ଚୀନ୍‌ରେ ଡେଲ୍‌ଟା ବ୍ୟାପିଲା, ୨୦ରୁ ଅଧିକ ସହରରେ ବ୍ୟାପିଲାଣି

ଲକ୍ଷାଧିକ ଲୋକ ଲକ୍‌ଡାଉନ୍‌ରେ, ଉହାନରେ ୭ ମାମଲା ଚିହ୍ନଟ

ବେଜିଂ: କରୋନାର ଡେଲ୍‌ଟା ପ୍ରଜାତି ଚୀନ୍‌ରେ ସଂକ୍ରମଣକୁ ତୀବ୍ର କରିଛି। ବର୍ତ୍ତମାନ ସୁଦ୍ଧା ୧୨ଟି ପ୍ରଦେଶର ୨୦ରୁ ଅଧିକ ସହରରେ ଏହା ବ୍ୟାପି ସାରିଲାଣି। ସରକାରଙ୍କ ପାଇଁ ଏହା ମୁଣ୍ଡବିନ୍ଧାର କାରଣ ପାଲଟିଛି। ସୋମବାର ଚୀନ୍‌ରେ ୭୫ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସ୍ଥିତି ନିୟନ୍ତ୍ରଣ ପାଇଁ ଚୀନ୍‌ ପୂର୍ବଭଳି ପୁଣି କଟକଣା କଡ଼ାକଡ଼ି କରିଛି। ଲକ୍ଷାଧିକ ଲୋକ ଏବେ ଲକ୍‌ଡାଉନ୍‌ରେ ଅଛନ୍ତି। ବେଜିଂ ସମେତ ଦେଶର ପ୍ରମୁଖ ସହର ଗୁଡ଼ିକରେ ଲକ୍ଷାଧିକ ଲୋକଙ୍କର କରୋନା ଟେଷ୍ଟ୍‌ ସରକାର କରିଛନ୍ତି। ହୁନାନର ଜୁଝୋଉ ସହରରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା ହୋଇଛି। ଫଳରେ ୧୨ ଲକ୍ଷରୁ ଅଧିକ ଲୋକ ଘରେ ରହିଛନ୍ତି। କର୍ତ୍ତୃପକ୍ଷ ସହରସାରା ଟେଷ୍ଟିଂ ଏବଂ ଟିକାକରଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ସ୍ଥିତି ଅତ୍ୟନ୍ତ ଜଟିଳ ରହିଛି ବୋଲି ଜୁଝୋଉ ସହରର କର୍ତ୍ତୃପକ୍ଷ କହିଛନ୍ତି। ସେହିପରି ଅନ୍ୟ ଏକ ସହର ଝାଙ୍ଗଜିଆଜିଏରେ ୧୫ ଲକ୍ଷରୁ ଅଧିକ ଲୋକ ଲକ୍‌ଡାଉନ୍‌ରେ ଅଛନ୍ତି।

ଉହାନ ସହରରେ ପ୍ରଥମେ କରୋନା ମହାମାରୀ ୨୦୧୯ ଡିସେମ୍ବରରେ ବ୍ୟାପିଥିଲା। ସେହି ସହରରେ ୭ ଜଣ ନୂଆ ରୋଗୀ ଏବେ ଚିହ୍ନଟ ହୋଇଛନ୍ତି। ତେବେ ସେମାନେ ପ୍ରବାସୀ ଶ୍ରମିକ ବୋଲି ଚୀନର ସରକାରୀ ଖବର ସରବରାହ ସଂସ୍ଥା ଜିନୁଆ କହିଛି। ବେଜିଂ ସମେତ ପ୍ରମୁଖ ସହରରେ ସଂକ୍ରମିତଙ୍କୁ ପାଚେରି ବାହାରକୁ ଯିବାକୁ ଅନୁମତି ଦିଆଯାଉନାହିଁ। ଏଥିସହିତ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ସଂଗରୋଧରେ ରଖାଯାଉଛି। ଉହାନରେ ପ୍ରଥମେ କରୋନା ଚିହ୍ନଟ ହେବା ପରେ ବେଜିଂ ଏହାକୁ ପରବର୍ତ୍ତୀ ପର୍ଯ୍ୟାୟରେ ଶୂନ ସ୍ତରକୁ ହ୍ରାସ କରିବାରେ ସକ୍ଷମ ହୋଇଥିଲା। କିନ୍ତୁ ପୁଣି ଥରେ ସଂକ୍ରମଣ ବୃଦ୍ଧି ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ନାନଜିଙ୍ଗ ସହରର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଗତମାସ ୨୦ ତାରିଖରେ ୯ ଜଣ ସଫେଇ କର୍ମଚାରୀ ପ୍ରଥମେ କରୋନା ପଜିଟିଭ ହୋଇଥିଲେ।

ଏହାପରଠାରୁ ଆଜିସୁଦ୍ଧା ଦେଶରେ ୩୬୦ରୁ ଅଧିକ ପଜିଟିଭ ଚିହ୍ନଟ ହେ‌ଲେଣି। ନିକଟରେ ନାନଜିଙ୍ଗ୍ ଏବଂ ଝାଙ୍ଗଜିଆଜିଏ ଯାଇଥିବା ବ୍ୟକ୍ତିଙ୍କ ଉପରେ ପ୍ରଶାସନ କଡ଼ା ନଜର ରଖିଛି। ଏଥିସହିତ ଯେଉଁସବୁ ପର୍ଯ୍ୟଟନସ୍ଥଳୀରେ ସଂକ୍ରମଣ ଦେଖିବାକୁ ମିଳିଛି ସେଠାକୁ ନଯିବା ଲାଗି ଲୋକଙ୍କୁ ପ୍ରଶାସନ ପରାମର୍ଶ ଦେଇଛି। ଅତି ଆବଶ୍ୟକ ନଥିଲେ ବେଜିଂ ବାହାରକୁ ନଯିବା ଲାଗି ଲୋକଙ୍କୁ କୁହାଯାଇଛି। ହାଇନାନ୍ ଭଳି ପର୍ଯ୍ୟଟନସ୍ଥଳ ଏବଂ ବନ୍ୟା ପ୍ରଭାବିତ ହେନାନ ପ୍ରଦେଶରେ ନୂଆ ମାମଲା ଚିହ୍ନଟ ହୋଇଛି।

ସମ୍ବନ୍ଧିତ ଖବର