ଆସାମରେ ୭ଟି ଟ୍ରକ୍‌ ଉପରେ ଗୁଳି ଚଳାଇଲେ ସନ୍ଦିଗ୍ଧ ଉଗ୍ରବାଦୀ; ୫ ନିହତ ଓ ଜଣେ ଆହତ

ଗୌହାଟି: ଗୁରୁବାର ରାତିରେ ଆସାମର ଡିମା ହାସାଓ ଜିଲ୍ଲାରେ ସନ୍ଦିଗ୍ଧ ଉଗ୍ରବାଦୀମାନେ ନିର୍ବିଚାର ଭାବେ ୭ଟି ଟ୍ରକ୍‌ ଉପରକୁ ଗୁଳି ଚଳାଇବା ପରେ ସେଗୁଡ଼ିକରେ ନିଆଁ ଲଗାଇ ଦେବାରୁ ୫ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯିବା ସହ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି।

ପୁଲିସ କହିଛି, ରାତି ପ୍ରାୟ ୮.୩୦ ସମୟରେ ଦଳେ ସଶସ୍ତ୍ର ବ୍ୟକ୍ତି ଟ୍ରକ୍‌ଗୁଡ଼ିକୁ ଅଟକାଇ ନିର୍ବିଚାର ଭାବେ ଗୁଳି ଚଳାଇଥିଲେ। ସେଥିରୁ ୬ଟି ଟ୍ରକ୍‌ରେ ସିମେଣ୍ଟ୍ ଏବଂ ଗୋଟିଏ ଟ୍ରକ୍‌ରେ କୋଇଲା ଯାଉଥିଲା।

ଡିମା ହାସାଓ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଜୟନ୍ତ ସିଂହ କହିଛନ୍ତି, କିଛି ସମୟ ପାଇଁ ଟ୍ରକ୍‌ ଉପରକୁ ଗୁଳି ଚଳାଇବା ପରେ ସେଥିରେ ନିଆଁ ଲଗାଇ ଦେଇଥିଲେ। ଘଟଣାରେ ୫ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଏବଂ ଜଣେ ଆହତ ହୋଇଛନ୍ତି। ମୃତାହତମାନେ ହେଉଛନ୍ତି ଉକ୍ତ ଟ୍ରକଗୁଡ଼ିକର ଡ୍ରାଇଭର୍‌ ଓ ହେଲ୍‌ପର୍‌।

Image Courtesy of Zee News

ଉପରୋକ୍ତ ଆକ୍ରମଣରେ ‘ଡିମାସା ନ୍ୟାସ୍‌ନାଲ୍‌ ଲିବରେସନ୍ ଆର୍ମି’ (ଡିଏନ୍‌ଏଲ୍‌ଏ) ଜଡ଼ିତ ଥିବା କଥା ସରକାରୀ ଅଧିକାରୀମାନେ ସନ୍ଦେହ କରୁଛନ୍ତି। ‘ଡିଏନ୍‌ଏଲ୍‌ଏ’କୁ ବଟି ବାବଦ ଅର୍ଥ ଦେବାକୁ ଗୋଟାଏ ସିମେଣ୍ଟ୍‌ କାରଖାନା ମନା କରିଦେଇଥିବାରୁ ଏଭଳି କାଣ୍ଡ ଘଟାଯାଇଥିବା ସନ୍ଦେହ କରାଯାଉଛି।

ସିଂହ କହିଛନ୍ତି, ଘଟଣା ଘଟିବା ପରେ ପରେ ତୁରନ୍ତ ଅତିରିକ୍ତ ନିରାପତ୍ତା ବଳ ସେଠାକୁ ଯାଇଛନ୍ତି। ଘଟଣାରେ ଜଡ଼ିତ ଥିବା ବ୍ୟକ୍ତିବିଶେଷଙ୍କୁ ଧରିବା ଲାଗି ‘କମ୍ବିଙ୍ଗ୍ ଅପରେସନ୍’ ଚାଲିଛି।

୨୦୧୯ ଏପ୍ରିଲ୍‌ରେ ଗଠିତ ‘ଡିଏନ୍‌ଏଲ୍‌ଏ’ ସଶସ୍ତ୍ର ସଂଗ୍ରାମ ଜରିଆରେ ଡିମାସା ସମ୍ପ୍ରଦାୟ ପାଇଁ ସ୍ବାଧୀନ ରାଷ୍ଟ୍ର ଗଠନ କରିବାକୁ ଚାହୁଁଛି। ଗତ ମାସମାନଙ୍କରେ ନିରାପତ୍ତା ବଳଙ୍କ ସହ ଗୁଳି ବିନିମୟ କରି ଉକ୍ତ ସଙ୍ଗଠନର ସଦସ୍ୟମାନେ ନିହତ ହେବା ସହ ଅନ୍ୟ କେତେକ ଆତ୍ମସମର୍ପଣ କରିଛନ୍ତି।

ସମ୍ବନ୍ଧିତ ଖବର