶକ୍ତି ପାର୍ଟିକୁ ପୁଣି ବିଭାଗ ମିଳିଛି। ଆପ୍‌ନା ଦଳ ବି ସ୍ଥାନ ପାଇଛି।

ପରିଶ୍ରମର ଫଳ ମିଳିଲା
ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ନିଷ୍ଠାର ସହ ଦଳ ପାଇଁ କାମ କରିଥିବା ବ୍ୟକ୍ତିମାନଙ୍କୁ ସ୍ଥାନ ମିଳିଛି। ଏଭଳି ଜଣେ ବ୍ୟକ୍ତି ହେଉଛନ୍ତି ପ୍ରତିମା ଭୌମିକ। ତ୍ରିପୁରାର ‘ଦିଦି’ ପ୍ରତିମା ଅତ୍ୟନ୍ତ ନିଷ୍ଠାର ସହ ଦଳପାଇଁ କାମ କରିଛନ୍ତି। ୧୯୯୧ରୁ ସେ ବିଜେପିରେ ଅଛନ୍ତି। ଦଳର ସାଂଗଠନିକ ଶକ୍ତି ସୁଦୃଢ଼ କରିଛନ୍ତି। ସେ ନୂଆ ମନ୍ତ୍ରିମଣ୍ଡଳରେ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ହୋଇଛନ୍ତି। ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ପୂର୍ବତନ ସହଯୋଗୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଦୀର୍ଘ ବର୍ଷ ପରେ କଂଗ୍ରେସ ଛାଡ଼ି ବିଜେପି ଆସିବାପରେ ତାଙ୍କୁ ତାଙ୍କୁ ମଧ୍ୟ ନ୍ୟାୟ ମିଳିଛି। ନୂଆ ମନ୍ତ୍ରିମଣ୍ଡଳରେ ସେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହୋଇଛନ୍ତି।

ଦାୟିତ୍ବ ଓ ଭୂମିକା ଆକଳନ
ଦ୍ବିତୀୟ କାର୍ଯ୍ୟକାଳ ଆରମ୍ଭ ସମୟରେ ମୋଦୀ ତାଙ୍କ ମନ୍ତ୍ରୀମାନଙ୍କ ସହ ଏକ ବୈଠକ କରିଥିଲେ। ସେମାନଙ୍କୁ ଗଣମାଧ୍ୟମ ପ୍ରେମରେ ନପଡ଼ି ନିଜ ନିଜକୁ ମିଳିଥିବା ବିଭାଗ ଏବଂ ଦାୟିତ୍ବ ସଠିକ୍‌ ଭାବେ ନିର୍ବାହ କରିବାପାଇଁ କହିଥିଲେ। ନୂଆ ମନ୍ତ୍ରିମଣ୍ଡଳରେ କିଛି ମନ୍ତ୍ରୀଙ୍କ ଦାୟିତ୍ବ ଏବଂ ଭୂମିକା ଆକଳନ ମଧ୍ୟ କରାଯାଇଛି। ଆର୍‌ଏସ୍‌ଏସ୍‌ ପକ୍ଷରୁ ପ୍ରତି ମନ୍ତ୍ରାଳୟ ସଂକ୍ରାନ୍ତରେ ଟିକିନିଖି ମତାମତ ଦିଆଯାଇଥିବା ଜଣାପଡ଼ିଛି। ରବିଶଙ୍କର ପ୍ରସାଦ ଏବଂ ହର୍ଷବର୍ଦ୍ଧନଙ୍କ ମନ୍ତ୍ରାଳୟକୁ କଡ଼ା ସମାଲୋଚନାର ଶିକାର ‌ହେବାକୁ ପଡ଼ିଥିଲା।

ଉତ୍ତରପ୍ରଦେଶରେ ଜାତି ସମୀକରଣ
ଆସନ୍ତାବର୍ଷ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଅଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦୁର୍ବଳ କୋଭିଡ୍‌ ପରିଚାଳନା ପାଇଁ ତାଙ୍କୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଛି। ତେଣୁ ଉତ୍ତରପ୍ରଦେଶରେ ବିଜେପି ନିଜର ଶକ୍ତି ସୁଦୃଢ଼ କରିବାପାଇଁ ୭ ଜଣଙ୍କୁ ମନ୍ତ୍ରୀ କରିଛି। ଉତ୍ତରପ୍ରଦେଶରେ ୩ ମନ୍ତ୍ରୀ ଅନୁପ୍ରିୟା ପ‌ଟେଲ, ପଙ୍କଜ ଚୌଧରୀ ଏବଂ ବିଏଲ୍‌ ବର୍ମା ଓବିସି ଶ୍ରେଣୀର। ଉତ୍ତରପ୍ରଦେଶ ଜନସଂଖ୍ୟାର ୫୦ ପ୍ରତିଶତ ହେଉଛନ୍ତି ଓବିସି। ଅନ୍ୟ ୩ ଜଣ ମନ୍ତ୍ରୀ କୌଶଲ କିଶୋର, ଭି. ପ୍ରତାପ ସିଂହ ବର୍ମା ଏବଂ ଏସ୍‌ପିଏସ୍‌ ବାଘେଲ ଏସ୍‌ଟି ଶ୍ରେଣୀର। ଉତ୍ତରପ୍ରଦେଶ ଜନସଂଖ୍ୟାରେ ଏସ୍‌ଟି ୨୦ ପ୍ରତିଶତ। ନୂଆ ମନ୍ତ୍ରୀମାନଙ୍କ ମଧ୍ୟରେ ଏକମାତ୍ର ବ୍ରାହ୍ମଣ ହେଉଛନ୍ତି ଅଜୟ କୁମାର। ଉତ୍ତରପ୍ରଦେଶ ଜନସଂଖ୍ୟାର ୧୦ ପ୍ରତିଶତ ହେଉଛନ୍ତି ବ୍ରାହ୍ମଣ। ତେବେ କେନ୍ଦ୍ର କ୍ୟାବିନେଟ୍‌ ସମ୍ପ୍ରସାରଣରେ ଏହି ଜାତି ଗଣିତ ଯୋଗୀ ଆଦିତ୍ୟନାଥଙ୍କ ସପକ୍ଷରେ ଯିବ। ଉତ୍ତରପ୍ରଦେଶରେ ଏବେ ୧୫ ଜଣ ମନ୍ତ୍ରୀ ଅଛନ୍ତି। ସେହିପରି ନୂଆ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟଦ୍ୟୁରପ୍ପାଙ୍କ ଶକ୍ତି ବଢ଼ିଛି। ଏଠାରୁ ୪ ନୂଆ ମନ୍ତ୍ରୀ ସାମିଲ ହୋଇଥିବା ବେଳେ କେବଳ ସଦାନନ୍ଦ ଗୌଡା ବାଦ୍‌ ପଡ଼ିଛନ୍ତି। କର୍ଣ୍ଣାଟକରୁ ଭୋକାଲିଗା, ଲିଙ୍ଗାୟତ ଏବଂ ଦଳିତ ସମ୍ପ୍ରଦାୟରୁ ୩ ଜଣ ସାମିଲ ହୋଇଛନ୍ତି ।

ଶିବସେନା ପାଇଁ ଦ୍ବାର ବନ୍ଦ
ପରିଶେଷରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପୂର୍ବତନ ଶିବସେନା ନେତା ନାରାୟଣ ରାଣେଙ୍କୁ ନୂଆ ମନ୍ତ୍ରୀମଣ୍ଡଳରେ ସାମିଲ କରିବା ଦ୍ବାରା ଶିବସେନାକୁ ଏକ କଡ଼ା ବାର୍ତ୍ତା ମିଳିଛି। ଏଥିରୁ ଜଣାପଡ଼ୁଛି ଯେ, ବିଜେପି ୨୦୨୩ ବିଧାନସଭା ନିର୍ବାଚନ ଏକାକୀ ଲଢ଼ିବା ଯୋଜନା ରଖିଛି। ନାରାୟଣ ରାଣେ ମହାରାଷ୍ଟ୍ରର ଜଣେ ପ୍ରମୁଖ ନେତା।

ସମ୍ବନ୍ଧିତ ଖବର