ଯୌତୁକ ପାଇଁ ଶ୍ବଶୁର ଘର ଲୋକେ ଭଉଣୀକୁ ଜାଳି ମାରି ଦେଇଥିବା ନେଇ ଅଭିଯୋଗ ଆଣିଲେ ଭାଇ

ସୁନ୍ଦରଗଡ଼ : ବର୍ଷେ ତଳେ ବିବାହ ହୋଇଥିବା ଭଉଣୀକୁ ଶ୍ବଶୁର ଘର ଲୋକେ ଜାଳି ମାରି ଦେଇଛନ୍ତି । ଏପରି ସଂଗୀନ ଅଭିଯୋଗ ନେଇ ଧରୁଆଡିହି ଥାନାରେ ପହଞ୍ଚିଛନ୍ତି ମୃତାଙ୍କ ଭାଇ ବଡ଼ଗାଁ ଥାନା ଭିକମପୁରର କରୁଣାକର କିସାନ।

ଥାନାରେ ଦେଇଥିବା ଏତଲା ଅନୁସାରେ, ଗତ ୨୦୨୦ ଜୁନ ୩୦ରେ କରୁଣାକର କିସାନଙ୍କ ବଡ଼ ଭଉଣୀ କସ୍ତୁରୀଙ୍କୁ ଧରୁଆଡିହି ଥାନା ଦେଓରାପଡ଼ାର ବୈଶାଖୁ ମାଝୀଙ୍କ ପୁଅ ସରୋଜ ମାଝି ସାମାଜିକ ରୀତିନୀତିରେ ବିବାହ କରିଥିଲେ। କିଛି ମାସ ଠିକ୍ ରହିବା ପରେ ଜ୍ବାଇ (କସ୍ତୁରୀଙ୍କ ସ୍ବାମୀ) ସରୋଜ, ଶାଶୂ ଦମୟନ୍ତୀ ଓ ଶ୍ବଶୁର ବୈଶାଖୁ ବାଇକ୍, ୨ ଭରି ସୁନା ଓ ୨ଲକ୍ଷ ଟଙ୍କା ଯୌତୁକ ଦାବି କରି ମାଡ଼ପିଟ୍ କରୁଥିବା ଅଭିଯୋଗ ହୋଇଥିଲା। କରୁଣାକର ବାରମ୍ବାର କସ୍ତୁରୀଙ୍କ ସ୍ବାମୀ, ଶ୍ବଶୁରଙ୍କୁ ବୁଝାଇସୁଝାଇ କଥାକୁ ସମାଧାନ କରିବାକୁ ଚେଷ୍ଟା କରି ଆସୁଥିଲେ। କିନ୍ତୁ ଗତ ଅଗଷ୍ଟ ୧୪ ତାରିଖରେ ଦେଓରାପଡ଼ାର ଶଙ୍କର ମାଝୀ ନାମକ ଜଣେ ବ୍ୟକ୍ତି ଭିକମପୁରର ରାଧେଶ୍ୟାମ (କରୁଣାକରଙ୍କ ପଡ଼ୋଶୀ)ଙ୍କୁ ଫୋନ୍ କରି କସ୍ତୁରୀ ନିଆଁରେ ପୋଡ଼ି ପ୍ରାଣ ହରାଇଛି ବୋଲି ସୂଚନା ଦେଇଥିଲେ। ରାଧେଶ୍ୟାମ ତୁରନ୍ତ ଆସି ଏ କଥା କହିବା ପରେ ଘର ଲୋକେ ଦେଓରାପଡ଼ାକୁ ଧାଇଁ ଯାଇଥିଲେ। କସ୍ତୁରୀ ସମ୍ପୂର୍ଣ୍ଣ ପୋଡ଼ି ଯାଇଥିବା ଦେଖିବା ପରେ ଭାଇ କରୁଣାକର ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି।

‘ଭଉଣୀ ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ପାଖ ପଡ଼ୋଶୀ କେମିତି ଜାଣିପାରିଲେ ନାହିଁ, ଘଟଣା ପରେ ଆମକୁ କାହିଁକି ସୂଚନା ଦେଲେ ନାହିଁ’ ବୋଲି ସେ ପ୍ରଶ୍ନ କରିବା ସହ ସ୍ବାମୀ ଓ ଶ୍ବଶୁର ଘର ଲୋକେ ଯୌତୁକ ପାଇଁ ଭଉଣୀକୁ ମାରି ଜାଳି ଦେଇଥିବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର