ଧୋନିଙ୍କ ତୁଳନାରେ ଗାଙ୍ଗୁଲି ଶ୍ରେଷ୍ଠ ଅଧିନାୟକ: ସେହବାଗ

ନୂଆଦିଲ୍ଲୀ: ଆନ୍ତର୍ଜାତିକ କ୍ରିକେଟ୍‌ରେ ସବୁଠୁ ଶ୍ରେଷ୍ଠ ଅଧିନାୟକଙ୍କ ମଧ୍ୟରେ ଉଭୟ ସୌରଭ ଗାଙ୍ଗୁଲି ଏବଂ ମହେନ୍ଦ୍ର ସିଂହ ଧୋନିଙ୍କୁ ଗଣାଯା‌ଏ। ଏହି ଦୁଇ ପୂର୍ବତନ ଅଧିନାୟକ ଭାରତୀୟ କ୍ରିକେଟ୍‌କୁ ଉଚ୍ଚସ୍ତରରେ ପହଞ୍ଚାଇବାର ଶ୍ରେୟ ପାଆନ୍ତି। ଉଭୟଙ୍କର ଭିନ୍ନ ଭିନ୍ନ ସାମର୍ଥ୍ୟ ଓ ଦଳକୁ ପରିଚାଳନା କରିବାର ଶୈଳୀ ୨୦୦୦ ଦଶକରେ ଦଳକୁ ଖୁବ୍‌ ଶାଣୀତ କରିଥିଲା। ଏପରିକି ତାଙ୍କ ସମୟରେ ଭାରତୀୟ କ୍ରିକେଟ୍‌ ଇତିହାସରେ ବହୁ ଆକର୍ଷଣୀୟ ମୁହୂର୍ତ୍ତ ପ୍ରଶଂସକଙ୍କୁ ଭେଟି ଦେଇଥିଲେ।

ସେହବାଗ୍‌ଙ୍କ କହିବା କଥା ହେଲା, ଯେତେବେଳେ ମହମ୍ମଦ ଆଝାରୁଦ୍ଦିନ୍‌ ମ୍ୟାଚ୍‌ ଫିକ୍ସିଂ ଅଭିଯୋଗରେ ସଂପୃକ୍ତି ହୋଇଥିଲେ ସେହିଭଳି ସଂକଟଜନକ ସ୍ଥିତିରେ ଦଳର ମଙ୍ଗ ଧରିଥିଲେ ଗାଙ୍ଗୁଲି। ସେ ସଫଳତାର ସହ ଦାୟିତ୍ବ ତୁଲାଇ ଭାରତୀୟ ଦଳକୁ ଉଭୟ ଯୁବ ଓ ଅଭିଜ୍ଞ ଖେଳାଳିଙ୍କ ମିଶ୍ରଣରେ ଗଢ଼ି ତୋଳିଥିଲେ। ଅନ୍ୟପକ୍ଷରେ ଧୋନି ତାଙ୍କ ଭୂମିକାକୁ ଅନୁସରଣ କରିଥିଲେ ଏବଂ ଧୋନିଙ୍କ ନେତୃତ୍ବରେ ୬ ବର୍ଷ ବ୍ୟବଧାନରେ ଭାରତ ମଧ୍ୟ ତିନିଟି ଆଇସିସି ଟ୍ରଫି ଜିତିଥିଲା। ହେଲେ ଉଭୟ ଗାଙ୍ଗୁଲି ଓ ଧୋନିଙ୍କୁ ଅତି ନିକଟରୁ ପରଖିଥିଲେ ସେହବାଗ୍‌। ସେ ଉଭୟଙ୍କ ଅଧୀନରେ ଖେଳିଥିଲେ ଏବଂ ଦୁହେଁ କିପରି ସେମାନଙ୍କ ଦାୟିତ୍ବ ତୁଲାଇଥିଲେ ତାହା ଦେଖିଥିଲେ। ତେଣୁ ଧୋନିଙ୍କ ତୁଳନାରେ ଗାଙ୍ଗୁଲିଙ୍କୁ ସେ ଶ୍ରେଷ୍ଠ ଅଧିନାୟକ ବାଛିଛନ୍ତି ଏବଂ ଏହାର କାରଣ ମଧ୍ୟ ଦର୍ଶାଇଛନ୍ତି। ଉଭୟ ଗାଙ୍ଗୁଲି ଓ ଧୋନି ଦକ୍ଷ ଅଧିନାୟକ।

ହେଲେ ଦୁର୍ଦିନରୁ ଦଳକୁ ଗଢ଼ିତୋଳିଥିବା କାରଣରୁ ଦୁଇ ଶ୍ରେଷ୍ଠଙ୍କ ମଧ୍ୟରୁ ମୁଁ ଗାଙ୍ଗୁଲିଙ୍କୁ ଆଗରେ ରଖିବି। ସେ ଉଦୀୟମାନ ଖେଳାଳିଙ୍କୁ ସୁଯୋଗ ଦେଉଥିଲେ, ଦଳକୁ ସଠିକ୍‌ ମାର୍ଗଦର୍ଶନ ଦେଉଥିଲେ ଏବଂ ବିଦେଶ ମାଟିରେ ଭାରତକୁ ଜିତାଇବାର ଦୃଢ଼ ଆତ୍ମବିଶ୍ବାସ ଜନ୍ମାଇ ପାରୁଥିଲେ। ଯାହାଫଳରେ ଆମେ ଟେଷ୍ଟ୍‌ ଶୃଙ୍ଖଳାକୁ ଅମୀମାଂସିତ ରଖିବା ବ୍ୟତୀତ ଟେଷ୍ଟ୍‌ ମ୍ୟାଚ୍‌ ଜିତିବାର ଶିକ୍ଷା ପାଇଥିଲୁ ବୋଲି କହିଛନ୍ତି ସେହବାଗ୍‌। ଅନ୍ୟପକ୍ଷରେ ଧୋନି ଦଳକୁ ବିକାଶ ପଥରେ ଆଗେଇ ନେଇଥିଲେ ସତ। ହେଲେ ସେ ଯେତେବେଳେ ଅଧିନାୟକ ମନୋନୀତ ହେଲେ ସେତେବେଳେ ତାଙ୍କ ପାଇଁ ଏକ ନୂଆ ଦଳ ଗଢ଼ିବାରେ ବିଶେଷ କଷ୍ଟକର ସ୍ଥିତି ନଥିଲା। ତେଣୁ ଏହି ଦୁଇ ଭାରତୀୟଙ୍କ ମଧ୍ୟରୁ ଗାଙ୍ଗୁଲିଙ୍କୁ ତାଙ୍କର ଶ୍ରେଷ୍ଠ ଅଧିନାୟକ ଭାବେ ଦର୍ଶାଇଛନ୍ତି ପୂର୍ବତନ ଅଧିନାୟକ ତଥା ବିସ୍ଫୋରକ ବ୍ୟାଟ୍‌ସମ୍ୟାନ୍‌ ଭାବେ ପରିଗଣିତ ବୀରେନ୍ଦ୍ର ସେହବାଗ୍‌। ସୂଚନାଯୋଗ୍ୟ, ଅବସର ପରେ ଗାଙ୍ଗୁଲି ଏବେ ବିସିସିଆଇର ସଭାପତି ଥିଲା ବେଳେ ଧୋନି ଆଇପିଏଲ୍‌ରେ ଖେଳିବା ଜାରି ରଖିଛନ୍ତି ଏବଂ ନିକଟରେ ଭାରତୀୟ ଟି-୨୦ ବିଶ୍ବକପ୍‌ ଦଳର ମାର୍ଗଦର୍ଶକ ନିଯୁକ୍ତ ହୋଇଛନ୍ତି।

ସମ୍ବନ୍ଧିତ ଖବର